Home Industry ନାଲକୋ ସଂପ୍ରସାରଣ ପାଇଁ ବାଟ ଫିଟିଲା

ନାଲକୋ ସଂପ୍ରସାରଣ ପାଇଁ ବାଟ ଫିଟିଲା

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ ଲେଖିଥିବା ପତ୍ରର ଉତରରେ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହାଦ୍ୱାରା ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

ଗତ ଜାନୁଆରୀ ୪ରେ ଅନୁଗୁଳ ନାଲକୋ ଆଲୁମିନିୟମ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଶ୍ରୀ ପ୍ରଧାନ ପତ୍ର ଲେଖିଥିଲେ । ଏହାର ପ୍ରତିଉତରରେ ଶ୍ରୀ ଯୋଶୀ ପତ୍ର ଲେଖି ନାଲକୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ ଏହି ପ୍ରକଳ୍ପ କମ୍ପାନୀର କ୍ଷମତା ସଂପ୍ରସାରଣ ପ୍ରକଳ୍ପରେ ପରିସରଭୃକ୍ତ ରହିଛି ବୋଲି କହିଛନ୍ତି ।

ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରକଳ୍ପର ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ (ଡିିଆର) ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରଣାଳୟ ସବୁ ପଦକ୍ଷେପ ନେଉଅଛି । ଏହି ସଂପ୍ରସାରଣ ପ୍ରକଳ୍ପ ଦେଶ ଏବଂ ରାଜ୍ୟର ବିକାଶରେ ସହାୟକ ହେବ ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜାନୁଆରୀ ୪ ତାରିଖରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ପତ୍ର ଲେଖି ଉଲ୍ଲେଖ କରିଥିଲେ ଯେ ନାଲକୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସେମାନଙ୍କ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ପାଇଁ ଏକ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି । ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି ।

ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ । ଏହା ମଧ୍ୟରୁ ଆଲୁମିନାର ବାର୍ଷିକ କ୍ଷମତା ୩.୧ ମିଲିୟନ ଟନ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ ଟନ୍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି ।

ଅନୁଗୁଳରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ନାଲକୋର ଆଲୁମିନିୟମ୍ ସ୍ମେଲଟର ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଥିଲେ । ସେହିରି ଅନୁଗୁଳ ଜିଲ୍ଲାର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ଆରମ୍ଭ କରିବାକୁ ପତ୍ରରେ ସେ ପ୍ରସ୍ତାବ ଦେଇଥିଲେ । ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ।