Home Health ମେଳାରେ କୋଭିଡ କଟକଣାକୁ ଫୁ

ମେଳାରେ କୋଭିଡ କଟକଣାକୁ ଫୁ

226
0

ଭୁବନେଶ୍ୱର : ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କୋଭିଡ କଟକଣା ଏବେ ବି ବଳବତ୍ତର ଥିବାବେଳେ ରାଜଧାନୀରେ ଆୟୋଜିତ ବିଭିନ୍ନ ମେଳାରେ ଲୋକେ ଏହାକୁ ମାନୁନଥିବା ଲକ୍ଷ୍ୟ କରାଯାଉଛି । ହଜାର ହଜାର ଲୋକଙ୍କ ସମାଗମ ସହିତ ଲୋକେ ବିନା ମାସ୍କରେ ବୁଲୁଥିବା ଲକ୍ଷ୍ୟ କରାଯାଉଛି ।

ରାଜଧାନୀରେ ଏବେ ଚାଲିଛି ତିନୋଟି ବଡ ମେଳା । ଜନତା ମଇଦାନରେ ତୋଷାଳୀ ମେଳା, ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ମେଳା ଓ ଆଦିବାସୀପଡିଆରେ ଆଦିବାସୀମେଳା । ପ୍ରାୟ ୧୦ମାସ ପରେ ରାଜଧାନୀରେ ମେଳା ଆୟୋଜନ ହେଉଥିବାରୁ ସେଠାକୁ ଏବେ ଲୋକଙ୍କ ସୁଅ ଛୁଟିଛି । ତେବେ ମେଳାର ଆୟୋଜକମାନେ ଜନସମାଗମ କିଭଳି କମ ରହିବ ତାହାକୁ ଦୃଷ୍ଟିରେ ରଖି ମେଳା ପରିସରରେ ଖାଦ୍ୟ ସାମଗ୍ରୀ ବିକ୍ରି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରିଛନ୍ତି । ଏଥି ସହିତ ମେଳା ପରିସରକୁ ଆସୁଥିବା ସମସ୍ତ ବ୍ୟକ୍ତି ଯେଭଳି ମାସ୍କ ପିନ୍ଧିବେ, ହାତ ସାନିଟାଇଜ କରିବେ ଓ ବିଶେଷକରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ।

ହେଲେ ସାଧାରଣ ଲୋକେ ଏହାକୁ ମାନିବାକୁ ନାରାଜ । ପ୍ରତ୍ୟେକ ମେଳାରେ ଅପରାହ୍ନରୁ ଭିଡ ଜମୁଛି । ଛୁଟିଦିନେ ଲୋକେ ମେଳା ପରିସରରେ ଠେଲାପେଲା ହେଉଛନ୍ତି । ତୋଷାଳୀମେଳାରେ ଜନସମାଗମକୁ ଦେଖିଲେ ସେଠାରେ କରୋନ କଟକଣା ନିୟମକୁ ଯେ ଲୋକେ ଫୁ କରିଦେଇଛନ୍ତି ତାହା ଯେ କେହି ଦେଖିପାରିବ । ଅନୁରୂପ ଅବସ୍ଥା ହସ୍ତତନ୍ତ ମେଳାରେ । ହଜାର ହଜାର ଲୋକ ମେଳା ପରିସରରେ ଭିଡ ଜମାଉଛନ୍ତି ।

କିନ୍ତୁ ଆଦିବାସୀମେଳାରେ ସ୍ଥିତି ଟିକେ ଭିନ୍ନ ରହିଛି । ଏହି ମେଳା ପରିସରକୁ ଯିବାପାଇଁ ହେଲେ ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ପଞ୍ଜିକରଣ କରିବାକୁ ପଡୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ମାସ୍କ ପିନ୍ଧିବାକୁ କର୍ତ୍ତୃପକ୍ଷ କଡାକଡି ପାଳନ କରୁଛନ୍ତି । ଏଥି ସହିତ ମେଳା ପରିସରକୁ ଦଳ ଦଳ କରି ଲୋକଙ୍କୁ ଛଡାଯାଉଥିବାରୁ ସାମାଜିକ ଦୂରତା କିଛିଟା ରକ୍ଷାହୋଇ ପାରୁଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ବିଶେଷଜ୍ଞମାନେ କୋଭିଡ କଟକଣା ମାନିବାକୁ ବାରମ୍ବାର ଅନୁରୋଧ କରୁଥିବାବେଳେ ମେଳାର ଭିଡ ଲୋକଙ୍କୁ ଏକ ପ୍ରକାର ଅମାନିଆ କରିଦେଇଛି । ଟୀକାଦାନ ଆରମ୍ଭ କରି ଲୋକେ ମାସ୍କ ପିନ୍ଧା ଛାଡୁଥିବାବେଳେ ମେଳାରେ ସାମାଜିକ ଦୂରତା କିମ୍ବା ସାନିଟାଇଜରକୁ ଏକ ପ୍ରକାର ପାଶୋରୀ ଦେଲେଣି । ତେଣୁ ଏହା ପୁଣିଥରେ ବିପଦକୁ ଡାକିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଉଛନ୍ତି ।

ଉଲ୍ଲେଖନୀୟ ଆଜି ସୁଦ୍ଧା ସରକାରୀ ହିସାବରେ ରାଜ୍ୟରେ ୧୧୭୩ ଜଣ ସକ୍ରିୟ କରୋନା ରୋଗୀ ଥିବାବେଳେ ଦୈନିକ ଶହେରୁ ଅଧିକ ନୂଆ କରୋନା ରୋଗୀ ଯୋଡିହୋଇ ଯାଉଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ଯଦିଓ ହ୍ରାସ ପାଇଛି ଏହା କିନ୍ତୁ ୧୯୦୬ରେ ପହଞ୍ଚିଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାପାଇଁ ସବୁ ସ୍ତରରେ କୋଭିଡ ନିୟମ ମାନିବାକୁ ନିବେଦନ କରାଯାଉଥିବାବେଳେ ମେଳା ଏବେ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟିକରୁଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here