Home Mining ରାଜକୋଷ ଭରୁଛି ଖଣିଜ ଟିକସ

ରାଜକୋଷ ଭରୁଛି ଖଣିଜ ଟିକସ

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୨-୨୩ ବର୍ଷରେ ଖଣିଜ କ୍ଷେତ୍ରରୁ ୪୩,୪୪୪ କୋଟି ଟଙ୍କାର ଟିକସ ପାଇବାପାଇଁ ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍‍ ଜୁନ୍‍ ଶେଷ ସୁଦ୍ଧା ୧୧,୫୨୭ କୋଟି ଟଙ୍କା ପାଇଛନ୍ତି । ସେହିଭଳି ଅଣ ଟିକସ ଅଂଶଧନ ବାବଦରେ ୨୦୨୨-୨୩ ବର୍ଷରେ ସରକାର ୪୮,୨୦୦ କୋଟି ପାଇବାର ଲକ୍ଷ୍ୟ ରଖିଥିବାବେଳେ ଏହାର ସିଂହଭାଗ ଖଣି ଓ ଖଣିଜ କ୍ଷେତ୍ରରୁ ଆସିବ । ଅନୁଦାନ ଆକାରରେ ରାଜ୍ୟ ସରକାର କେନ୍ଦ୍ରରୁ ୩୨,୭୮୯ କୋଟି ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି ।

୨୦୨୨-୨୩ ବର୍ଷରେ ଉଭୟ ଟିକସ ଓ ଅଣଟିକସ ବାବଦକୁ ରାଜ୍ୟ ସରକାର ୯୪,୨୦୦ କୋଟି ଟଙ୍କା ପାଇବେ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଗତ ତିନି ମାସ ମଧ୍ୟରେ ସରକାର ଅଣ ଟିକସ ରାଜସ୍ୱ ବାବଦରେ ୧୨,୮୫୮ କୋଟି ଟଙ୍କା ପାଇଥିବାବେଳେ ଏଥିରୁ ୧୧,୫୨୭ କୋଟି କେବଳ ଖଣି ଭିତ୍ତିକ ଶିଳ୍ପ ଏବଂ ଖଣିରୁ ପାଇଛନ୍ତି । ପ୍ରତିବର୍ଷ ଖଣିଜ ରାଜସ୍ୱ ଆଦାୟ ବୃଦ୍ଧି ପାଉଥିବାବେଳେ ୩୦ ଜୁନ୍‍ ୨୦୨୦ ରେ ଏହି କ୍ଷେତ୍ରରୁ ୨୯୯୦ କୋଟି ଟଙ୍କା ଆସିଥିବାବେଳେ ୩୦ ଜୁନ୍‍ ୨୦୨୧ ରେ ୯୩୭୮ କୋଟି ଟଙ୍କା ଆସିଥିଲା । ତେବେ ୨୦୨୨ ଜୁନ୍‍ରେ ପୂର୍ବବର୍ଷ ତୁଳନାରେ ୨୧୪୯ କୋଟି ଟଙ୍କା ଅଧିକ ଆଦାୟ ହୋଇଥିଲା ।

ସର୍ବଶେଷ ହିସାବରୁ ଜଣାପଡିଛି ଯେ ୨୦୨୧-୨୨ବର୍ଷରେ ରାଜ୍ୟ ସକାର ଟିକସ ଓ ଅଣଟିକସ ରାଜସ୍ୱ ବାବଦରେ ୯୫,୦୦୪ କୋଟି ଟଙ୍କା ପାଇଥିବାବେଳେ ୨୦୨୨-୨୩ ବର୍ଷରେ ରାଜସ୍ୱ ଆଦାୟ ଲକ୍ଷ୍ୟକୁ ସାମାନ୍ୟ ହ୍ରାସ କରାଯାଇଛି ଯାହାକି ୯୪,୨୦୦ କୋଟି । ନିଜସ୍ୱ ରାଜସ୍ୱ ବାବଦରେ ଓଡିଶା ସରକାର ୨୦୨୨-୨୩ ବର୍ଷରେ ୪୬,୦୦୦ କୋଟି ଟଙ୍କା ପାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି ଯାହାକି ପୂର୍ବବର୍ଷ ଆଦାୟ ହୋଇଥିବା ନିଜସ୍ୱ ରାଜସ୍ୱ ଠାରୁ ୫୦୦୦ ଟଙ୍କା ଅଧିକ ।

