Home General ମେଳା ନଦେଖି ଫେରିଲେ

ମେଳା ନଦେଖି ଫେରିଲେ

ଭୁବନେଶ୍ୱର : ଆଦିବାସୀ ମେଳାରେ ରବିବାର ଦିନ ନାହିଁ ନଥିବା ଭିଡ ହୋଇଥିବାବେଳେ ବହୁ ଲୋକେ ମେଳା ନଦେଖି ଫେରିଛନ୍ତି । ସଂଧ୍ୟାରେ ଭିଡ ପ୍ରବଳ ହେବାରୁ ମେଳା କର୍ତ୍ତୃପକ୍ଷ ମାଇକ୍‌ ଯୋଗେ ମେଳା ପରିସରକୁ ନିଆସିବାକୁ ପ୍ରଚାର କରିବା ସହିତ ପୁଲିସ୍‌କୁ ସହଯୋଗ ଲାଗି ଅନୁରୋଧ କରିଥିଲେ ।

ଚଳିତବର୍ଷର ଆଦିବାସୀ ମେଳା ୩ବର୍ଷ ପରେ ଆଦିବାସୀ ପଡିଆକୁ ଫେରିଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ହାଇବ୍ରିଡ କରାଯାଇଛି । ମେଳା ପଡିଆକୁ ପ୍ରବେଶ ଲାଗି ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଥିବାବେଳେ ପ୍ରତି ଘଣ୍ଟାରେ ୩ହଜାର ଲୋକଙ୍କୁ ମେଳା ପଡିଆକୁ ଛାଡିବାକୁ ବ୍ୟବସ୍ଥା ହୋଇଛି । ସେହିଭଳି ଯେଉଁମାନେ ମେଳା ପଡିଆକୁ ନଆସିବେ ସେମାନେ ଘରେ ବସି ଭର୍ଚୁଆଲ ମେଳା ଦେଖିବାର ବ୍ୟବସ୍ଥା ହୋଇଛି ।

ତେବେ ଗତ ରବିବାର ଦିନ ହଜାର ହଜାର ଲୋକ ମେଳା ମୁହାଁ ହେବା ସହିତ ଧାଡିବାନ୍ଧି ପଞ୍ଜିକରଣ କରାଇଥିଲେ । ତେବେ ସବୁଠାରୁ ଅସୁବିଧାରେ ପଡିଥିଲେ ଯେଉଁମାନେ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରାଇଥିଲେ । ଅନ୍‌ଲାଇନ୍‌ ପଞ୍ଜିକରଣ ପରେ ଅଧିକାଂଶ ବ୍ୟକ୍ତିଙ୍କ ମୋବାଇଲ୍‌ ନମ୍ବରକୁ କୌଣସି ମେସେଜ ଆସିନଥିଲା । ସେମାନେ ବାର୍‌କୋଡ୍‌ ସ୍କି୍ରନ୍‌ଶଟ୍‌ ମାରି ଦେଖାଇଥିଲେ ମଧ୍ୟ ତାହାକୁ ଗେଟ୍‌ରେ ଥିବା ସୁରକ୍ଷା ଅଧିକାରୀମାନେ ଗ୍ରହଣ କରିନଥିଲେ । ଫଳରେ ଅନ୍‌ଲାଇନ୍‌ରେ ପଞ୍ଜିକୃତ କରାଇଥିବା ବହୁ ବ୍ୟକ୍ତି ଅଫ୍‌ଲାଇନ୍‌ ପଞ୍ଜିକରଣ ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଛିଡାହୋଇଥିଲେ ।

ଆଦିବାସୀ ପଡିଆକୁ ମେଳା ଫେରିଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ଚଳିତବର୍ଷ ଦୁଇଟି ଫାଟକକୁ ବନ୍ଦକରି ରଖିଛନ୍ତି । ଏକ ନମ୍ବର ପଟକୁ ଥିବା ଫାଟକଗୁଡିକ ବନ୍ଦ ରହିଥିାବରୁ ଗୋଟିଏ ପଟରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି ।

ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେଳା ଆୟୋଜକମାନେ ମେଳା ପରିଦର୍ଶନ ସମୟ ଦିନ ୧୧ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରଖିଥିବାବେଳେ ପ୍ରତି ଘଣ୍ଟାରେ ୩ହଜାର ଲୋକଙ୍କୁ ମେଳା ପରିସରକୁ ଛାଡିବାର ବ୍ୟବସ୍ଥା କରିଛନ୍ତି । ତେବେ ଲୋକେ ପ୍ରାୟତଃ ଅପରାହ୍ନରେ ଆସୁଥିବାରୁ ନାହିଁ ନଥିବା ଭିଡ ହେଉଛି ।

ଚଳିତବର୍ଷ ମେଳାରେ ଭିଡ ହ୍ରାସ ଲାଗି ସାଂସ୍କତିକ କାର୍ଯ୍ୟକ୍ରମ ଓ ଖାଦ୍ୟ ଷ୍ଟଲ ଖୋଲାଯାଇ ନାହିଁ । ଷ୍ଟଲ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । ତଥାପ ଆଦିବାସୀମେଳା ପ୍ରତି ଥିବା ଆକର୍ଷଣ ଯୋଗୁଁ ଜନସଂଖ୍ୟା ବୃଦ୍ଧି ପାଉଛି । ପଞ୍ଜିକରଣ ବ୍ୟବସ୍ଥା ସତ୍ୱେ ଏତେ ସଂଖ୍ୟାରେ ଦର୍ଶକ ଆସିବା ଓ ଫେରିବା ଏବେ ଚିନ୍ତାର କାରଣ ହୋଇଛି ।