Home Agriculture ଯୋଜନା ଅର୍ଥ ଖର୍ଚ୍ଚ କର

ଯୋଜନା ଅର୍ଥ ଖର୍ଚ୍ଚ କର

ଭୁବନେଶ୍ୱର : ଯୋଜନାରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପରାତା ପ୍ରକାଶ କରନ୍ତୁ । ଏଥି ସହିତ ୫-‘ଟି’ ଅନୁସାରେ ସମସ୍ତ ଯୋଜନାକୁ ଠିକ୍‌ ସମୟରେ ଏବଂ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି କାର୍ଯ୍ୟକାରୀ କରିବା ଏବଂ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିର୍ଦ୍ଦେଶାଳୟ ଏବଂ ସରକାରୀ େୱବ୍‌ସାଇଟ୍‌ରେ ଉପଲବ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କ ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ସଠିକ୍‌ ଭାବରେ ରୂପାୟନ କରି ଚାଷୀମାନଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ କହିଥିଲେ । ଚାଷୀମାନଙ୍କ ହିତ ନିମନ୍ତେ ଜିଲ୍ଲାରେ ଅଏଲ୍‌ ପାମ୍‌ ଯୋଜନାକୁ ତତ୍ପରତାର ସହ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଗଂଜାମ ଜିଲ୍ଲାରେ କିଆ ଫୁଲର ଅଧିକ ଉତ୍ପାଦନ ଓ ଏହାର ବିପଣନ ଦିଗରେ ଅଧିକ ଧ୍ୟାନ ଦେବା ଉପରେ କହିଥିଲେ । ଗଂଜାମ ଜିଲ୍ଲାରେ ନଡ଼ିଆ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଅଧିକରୁ ଅଧିକ ନଡ଼ିଆ ଚାରା ଉତ୍ପନ୍ନ କରି ଚାଷୀମାନଙ୍କୁୁ ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଏତଦ୍‌ବ୍ୟତୀତ ଏହିସବୁ ଜିଲ୍ଲାଗୁଡ଼ିକରେ ପଣସ, ଜାମୁ, ବେଲ, ଅଁଳା ଆଦିର ବ୍ୟାପକ ଭାବରେ ଉତ୍ପାଦନ ଏବଂ ଏହାର ପ୍ରକ୍ରିୟାକରଣ ଉପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା ଚାଷୀମାନେ ଲାଭବାନ ହୋଇପାରିବେ । ଏଥି ସହିତ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ଉତ୍ପାଦିତ ପିଆଜର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଉପଲବ୍ଧ ସୁବିଧା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

ସଂପ୍ରତି ରାଜ୍ୟରେ ଦ୍ୱିତୀୟ ଲହରି କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀମାନେ ସମସ୍ତ କୋଭିଡ୍‌ ସତର୍କତା ପାଳନପୂର୍ବକ କୃଷକମାନଙ୍କ ସେବାରେ ନିୟୋଜିତ ହେବାକୁ କହିଥିଲେ । ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାଗୁଡ଼ିକରେ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।