Home Energy ଭାସମାନ ସୌର ପ୍ରକଳ୍ପକୁ ଅନୁମତି

ଭାସମାନ ସୌର ପ୍ରକଳ୍ପକୁ ଅନୁମତି

ରେଙ୍ଗାଳି ଜଳଭଣ୍ଡାରରେ ରାଜ୍ୟର ପ୍ରଥମ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା ହେବ । ୧୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।

କେନ୍ଦ୍ର ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟର ଏହି ଅନୁମତିପତ୍ର ରାଜ୍ୟ ସବୁଜ ଶକ୍ତି ବିକାଶ ନିଗମ, ଓଡିଶା ଲିମିଟେଡ (ଜେଡକଲ)ର ସିଏମ୍‍ଡି ବିଷ୍ଣୁପଦ ସେଠୀଙ୍କର ହସ୍ତଗତ ହୋଇଛି । କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୦୦ ମେଗାୱାଟର ଏହି ଭାସମାନ ସୌର ପାର୍କକୁ ଜେଡକଲ ଓ ଜାତୀୟ ଜଳ ବିଦ୍ୟୁତ୍‍ ନିଗମ (ଏନ୍‍ଏଚ୍‍ପିସି) ମିଳିତ ଭାବେ କାର୍ଯ୍ୟକାରୀ କରିବେ । ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଭୟ ରାଷ୍ଟ୍ରାୟତ ସଂସ୍ଥା ଓଡିଶାରେ ଭାସମାନ ସୌର ପ୍ରକଳ୍ପ ଲାଗି ଜୁଳାଇ ୨୦ ତାରିଖରେ ରାଜିନାମା ସ୍ୱାକ୍ଷର କରିଥିଲେ । ଏହି ରାଜିନାମାରେ ଜେଡକଲ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି ଆର ଦାସ ଏବଂ ଏନ୍‍ଏଚ୍‍ପିସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆର.କେ.ଜୈସ୍ୱାଲ ସ୍ୱାକ୍ଷର କରିଥିଲେ ।

ରାଜିନାମା ସ୍ୱାକ୍ଷର ପରେ ଗେଡକଲ ପକ୍ଷରୁ ଭାସମାନ ସୌର ପ୍ରକଳ୍ପ ଲାଗି କେନ୍ଦ୍ର ନିକଟରେ ଆବେଦନ କରାଯାଇଥିଲା ଯାହାକୁ ଏବେ ମଞ୍ଜୁରୀ ମିଳିଛି । କେନ୍ଦ୍ର ସରକାର ଏହି ପ୍ରକଳ୍ପ ଲାଗି ଖୁବ୍‍ଶୀଘ୍ର ମିଳିତ କମ୍ପାନୀ ଓ ଡିପିଆର ପ୍ରସ୍ତୁତ ପାଇଁ କହିଛନ୍ତି । ରାଜିନାମାରେ ଥିବା ବ୍ୟବସ୍ଥାନୁଯାୟୀ ଜେଡକଲ ଓ ଏନଏଚ୍‍ପିସି ମିଳିତ ଭାବେ କମ୍ପାନୀ ଗଠନ କରି ବର୍ତ୍ତମାନ ୧୦୦ ମେଗାୱାଟ ଏବଂ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ୫୦୦ ମେଗାୱାଟ ପର୍ଯ୍ୟନ୍ତ ସୌରଶକ୍ତି ଉତ୍ପାଦନ କରିବେ ।

କେନ୍ଦ୍ର ସରକାର ଅଣ ପାରମ୍ପରିକ ଶକ୍ତି ମନ୍ତ୍ରାଳୟର ଅଲଟ୍ରା ମେଗା ରନେବୁଲ ଏନର୍ଜି ପାୱାର ପାର୍କସ୍‍ର ମିଳିତ ସହଯୋଗରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ପର୍ଯ୍ୟାୟକ୍ରମେ ଏକାଧିକ ଭାସମାନ ସୌର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସେହଭଳି ଓଡିଶାରେ ଜଙ୍ଗଲ ନଥିବା କୃଷିକାର୍ଯ୍ୟ ହେଉଥିବା ବଡ ବଡ ପଡିଆ ଜମି ରହିଛି ଯାହା ଉପରେ ସୌର ପ୍ରକଳ୍ପ ହୋଇପାରିବ । ତେବେ ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ଦ୍ୱାରା ଅନେକ ଫାଇଦା ମିଳିବ । ତାପମାତ୍ରା ହ୍ରାସ ସହିତ ଜଳର ବାଷ୍ପିକରଣକୁ ରୋକାଯାଇ ପାରିବ ।

ପୂର୍ବରୁ ରାଜ୍ୟର ୧୨ଟି ଜଳଭଣ୍ଡାର ଯଥା ଜଳବିଦ୍ୟୁତ୍‍ ପ୍ରକଳ୍ପ ଥିବା ରେଙ୍ଗାଳି, ବାଲିମେଳା, ଅପରକୋଲାବ, ଇନ୍ଦ୍ରାବତୀ, ହୀରାକୁଦ ଏବଂ ଜଳସେଚନ ପାଇଁ ଥିବା ତେଲେଙ୍ଗିର, ହରିହରଜୋର, ମନ୍ଦିରା, ଜମ୍ଭିରା, ସାଳନ୍ଦୀ ଏବଂ ଋଷିକୂଲ୍ୟା ଅବବାହିକାରେ ଥିବା ସୋରଡା ଘାଇ ଓ ଭଞ୍ଜନଗରରେ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା ନେଇ ଅନୁଧ୍ୟାନ ହୋଇଥିଲା । ଏହିକାର୍ଯ୍ୟ ୟୁରୋପୀୟ ୟୁନିଅନ ସହାୟତାରେ କ୍ଲିନ ଏନର୍ଜି କର୍ପୋରେସନ ଅଫ୍‍ ଇଣ୍ଡିଆ (ସିଇସିଆଇ) ଦ୍ୱାରା କରାଯାଇଥିଲା ।

ଓଡିଶା ସରକାର ତାଙ୍କର ଅଣପାରମ୍ପିକ ଶକ୍ତି ନୀତି ୨୦୧୬ରେ ରାଜ୍ୟରେ ୨୨୦୦ ମୋଗାୱାଓ ସୌର ପ୍ରକଳ୍ପ ଓ ୫୫୦ ଅନ୍ୟ ଅଣପାରମ୍ପରିକ ପ୍ରକଳ୍ପ ୨୦୨୨ ସୁଦ୍ଧା ସ୍ଥାପନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ଉପରୋକ୍ତ ଯୋଜନା ସେଥିରେ ବେଶ୍‍ ସହାୟକ ହେବ । ବର୍ତ୍ତମାନ ରାଜ୍ୟରେ ସୌର ପ୍ରକଳ୍ପରୁ ୩୬୩ ମେଗାୱାଟ ଓ ଅଣସୌର ପ୍ରକଳ୍ପରୁ ୭୭ ମେଗାୱାଟ ଉତ୍ପାଦନ କ୍ଷମତା ରହିଛି । ରାଜ୍ୟ ବାହାରୁ ଗ୍ରିଡ୍‍କୋ ୭୫ମେଗାୱାଟ ସୌର ପ୍ରକଳ୍ପ ଓ ୧୫୦ମେଗାୱାଟ ପବନ ଶକ୍ତି ଖରିଦ କରୁଛି । ତେବେ କେନ୍ଦ୍ର ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟର ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଓଡିଶା ସରକାର ଆଉ ୨୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ପ୍ରକଳ୍ପ ଆବଶ୍ୟକ କରୁଛନ୍ତି ।