Home News in Odia ମୋଦୀଙ୍କୁ ଭେଟିଲେ ଅପରାଜିତା

ମୋଦୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଶ୍ରୀମତୀ ଷଡଙ୍ଗୀ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଫଟୋ ଆଜି ଟୁଇଟରରେ ସେୟାର କରିଛନ୍ତି ।

ଶ୍ରୀମତୀ ଷଡଙ୍ଗୀ ଫଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ଓ ଦିଗ୍‍ଦର୍ଶନ ତାଙ୍କୁ ପ୍ରେରଣା ଯୋଗାଇଛି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହାକୁ ସେ ପ୍ରକାଶ କରିନାହାନ୍ତି ।

ତେବେ ଶ୍ରୀମତୀ ଷଡଙ୍ଗୀ ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନେଇ ରାଜ୍ୟ ବିଜେପି ରାଜନୀତି ଉଷ୍ମ ହେବାରେ ଲାଗିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେପି ନେତୃବୃନ୍ଦ ଦିଲ୍ଲୀ ଗସ୍ତ କରିବା ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ସାକ୍ଷାତ କରିଥିଲେ ।

ଏହାପରେ ବିଜେପି ବିଧାୟକମାନେ ମିଳିତ ଭାବେ ଦିଲ୍ଲୀ ଗସ୍ତ କରିଥିଲେ । ତେବେ ସେମାନଙ୍କ ଦିଲ୍ଲୀ ଗସ୍ତ କେବଳ ଚିକିତ୍ସାଧିନ ଥିବା ବିରୋଧିଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିବାପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ସ୍ପଷ୍ଟ କରିଥିଲେ ।

ଦୁଇ ଦୁଇଟି ଟିମ୍‍ ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ କେହି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିନଥିଲେ । ତେବେ ଏମାନେ ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ପରେ ଅପରାଜିତା ଏକାକୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।