Home General ମୋ ବସରେ ଯାତ୍ରୀ ଭିଡ

ମୋ ବସରେ ଯାତ୍ରୀ ଭିଡ

ଭୁବନେଶ୍ୱର : ତୈଳ ଦରବୃଦ୍ଧି ଯୋଗୁଁ ରାଜଧାନୀବାସୀ ଏବେ ନିଜ ନିଜ ଗାଡିରେ ଯିବା ବଦଳରେ ଟାଉନବସରେ ଯିବାକୁ ଆଗ୍ରହୀ । ଗତ ତିନିମାସରେ ରାଜଧାନୀରେ ଗଡୁଥିବା ‘ମୋ ବସ୍‍’ ରେ ବଢୁଥିବା ଯାତ୍ରୀ ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ।

ଚଳିତବର୍ଷ ଜାନୁୟାରୀ ମାସରେ ମୋ ବସ୍‍ରେ ଦୈନିକ ପାଖାପାଖି ଲକ୍ଷେ ଯାତ୍ରୀ ଯା’ ଆସ କରିଥିବାବେଳେ ଫେବୃୟାରୀରେ ଏହି ସଂଖ୍ୟା ଏକ ଲକ୍ଷ ୨୩ହଜାରକୁ ଯାଇଇଥିଲା । ସେହିଭଳି ମାର୍ଚ୍ଚ ମାସରେ ଦୈନିକ ଏକ ଲକ୍ଷ ୩୭ହଜାରରୁ ଅଧିକ ଯାତ୍ରୀ ମୋ ବସ୍‍ରେ ଯିବା ଆସିବା କରିଛନ୍ତି । ଏହି ସଂଖ୍ୟା ପୂର୍ବବର୍ଷର ଏହି ସମୟ ତୁଳନାରେ ଢେର ଅଧିକ । ଗୋଟିଏ ପଟେ ତୈଳଦର ବୃଦ୍ଧି ଓ ଅନ୍ୟ ପଟେ ଟ୍ରାଫିକ ଭିଡରୁ ବଞ୍ଚିବାପାଇଁ ଲୋକେ ମୋ ବସ୍‍କୁ ଆପଣେଇବାରେ ଲାଗିଛନ୍ତି ।

ଉଲ୍ଲେଖନୀୟ ଯେ ୨୦୧୦ ମସିହାରେ ବିପିଟିଏସ୍‍ ଭାବେ କାର୍ଯ୍ୟ ଆରମ୍ଭକରିଥିବା ସହରାଞ୍ଚଳ ପରିବହନ ବ୍ୟବସ୍ଥା ୨୦୧୮ରେ କ୍ରୁଟ୍‍ ହୋଇଥିଲା । ସେହିବର୍ଷ ନଭେମ୍ବର ମାସରେ ‘ମୋ ବସ୍‍’ ନାମରେ ବସ ଚଳାଚଳ ଆରମ୍ଭ କରିଥିବାବେଳେ ୨୦୧୯ରେ ଏହା ଭୁବନେଶ୍ୱର ଆଖପାଖ ଅଞ୍ଚଳକୁ ଗଡିଥିଲା । ବସ୍‍ ଚଳାଚଳର ସଫଳତାକୁ ଦେଖି ୨୦୨୧ ରେ କ୍ରୁଟ୍‍ ପକ୍ଷରୁ ମୋ ବସ୍‍ ସହିତ ମୋ ଇ-ରିକ୍ସା ଚଳାଚଳ ଆରମ୍ଭ ହୋଇଛି ।

ତେବେ ଯାତ୍ରୀଙ୍କ ପସନ୍ଦ ସହିତ ପରିବେଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୋ ବସ୍‍ ବାହିନୀରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ଇ-ବସ୍‍ ଚଳାଚଳ କରିବ । ନିକଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୋ ବସ୍‍ ଚଳାଚଳର ସମୀକ୍ଷା ସମୟରେ ଇ-ବସ୍‍ ଯେଭଳି ଶୀଘ୍ର ଗଡିବ ତାହା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ ବର୍ତ୍ତମାନ ୩୨ଟି ରୁଟ୍‍ରେ ୨୨୫ ମୋ ବସ୍‍ ଚଳାଚଳ କରୁଥିବାବେଳେ ଏଗୁଡିକ ଭୁବନେଶ୍ୱରରୁ ଖୋରଧା, କଟକ, ପିପିଲି, ପୁରୀ ଓ କୋଣାର୍କକୁ ଗଡୁଛି । ବର୍ତ୍ତମାନ ଉଭୟ ସାଧାରଣ ଓ ଶୀତତାପ ନିୟନ୍ତ୍ରିତ ବସ୍‍ ଚଳାଚଳ କରୁଥିବାବେଳେ ପୂର୍ବ ତୁଳନାରେ କିନ୍ତୁ ଅଧିକରୁ ଅଧିକ ଲୋକେ ଯା ଆସ କରୁଛନ୍ତି ।

ତେବେ ରାଜଧାନୀରେ ଦିନକୁ ଦିନ ଟ୍ରାଫିକ ଭିଡ ସହିତ ପାର୍କିଂ ଫି ଯନ୍ତ୍ରଣା ଯୋଗୁଁ ଲୋକେ ସାଧାରଣ ପରିବହନ ଉପରେ ଅଧିକରୁ ଅଧିକ ଭାବେ ନିର୍ଭରଶୀଳ ହେବାରେ ଲାଗିଛନ୍ତି । ଏହି ଦୁଇ ପ୍ରକାର ବସ୍‍ ସହିତ ଇ-ବସ୍‍ ଆସି ଯୋଗଦେଲେ ଯାତ୍ରୀ ପରିବହନରେ ଅଧିକ ବୃଦ୍ଧି ଘଟିବ ବୋଲି ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀ କହିଛନ୍ତି । (ତଥ୍ୟ)