Home Education ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଭୁବନେଶ୍ୱର : ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବନାହିଁ । କୋଭିଡ ସଂକ୍ରମଣ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।

ପରୀକ୍ଷା ବାତିଲ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା ।

ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା

 ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ଆଗ, ଆଉସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ  ଓ ସଭ୍ୟତା ଆଗକୁ ବଢିବ ।

ତେଣୁ ଆମ  ଦେଶ ଓ ଜାତିର ଭବିଷ୍ୟତ, ଆମ ପିଲାମନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟ ମାନଙ୍କର ଉଦ୍ୟମ,ଦୃଢ ମନୋବଳ, ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ।

ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ( Well Defined Objective Criteria ) ଦ୍ୱାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମୂଲ୍ୟାୟନରେ ଯଦି କୌଣସି  ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ   ପରୀକ୍ଷା ଦେଇପାରିବେ  ଏବଂ ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।