Home Agriculture ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ମାଟି ପ୍ରକୃତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ମଣିଷ ତଥା ସଂପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷାର ଏକାନ୍ତ ପ୍ରୟୋଜନ ରହିଛି । ଏହି ପରିପ୍ରେକ୍ଷୀରେ ମୃତ୍ତିକାର ସ୍ୱାସ୍ଥ୍ୟଗତ ପରିଚାଳନା ଆଜିର ଆହ୍ୱାନ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।

ଆଜି କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଲେ ଯେ ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ବିଷୟ‘ମାଟି ଖାଦ୍ୟର ଜନନୀ’ ରଖାଯାଇଛି । ମାଟିର ଗୁଣାତ୍ମକ ମାନର ଅବକ୍ଷୟ, ଏହାର ମଣିଷ ସମାଜ ଓ ଜୀବଜଗତ ଉପରେ ପ୍ରଭାବ ଓ ଏହାର ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ କୃଷକ ତଥା ଜନସାଧାରଣଙ୍କୁ ସଚେତନ କରାଇବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ମାଟିର ଜୈବିକ ଗୁଣାବଳୀ କମିଯିବା ଯୋଗୁଁ ଉର୍ବରତା ମଧ୍ୟ ହ୍ରାସ ପାଇଛି ।

ମୃତ୍ତିକା ସଂପଦ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନଗୁଡ଼ିକର ସଫଳ ପରିଚାଳନା କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ମୃତ୍ତିକାର ଅବକ୍ଷୟ, ସଘନ ଚାଷ, ପ୍ରଦୂଷଣ, ଅସନ୍ତୁଳିତ ସାର ଓ କୀଟନାଶକ ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ଆଦି ଯୋଗୁଁ ମୃତ୍ତିକାର ସ୍ୱାସ୍ଥ୍ୟରେ ଅବନତି ଦେଖାଯିବା ଓ ମୃତ୍ତିକାର ସୁପରିଚାଳନା କରି ଆବଶ୍ୟକମତେ ନିରନ୍ତର ଫସଲ ଉତ୍ପାଦନ କରିବା ଆବଶ୍ୟକ ।

ମୃତ୍ତିକା ସଂରକ୍ଷଣ ସହିତ ଜୈବିକ କୃଷି ଓ ଫସଲର ବିବିଧକରଣ ମାଧ୍ୟମରେ ଖାଦ୍ୟ ନିରାପତ୍ତା ସହିତ ପରିବେଶ ସୁରକ୍ଷା କରାଯାଇପାରିବ । ମାଟିର ଉର୍ବରତାର ସଠିକ ନିରୂପଣ, ମାଟିର କିସମ ଓ ଗୁଣ ନିର୍ଣ୍ଣୟ ଏବଂ ସମସ୍ୟାବହୁଳ ମାଟିର ସଂଶୋଧନ ନିମନ୍ତେ ବିଭାଗ ପକ୍ଷରୁ ବିନାମୂଲ୍ୟରେ ମୃତ୍ତିକା ପରୀକ୍ଷା କରାଯାଉଛି ବୋଲି ଡ. ପାଢ଼ୀ କହିଥିଲେ । ମୃତ୍ତିକା ପରୀକ୍ଷା କରି ଅନୁମୋଦିତ ସାର ଏବଂ କମ୍ପୋଷ୍ଟ ଖତ ଓ ଜୈବସାରର ସଠିକ୍‌ ମାତ୍ରାରେ ପ୍ରୟୋଗ ଫଳରେ ଫସଲ ଅମଳରେ ଆଶାନୁରୂପ ବୃଦ୍ଧି ପାଇବ ବୋଲି ଡ. ପାଢ଼ୀ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ କହିଲେ ଯେ ଜଳବାୟୁର ବ୍ୟାପକ ପରିବର୍ତ୍ତନ ଯୋଗୁଁ ମୃତ୍ତିକା ଓ ଜଳସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ଗବେଷଣା କରାଯାଉଛି ଓ ସଂପ୍ରସାରଣ ସେବା ମାଧ୍ୟମରେ ଚାଷୀମାନଙ୍କୁ ଏ ବିଷୟରେ ଆବଶ୍ୟକ ପରାମର୍ଶ ଦିଆଯାଉଛି ବୋଲି ଡ. ରାଉଳ କହିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କହିଲେ ଯେ ରାସାୟନିକ ସାର ସହିତ ଜୈବିକ ସାରର ଉପଯୁକ୍ତ ସମ୍ମିଶ୍ରଣ ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ ହିତକର ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଡିସେମ୍ବର ୫ ତାରିଖରେ ପ୍ରତିବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ ଓ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ବ୍ୟବହାର ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ମୃତ୍ତିକା ଓ ଜଳ ସଂରକ୍ଷଣ ତଥା ଜଳଛାୟାର ଉପଚାର, କ୍ଷେତ ପୋଖରୀ ଓ ସମନ୍ୱିତ କୃଷି ଅବଲମ୍ବନ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ବିଭାଗ ପକ୍ଷରୁ ୧୫ ଜଣ ଅଗ୍ରଣୀ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସହ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୃତ୍ତିକା ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାସ୍ତରରେ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ବୈଷୟିକ ଅଧିବେଶନରେ ମୃତ୍ତିକା ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ସଂପର୍କରେ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏବଂ ଓୟୁଏଟିର ବିଶେଷଜ୍ଞ ଓ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ ଶ୍ରୀ ନଗେନ୍ଦ୍ର କୁମାର ମଲ୍ଲିକ ପରିଚାଳନା କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ କୃଷିଭବନଠାରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଉତ୍ସବରେ ମୃତ୍ତିକା ସୁରକ୍ଷା ସମ୍ବନ୍ଧୀୟ ଦୁଇଟି ଭିଡିଓ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଇସା ଫାଉଣ୍ଡେସନର ସେ୍ୱଚ୍ଛାସେବୀ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।