Home Health ମେଡ଼ିକାଲ କଲେଜରେ ୫୦୦ ଶିକ୍ଷକ ପଦବୀ ଖାଲି

ମେଡ଼ିକାଲ କଲେଜରେ ୫୦୦ ଶିକ୍ଷକ ପଦବୀ ଖାଲି

ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ଥିବା ମେଡ଼ିକାଲ କଲେଜଗୁଡ଼ିକରେ ପାଖାପାଖି ୫୦୦ ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିଛି । ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲୋକସେବା ଆୟୋଗଙ୍କ ସହାୟତା ନେଇଥିଲେ ମଧ୍ୟ ପଦୋନ୍ନତି ଓ ଅନ୍ୟାନ୍ୟ କାରଣ ଯୋଗୁ ବର୍ଷ ବର୍ଷ ଧରି ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିବା ଏକ ବଡ଼ ଆହ୍ୱାନ ହୋଇଛି ।

ଓଡ଼ିଶାରେ ୭ଟି ମେଡ଼ିକାଲ କଲେଜ ହସ୍ପିଟାଲ, ଗୋଟିଏ ଦନ୍ତ ଚିକିତ୍ସା କଲେଜ ହସ୍ପିଟାଲ, ୩ଟି ଆୟୁର୍ବେଦିକ କଲେଜ ଓ ୪ଟି ହୋମିଓପାଥିକ କଲେଜ ରହିଛି । ଚଳିତବର୍ଷ ଆରମ୍ଭ ବେଳକୁ ଏଲୋପାଥିକ ମେଡ଼ିକାଲ କାଲେଜଗୁଡ଼ିକରେ ୩୦୦ରୁ ଅଧିକ ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିଥିବା ବେଳେ ଏକମାତ୍ର ଡେଣ୍ଟାଲ କଲେଜରେ ୮ଟି, ୩ଟି ଯାକ ସରକାରୀ ଆୟୁର୍ବେଦିକ କଲେଜରେ ୮୧ଟି ଓ ୪ଟି ଯାକ ସରକାରୀ ହୋମିଓପାଥିକ କଲେଜରେ ପ୍ରାୟ ୧୨୦ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିଥିଲା । ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୋଭିଡ୍‍ ଝାମେଲା ଏବଂ ନିଯୁକ୍ତି ଓ ପଦୋନ୍ନତି ସଂକ୍ରାନ୍ତରେ ଅଦାଲତରେ ଗଡ଼ୁଥିବା ମାମଲାଗୁଡ଼ିକ ଯୋଗୁ ଏ ସବୁ ପୂରଣ ହେବା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ସାଧାରଣ ଲୋକଙ୍କ ଆଶା ଭରସାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବା ଏହି ୧୫ଟି ଯାକ ସରକାରୀ ମେଡ଼ିକାଲ କଲେଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କିନ୍ତୁ ଯତ୍‍ପରନାସ୍ତି ଉଦ୍ୟମ କରାଯାଉଛି ।

ଗତବର୍ଷ ଶେଷ ସୁଦ୍ଧା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୯୧, ବ୍ରହ୍ମପୁରର ଏମ୍‍କେସିଜି ମେଡ଼ିକାଲ କଲେଜରେ ୭୯, ବୁର୍ଲାର ଭିମସାରରେ ୭୩, ବାରିପଦାର ପିଆର୍‍ଏମ୍‍ ମେଡ଼ିକାଲ କଲେଜରେ ୧୦ଟି, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଳେଜରେ ୧୪ଟି, ବାଲେଶ୍ୱରର ଫକୀର ମୋହନ ମେଡ଼ିକାଲ କଲେଜରେ ୨୧ଟି ଓ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ୨୨ଟି ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା ।

ସେହିପରି କଟକସ୍ଥିତ ସରକାରୀ ଦନ୍ତ ଚିକିତ୍ସା କଲେଜରେ ୮ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୨୯ଟି, ବଲାଙ୍ଗୀରର ସରକାରୀ ଆୟୁର୍ବେଦିକ କଲେଜରେ ୨୯ଟି ଓ ଅଙ୍କୁଶପୁରରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜରେ ୨୩ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିଲା । ଭୁବନେଶ୍ୱରସ୍ଥିତ ଡାକ୍ତର ଅଭିନ୍ନଚନ୍ଦ୍ର ମେଡ଼ିକାଲ କଲେଜରେ ଏହି ସମୟ ସୁଦ୍ଧା ୩୭ଟି ଶିକ୍ଷକ ପଦବୀ ମଧ୍ୟରୁ ୩୨ଟି, ରାଉରକେଲାର ଉକ୍ରଳମଣି ହୋମିଓପାଥିକ ମେଡ଼ିକାଲ କଲେଜରେ ୩୬ରୁ ୨୬, ସମ୍ବଲପୁରର ହୋମିଓପାଥିକ କଲେଜରେ ୩୭ରୁ ୨୯ ଓ ବ୍ରହ୍ମପୁରର ସରକାରୀ ହୋମିଓପାଥିକ କଲେଜରେ ୩୫ରୁ ୨୯ଟି ଶିକ୍ଷକ ପଦବୀ ଖାଲିଥିଲା ।

ଶିକ୍ଷକ ପଦବୀ ଖାଲିପଡ଼ିବା ଫଳରେ ଆୟୁର୍ବେଦିକ ଓ ହୋମିଓପାଥିକ କଲେଜଗୁଡ଼ିକରେ ଶିକ୍ଷାଦାନ, ଗବେଷଣା ଓ ଚିକିତ୍ସା କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବର୍ଷ ବର୍ଷ ଧରି ପଦବୀ ଖାଲିପଡ଼ିବା ଯୋଗୁ ହୋମିଓପାଥିକର କେତେକ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା କୁହାଯାଉଛି ।

କେବଳ ଡାକ୍ତରୀ ଶିକ୍ଷକ ନୁହେଁ ୮ଟି ଯାକ ସରକାରୀ ଏଲୋପାଥିକ ମେଡ଼ିକାଲ କଲେଜରେ ପାଖାପାଖି ୨୫୦୦ ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଡେଣ୍ଟାଲ କଲେଜରେ ୯ଟି, ତିନୋଟି ଯାକ ଆୟୁର୍ବେଦିକ କଲେଜରେ ପ୍ରାୟ ୨୦୦ ଓ ୪ଟି ଯାକ ହୋମିଓପାଥିକ କଲେଜରେ ୪୦ରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲିପଡ଼ିଛି । ଗୋଟିଏ ପଟେ ଅଧିକ ମେଡ଼ିକାଲ କଲେଜ ଖୋଲିବା ସହିତ ଆୟୁର୍ବେଦିକ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଲାଗି କ୍ଷମତା ଦିଆଯାଉଥିବା ବେଳେ ମେଡ଼ିକାଲ କଲେଜ ସମେତ ସମଗ୍ର ରାଜ୍ୟରେ ମୋଟ୍‍ ସରକାରୀ ଡାକ୍ତର ପଦବୀର ପାଖାପାଖି ଅଧା ଖାଲିପଡ଼ିବା ଆମ ସ୍ୱାସ୍ଥ୍ୟସେବା ଏକ ବଡ଼ ଆହ୍ୱାନ ପାଲଟିଛି ।

LEAVE A REPLY

Please enter your comment!
Please enter your name here