Home Health ରାଜଧାନୀରେ ବଢୁଛି ନିଶା ସେବନ, ଆତ୍ମହତ୍ୟା

ରାଜଧାନୀରେ ବଢୁଛି ନିଶା ସେବନ, ଆତ୍ମହତ୍ୟା

ଭୁବନେଶ୍ୱର : ନିଶା ବ୍ୟବହାର ସହିତ ଆତ୍ମହତ୍ୟା, ହତ୍ୟା, ହତ୍ୟା ଉଦ୍ୟମ, ଠକେଇ ଓ ପ୍ରତାରଣା ଭଳି ଘଟଣା ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି । ଏହା ଏବେ ପୁଲିସ୍‍ର ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ସାମାଜିକ ସ୍ତରରେ ମଧ୍ୟ ଉଦବେଳନ ସୃଷ୍ଟି କରୁଛି ।

କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ରାଜ୍ୟରେ ମଦ, ବ୍ରାଉନସୁଗାର, ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଶା ବ୍ୟବହାର ଉଦ୍‍ବେଗଜନକ ଭାବେ ବଢି ଚାଲିଥିବାବେଳେ ବିଶେଷକରି ଯୁବ ଓ ଛାତ୍ର ସମାଜକୁ ନିଶା ବେପାରୀମାନେ ଟାର୍ଗେଟ କରୁଛନ୍ତି । ଚୋରା ନିଶା ବେପାରୀଙ୍କୁ ଧରିବାପାଇଁ ପୁଲିସ୍‍ ଡାଳେ ଡାଳେ ଗଲାବେଳେ ମାଷ୍ଟରମାଇଣ୍ଡ ଅପରାଧିମାନେ କିନ୍ତୁ ପତ୍ରେ ପତ୍ରେ ଯାଉଛନ୍ତି । ପ୍ରତିଦିନ ବିପୁଳ ପରିମାଣର ବ୍ରାଉନସୁଗାର, ଗଞ୍ଜେଇ ଓ ଚୋରାମଦ ଆଦି ଜବତ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ସତ୍ୱେ ବି ନିଶା କାରବାର କମିବା ପରିବର୍ତ୍ତେ ବଢି ଚାଲିଛି ।

ସାମାଜିକ ବିଶୃଙ୍ଖଳା, ଚାରିତ୍ରିକ ଅବକ୍ଷୟ ସହିତ ନିଶାର ବହୁଳ ପ୍ରସାର ଯୋଗୁଁ ବିଭିନ୍ନ କିସମର ଅପରାଧ ସମେତ ଆତ୍ମହତ୍ୟା ବଢୁଥିବା ଘେନି ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଏହାକୁ ନିୟନ୍ତ୍ରଣ କରିବାଲାଗି ସ୍ୱତନ୍ତ୍ର ଟାସ୍କଫୋର୍ସମାନ ବି ଗଢାଯାଉଛି । ଏହା ସତ୍ୱେ ରାଜଧାନୀର ଗଳିକନ୍ଦିରେ ନିଶା କାରବାର ଠାରୁ ଆରମ୍ଭକରି ବିଶୃଙ୍ଖଳିତ ଯୁବକ ଯୁବତୀମାନଙ୍କୁ ଦେଖିବାକୁ ମିଳୁଛି ।

ଗୋଟିଏ ପଟେ ପ୍ରେମ ସମ୍ପର୍କରେ ପ୍ରତାରଣା ସହ ଅନ୍ୟ ପଟେ ରୋଜଗାର ସମ୍ଭାବନା କ୍ଷୀଣ ହେବା ଏବଂ ବିଶୃଙ୍ଖଳିତ ଆଚରଣ ଯୋଗୁଁ କ୍ୟାରିଅର ବର୍ବାଦ ହେଉଥିବାବେଳେ ଠିକଣା ଉପଦେଶ ନପାଇ ଅନେକ ଯୁବକ ଯୁବତୀ ଆତ୍ମହତ୍ୟାର ପଥ ବାଛ ନେଉଛନ୍ତି । ତେଣୁ ବହୁ ପରିବାର ଏଥିଯୋଗୁଁ ବରବାଦ ହେଉଛି ।