୨୦୧-୨୨ ରେ ନିଜସ୍ୱ ରାଜସ୍ୱ ବାବଦରେ ସରକାରଙ୍କୁ ୪୦,୭୪୮ କୋଟି ଟଙ୍କା ମିଳିଥିଲା । ନିଜସ୍ୱ ରାଜସ୍ୱ ଆଦାୟ ହେଉଥିବା କ୍ଷେତ୍ର ମଧ୍ୟରେ ବିଦ୍ୟୁତ୍‍ ଡ୍ୟୁଟି କ୍ଷେତ୍ରରେ ପ୍ରଦର୍ଶନ ନୈରାଜ୍ୟଜନକ ରହିଛି । ସ୍ଥିତିରେ ସୁଧାର ପାଇଁ ଉଦ୍ୟମ ଜାରି ରହିଛି । ତେବେ ଗାଡି ମୋଟରରୁ ଟିକସ ଆଦାୟରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ଜୁନ୍‍ ୩୦ ତାରିଖ ସୁଦ୍ଦା ନିଜସ୍ୱ ରାଜସ୍ୱ ବାବଦରେ ୧୦,୭୪୦କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ଅଧିକ ରହିଛି । ୨୦୨୧ ଜୁନ୍‍ ୩୦ରେ ଏ ବାବଦରେ ରାଜ୍ୟ ସରକାରଙ୍କୁ ମାତ୍ର ୮୧୮୫ କୋଟି ଟଙ୍କା ମିଳିଥିଲା । ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ଟିକସ, ଅଣଟିକସ ଓ କେନ୍ଦ୍ରୀୟ ମିଳିବାକୁ ଥିବା ଅର୍ଥ (ଟ୍ରାନ୍ସଫର) କୁ ମିଶାଇ ମୋଟ୍‍ ୧,୬୩,୯୬୬ କୋଟି ଟଙ୍କାର ରାଜସ୍ୱ ପାଇବାର ଆକଳନ ହୋଇଛି । ୨୦୨୧-୨୨ ବର୍ଷରେ ମୋଟ ରାଜସ୍ୱପ୍ରାପ୍ତି ୧,୫୩,୦୫୯ କୋଟି ଟଙ୍କା ମିଳିଥିଲା । ତେବେ ଚଳିତ ବର୍ଷ ଖଣିଜ ଅଞ୍ଚଳର ଅଧିକାରୀମାନଙ୍କ ସକ୍ରିୟତା ଯୋଗୁଁ ରାଜସ୍ୱପ୍ରାପ୍ତ ବୃଦ୍ଧିପାଇବା ଆଶା କରାଯାଉଛି ।

ତେବେ କେନ୍ଦ୍ରୀୟ ଟ୍ରାନ୍ସଫର ବାବଦୀୟ ଅର୍ଥ ହ୍ରାସ ପାଇବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ରାଜ୍ୟର ଆଭ୍ୟନ୍ତରୀଣ ଟିକସ ଆଦାୟ ବଢୁଥିବାରୁ ଓଡିଶା ସରକାର ବିକାଶ କାର୍ଯ୍ୟ ଲାଗି ଅଧିକ ଅର୍ଥ ବ୍ୟୟ କରିପାରିବେ ବୋଲି ଅଧିକାରୀମାନେ ଆଶାବାଦୀ ଅଛନ୍ତି । (ତଥ୍ୟ)