Home Environment ରାଜଧାନୀରେ ରେକର୍ଡ ତାତି

ରାଜଧାନୀରେ ରେକର୍ଡ ତାତି

65
0

ଭୁବନେଶ୍ୱର : ଗୋଟିଏ ଦିନରେ ୪.୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହିତ ଭୁବନେଶ୍ୱର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲିଟିଛି । ଆଜି ରାଜଧାନୀର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ଥିବାବେଳେ ଗତକାଲି ୩୯.୮ ଡିଗ୍ରୀ ରହିଥିଲା ।

ଚଳିତ ଗ୍ରୀଷ୍ମଋତୁରେ ଆଜି ରାଜଧାନୀ ସବୁଠାରୁ ଉତ୍ତପ୍ତ ଥିବାବେଳେ ଓଡିଶାର ଅନ୍ୟ ୧୬ଟି ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଗତକାଲି ୪୪.୬ ଡିଗ୍ରୀ ସହିତ ତାତିରେ ରେକର୍ଡ କରିଥିବା ବାରିପଦାର ତାପମାତ୍ରା ଆଜି ଦ୍ୱିତୀୟ ସର୍ବାଧିକ ୪୩.୬ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିଭଳି ବାଲେଶ୍ୱରର ତାପମାତ୍ରା ୪୩ଡିଗ୍ରୀ ରେକର୍ଡ ହୋଇଥିବାବେଳେ ମାଲକାନଗିରି ଓ ବୌଦର ତାପମାତ୍ରା ୪୨ଡିଗ୍ରୀ କରି ରହିଥିଲା । ଚାନ୍ଦବାଲିଠାରେ ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ତାଳଚେରରେ ୪୨.୫, ଭବାନୀପାଟଣା ଓ ବଲାଙ୍ଗିରେ ୪୧.୫ଡିଗ୍ରୀ କରି, ନୟାଗଡରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ କଟକ, ଝାରସୁଗୁଡା, ସମ୍ବଲପୁର, ଭବାନୀପାଟଣା, ଟିଟିଲାଗଡ, ସୋନପୁର ଓ ରାୟଗଡାର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ସବୁଠାରୁ କମ୍‍ ୩୧.୬ ଡିଗ୍ରୀ ତାପମାତ୍ରା ପାରାଦୀପରେ ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ଏହା ୩୩ ଡିଗ୍ରୀ ଏବଂ ପୁରୀରେ ୩୩.୬ ଡିଗ୍ରୀ ରେକର୍ଡ ହୋଇଛି ।

ରାଜଧାନୀରେ ତାପମାତ୍ରା ୪୪ଡିଗ୍ରୀ ଟପିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଦିନ ୧୨ଟା ପରଠାରୁ ଅପରାହ୍ନ ପର୍ଯ୍ୟନ୍ତ ସମଗ୍ର ରାଜଧାନୀରେ ଗରମ ଝାଞ୍ଜି ପବନ ବହିବା ସହିତ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଏପରିକି ଖରାବେଳେ କିଛି ଅଞ୍ଚଳରେ ରାସ୍ତାଘାଟ ଶୂନଶାନ ହୋଇପଡିଥିଲା ।

ଆଜି ଅଧା ଓଡିଶା ଗରମରେ ଏକ ପ୍ରକାର ସନ୍ତୁଳି ହୋଇଥିବାବେଳେ ଆସନ୍ତା କାଲି ୨୧ଟି ଜିଲ୍ଲାପାଇଁ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି ହୋଇଛି । ତେବେ ଆସନ୍ତା ୨ତାରିଖ ଠାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here