Home Agriculture ମୋବାଇଲ ବ୍ୟବହାରରେ ବାଲେଶ୍ୱର ଚାଷୀ ଆଗରେ

ମୋବାଇଲ ବ୍ୟବହାରରେ ବାଲେଶ୍ୱର ଚାଷୀ ଆଗରେ

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୩୨ ଲକ୍ଷ ଚାଷୀ ମୋବାଇଲ ଆମ କୃଷି ଯୋଜନାରେ ଫୋନ୍‍ ବ୍ୟବହାର କରୁଥିବାବେଳେ ବାଲେଶ୍ୱରର ଚାଷୀମାନେ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଏହି ଜିଲ୍ଲାରେ ୨ଲକ୍ଷ ୮୪ହଜାରରୁ ଅଧିକ ଚାଷୀ ମୋବାଇଲ ଫୋନ୍‍ ବ୍ୟବହାର କରୁଥିବା ସରକାରୀ ଭାବେ ଦର୍ଶାଯାଇଛି ।

ସରକାରୀ ସୂଚନା ଅନୁଯାୟୀ ଆମ କୃଷି କାର୍ଯ୍ୟକ୍ରମରେ ରାଜ୍ୟର ୩୧,୯୭,୨୨୯ ଜଣ ଚାଷୀ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି । ଏଥି ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଚାଷୀଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ଥିବାବେଳେ ବଲାଙ୍ଗିର, ବରଗଡ, ଭଦ୍ରକ, ଢେଙ୍କାନାଳ, ଜଗତ୍‍ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋରଧା, ନବରଙ୍ଗପୁର, ନୟାଗଡ ଓ ପୁରୀ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଚାଷୀ ମୋବାଇଲ୍‍ ବ୍ୟବହାର କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ମାତ୍ର ୨୯ହଜାର ଚାଷୀ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଥିବାବେଳେ ଯାଜପୁର ଜିଲ୍ଲାରେ ଏହି ସଂଖ୍ୟା ୩୦ହଜାର ରହିଛି ।

ରାଜ୍ୟରେ ୨୦୧୮ ମସିହାରେ ଆମ କୃଷି ଯୋଜନା ଆରମ୍ଭ ହୋଇଥିବାବେଳେ ଏହା ଜରିଆରେ ଚାଷୀମାନଙ୍କୁ ନିୟମିତ ଭାବେ କୃଷି ସୂଚନା ଯୋଗାଇ ଦିଆଯାଉଛି । ଲ୍ୟାଣ୍ଡଲାଇନ୍‍ ଫୋନ୍‍ରୁ ନିୟମିତ ଭାବେ ଚାଷୀଙ୍କ ମୋବାଇଲ୍‍କୁ କଲ୍‍ ଆସିବା ସହିତ ଋତୁ ଅନୁଯାୟୀ କିଭଳି ଚାଷ କରିବେ ତାହା କୁହାଯାଇଥାଏ । ଏପରିକି ଯଦି କୌଣସି ଚାଷୀ ଆସିଥିବା ଫୋନ୍‍ଟିକୁ ଗ୍ରହଣ କରିନଥାନ୍ତି ତେବେ ତାଙ୍କ ନିକଟକୁ ବାରମ୍ବାର ସୂଚନା ସଂକ୍ରାନ୍ତୀୟ ଫୋନ୍‍ ଆସିଥାଏ ।

ବିଗତ ଚାରିବର୍ଷ ମଧ୍ୟରେ ୮ଲକ୍ଷ ୮୫ହଜାର ନାମମାତ୍ର, ୩ଲକ୍ଷ ୪୬ହଜାରରୁ ଅଧିକ କ୍ଷୁଦ୍ର ଓ ଏକ ଲକ୍ଷ ୮୮ହଜାର ମଧ୍ୟମ ବର୍ଗ ଏବଂ ୭୦ ହଜାର ବଡ ଚାଷୀଙ୍କୁ ଟେଲିଫୋନ୍‍ ମାଧ୍ୟମରେ କୃଷି ସୂଚନା ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୬୬ହଜାରରୁ ଅଧିକ ଚାଷୀ ଧାନ ଫସଲ ସହିତ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରୁଥିଲେ ।

ତେବେ ରାଜ୍ୟରେ ଏତେ ସଂଖ୍ୟାରେ ଚାଷୀଙ୍କ ନିକଟରେ ମୋବାଇଲ୍‍ ଫୋନ୍‍ ଥିଲେ ମଧ୍ୟ ବିହନ ଖରିଦ ବେଳକୁ ଚାଷୀମାନେ ତାହାକୁ ସଠିକ ଭାବେ ବ୍ୟବହାର କରିପାରୁ ନାହାନ୍ତି । ଫଳରେ ରାଜ୍ୟରେ ଯେଭଳି ବିହନ ବିକ୍ରି ହେବାକଥା ତାହା ହୋଇପାରୁ ନାହିଁ । ଫୋନ୍‍ ଜରିଆରେ କୃଷି ସୂଚନା ପାଉଥିବା ଚାଷୀମାନେ କିନ୍ତୁ ବ୍ୟାଙ୍କ୍‍ ଓ ଅନ୍ୟାନ୍ୟ ସ୍ଥାନରେ ନିଜ ମୋବାଇଲ ନମ୍ବର ଦେବାକୁ ପଛାଉଛନ୍ତି । ବିଶେଷକରି ବିହନ ଖରିଦ ସମୟରେ ଏଭଳି ପଛଘୁଞ୍ଚା ଯୋଗୁଁ ରାଜ୍ୟରେ ଧାନ ବିହନ ବିକ୍ରି ହ୍ରାସ ପାଉଛି । (ତଥ୍ୟ)