Home Health ରକ୍ତ ପରୀକ୍ଷା ପାଇଁ ୫ଟି ସ୍ଥାନରେ ଧାଡି

ରକ୍ତ ପରୀକ୍ଷା ପାଇଁ ୫ଟି ସ୍ଥାନରେ ଧାଡି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲକୁ ରକ୍ତ ପରୀକ୍ଷା ପାଇଁ ଆସୁଥିବା ରୋଗୀମାନଙ୍କୁ ଅତି କମ୍‍ରେ ୫ଟି ସ୍ଥାନରେ ଧାଡିରେ ଛିଡା ହେବାକୁ ପଡୁଛି । ଏଥିଯୋଗୁଁ ରୋଗୀଟି ଘଣ୍ଟା ଘଣ୍ଟା ଧରି ଛିଡା ହେବା ଯୋଗୁଁ ତାହାର ରୋଗ ବଢିବାରେ ଲାଗିଛି ।

ଅଭିଯୋଗ ଅନୁଯାୟୀ ଯଦି କୌଣସି ରୋଗୀର ରୋଗ ନିରୂପଣ ପାଇଁ ଡାକ୍ତର ରକ୍ତପରୀକ୍ଷା ସକାଶେ ପରାମର୍ଶ ଦେଉଛନ୍ତି ତେବେ ରୋଗୀଟି ପ୍ରଥମେ ଯାଇ ଧାଡିରେ ଛିଡା ହୋଇ ପଞ୍ଜିକୃତ କରୁଛି । ଏହାପରେ ଆଉ ଗୋଟିଏ ଧାଡିରେ ଛିଡାହୋଇ ପରୀକ୍ଷାପାଇଁ ଆବଶ୍ୟକ ଚିଠା ଓ ରକ୍ତସଂଗ୍ରହ ପାଇଁ ‘ଭାଏଲ’ ଆଣୁଛି । ଏହାପରେ ରକ୍ତସଂଗ୍ରହ ଗୃହ ସମ୍ମୁଖରେ ଧାଡିରେ ଛିଡାହୋଇ ଅପେକ୍ଷା କରୁଛି ।

ରକ୍ତ ସଂଗ୍ରହ ଗୃହରେ ରକ୍ତ ଦେବାପରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ତାହାକୁ ରଖିବା ପରିବର୍ତ୍ତେ ରକ୍ତ ସଂଗ୍ରହ ହୋଇଥିବା ‘ଭାଏଲ’କୁ ରୋଗୀ ହାତରେ ଧରାଇ ଦେଉଛନ୍ତି । ଏହାପରେ ରୋଗୀଟି ସେହି କୋଠରୀର ଝରକା ପାଖରେ ଆଉ ଗୋଟିଏ ଧାଡିରେ ଛିଡା ହୋଇ ରକ୍ତ ଥିବା ‘ଭାଏଲ’କୁ ଦାଖଲ କରୁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ ରକ୍ତ ସଂଗ୍ରହକାରୀ ଓ ଏହାକୁ ରଖୁଥିବା ଲୋକେ ଗୋଟିଏ ଟେବୁଲରେ ବସୁଥିବାବେଳେ ରୋଗୀଟିକୁ କିନ୍ତୁ ଦୁଇଥର ଧାଡି ଲଗାଇବାକୁ ହେଉଛି । ଏହାପରେ ଅପରାହ୍ନରେ ପରୀକ୍ଷା ରିପୋର୍ଟ ସଂଗ୍ରହ ପାଇଁ ଆଉ ଗୋଟିଏ ଲମ୍ବାଧାଡିରେ ଅପେକ୍ଷା କରିବାକୁ ପଡୁଛି ।

ରୋଗୀଙ୍କ ଅଭିଯୋଗ ଅନୁଯାୟୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ତଥା ଅପରିଣାମଦର୍ଶିତା ଯୋଗୁଁ ନିଦାନ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି । ଯେଉଁ କାମକୁ ଜଣେ ଦୁଇଜଣ କରିବା କଥା ତାହାକୁ ୫/୬ଜଣ ବ୍ୟକ୍ତି କରିବା ସହିତ ଲୋକଙ୍କୁ ଅଯଥାରେ ଏକାଧିକ ଧାଡିରେ ଛିଡା କରାଉଛନ୍ତି । କରୋନା ସମୟରେ ମାସ୍କ ପରିଧାନ ସହିତ ଶାରୀରିକ ଦୂରତା ପାଇଁ ପରାମର୍ଶ ଦେବା ଓ ଡାକ୍ତରମାନେ ରୋଗୀଙ୍କ ଠାରୁ ୫/୬ ଫୁଟ ଦୂରରେ ରହି ଚିକିତ୍ସା କରୁଥିବାବେଳେ ନିଦାନ କେନ୍ଦ୍ରରେ କିନ୍ତୁ ରୋଗୀଙ୍କୁ ଠେଲା ପେଲା ପାଇଁ ଛାଡି ଦେଉଛନ୍ତି ।

ରୋଗୀଙ୍କ ନମୂନା ପରୀକ୍ଷା ରିପୋର୍ଟ କମ୍ପ୍ୟୁଟରୀକରଣ ହୋଇଥିବାବେଳେ ଏହାକୁ ହସ୍ପିଟାଲ ୱେବସାଇଟ୍‍ କିମ୍ବା ରୋଗୀଙ୍କ ମୋବାଇଲ୍‍କୁ ଛାଡୁ ନଥିବାରୁ ଲୋକେ ଅଯଥା ଖର୍ଚ୍ଚାନ୍ତ ହେବା ସହିତ ବାରମ୍ବାର ଡାକ୍ତରଖାନା ପରିସରକୁ ଦୌଡିବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ ଲୋକେ କେବଳ ହଇରାଣ ହେଉନାହାନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ରିପୋର୍ଟ ପ୍ରଦାନପାଇଁ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି । ରାଜ୍ୟ ସରକାର କାଗଜବିହୀନ ପ୍ରଶାସନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ଏଥିପ୍ରତି ନଜର ଦେଉନାହାନ୍ତି ।

ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତରଖାନାର ଏକାଧିକ ଫାଟକରେ ତାଲା ଝୁଲାଇ ରୋଗୀଙ୍କ ଠାରୁ ଆରମ୍ଭକରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହଲାପଟା କରୁଥିବାବେଳେ ଏବେ ରୋଗୀଙ୍କୁ ଧାଡିରେ ଛିଡା କରାଇ ନୟାନ୍ତ କରୁଛନ୍ତି । ଅନ୍ୟ ଫାଟକ ତ ଦୂରରକଥା କୋଭିଡ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଥିବା ଫାଟକରେ ତାଲା ପକାଇବା ଯୋଗୁଁ କୋଭିଡ ସଂକ୍ରମିତମାନେ ଏବେ ଡାକ୍ତରଖାନା ପରିସରରେ ବୁଲି ବୁଲି କୋଭିଡ ପରୀକ୍ଷାପାଇଁ ଯାଉଛନ୍ତି । ଏହା ଏବେ ରୋଗୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here