ଗୋଟିଏ ପଟେ କୋଭିଡ ଯନ୍ତ୍ରଣା ସହିତ ଅନ୍ୟ ପଟେ ଅପରାଧ ବୃଦ୍ଧି ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଉଭୟ ପ୍ରଶାସନ, ପୁଲିସ୍‍ ଓ ପରିବାର ପାଇଁ ସମସ୍ୟା ବଢାଇବାରେ ଲାଗିଛି । କେବଳ ଭୁବନେଶ୍ୱରରେ ୨୦୨୦ ବର୍ଷରେ ୩୧୦ଟି ଆତ୍ମହତ୍ୟା ଘଟଣା ପୁଲିସ୍‍ ନଜରକୁ ଆସିଥିଲା । ଗତବର୍ଷର ପ୍ରଥମ ଛଅମାସରେ ରାଜଧାନୀରେ ୧୪୨ଟି ଆତ୍ମହତ୍ୟା ମାମଲା ଦରଜ ହୋଇଥିବାବେଳେ ଏବର୍ଷ ଏହି ସମୟ ମଧ୍ୟରେ ଆତ୍ମହତ୍ୟା ମାମଲା ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ ବର୍ଷରେ ରାଜଧାନୀରେ ୨୨୦ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା । ବିଗତବର୍ଷମାନଙ୍କ ତୁଳନାରେ କ୍ରମାଗତ ଆତ୍ମହତ୍ୟା ସଂଖ୍ୟା ବଢି ବଢି ଚାଲିଛି । ଜଣେ ବରିଷ୍ଠ ପୁଲିସ୍‍ ଅଧିକାରୀ କହିଛନ୍ତି ଯେ ଠିକଣା ସମୟରେ ମାନସିକ ଭାରସାମ୍ୟ ରକ୍ଷାକରିବାପାଇଁ ଉପଯୁକ୍ତ ପରାମର୍ଶ ନପାଇବାରୁ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବଢି ବଢି ଚାଲିଛି ।

ଆତ୍ମହତ୍ୟା ସହ ତାଳଦେଇ ବିବାହ ବିଚ୍ଛେଦ ମାମଲା ସଂଖ୍ୟା ବି ବଢିବାରେ ଲାଗିଛି । ବିଶେଷକରି ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରଗୁଡିକରେ ତୁଳନାତ୍ମକ ଭାବେ ଏଭଳି ମାମଲା ଅଧିକ ହେଉଛି । ବିବାହ ବିଚ୍ଛେଦ ସହ ନିର୍ଯ୍ୟାତନା ମାମଲା ବି ଯୋଡିହୋଇ ଯାଉଛି । ରାଜ୍ୟର ଜଣେ ସାଂସଦ ଓ ଚଳଚିତ୍ର ତାରକା ପତ୍ନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାହ ବିଚ୍ଛେଦ ଓ ନିର୍ଯ୍ୟାତନା ମାମଲା ଦିଲ୍ଲୀରୁ କଟକ ପର୍ଯ୍ୟନ୍ତ ଗଡୁଥିବାବେଳେ ଏହାର ସମାଧାନ ଲାଗି ପରିବାର ଏବଂ ସାମାଜିକ ଓ ରାଜନୈତିକ ସ୍ତରରୁ ଦୃଢ ହସ୍ତକ୍ଷେପ ନେଉନାହିଁ । ଏବେ ଆଉଜଣେ ସାଂସଦଙ୍କ ପରିବାର ବିରୁଦ୍ଧରେ ତାଙ୍କ ବୋହୁ ନିର୍ଯ୍ୟାତନା ଅଭିଯୋଗ ବି ଆଣିଛନ୍ତି । ଆଉ କେତେକ ଶିଳ୍ପପତି, ପୁଞ୍ଜିପତିଙ୍କ ଠାରୁ ଆରମ୍ଭକରି ସମ୍ଭ୍ରାନ୍ତ ପରିବାରରେ ବି ଏଭଳି ମାମଲା ବଢି ଚାଲୁଥିବା ଜଣାପଡିଛି । (ତଥ୍ୟ)