Home Culture ଶେଷ ଦିନରେ ମନ ମୋହିଲା କୁଚିପୁଡ଼ି

ଶେଷ ଦିନରେ ମନ ମୋହିଲା କୁଚିପୁଡ଼ି

କୋଣାର୍କ : ପାଞ୍ଚଦିନ ବ୍ୟାପୀ ଆୟୋଜିତ କୋଣାର୍କ ଉତ୍ସବ ଆଜି ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ସହିତ କୁଚିପୁଡ଼ି ନୃତ୍ୟର ବଳିଷ୍ଠ ଉପସ୍ଥାପନାରେ ଉଦ୍‍ଯାପିତ ହୋଇଛି । ବିଶ୍ୱ ଏ୍ୟୌତିହ୍ୟର ସ୍ମାରକୀ କୋଣାର୍କ ମନ୍ଦିରର ପାଦ ଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଅନ୍ତିମ ସଂଧ୍ୟାରେ ପ୍ରଥମ କାର୍ଯ୍ୟକ୍ରମଟି ଥିଲା ଓଡ଼ିଶି ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ୱାଇଁ ଓ ସାଥୀଶିଳ୍ପୀମାନେ ।

ସେମାନଙ୍କର ପ୍ରଥମ ପ୍ରସ୍ତୁତିଟି ଥିଲା ସୂର୍ଯ୍ୟ ବନ୍ଦନା – ଭଗବାନ ସୂର୍ଯ୍ୟ ହେଉଛନ୍ତି ଅସ୍ତିତ୍ୱର ଏକମାତ୍ର କାରଣ ଏବଂ ସମସ୍ତ ଶକ୍ତିର ଉତ୍ସ, ତାଙ୍କ ରଥରେ ଥିବା ୭ଟି ଘୋଡ଼ା ୭ଟି ଆଲୋକର ପ୍ରତୀକ ସପ୍ତାହର ସାତ ଦିନ ଏବଂ ତାଙ୍କର ଦିନ ଚକ୍ର ମାନବଜାତିର ଜୀବନଚକ୍ରକୁ ପ୍ରତିପାଦିତ କରେ । ଏହି ନୃତ୍ୟରେ ଜୀବନ ହେଉଛି ସୂର୍ଯ୍ୟ ଓ ସୂର୍ଯ୍ୟ ହେଉଛି ଜୀବନ ଯାହା ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ପର୍ଯ୍ୟବେସିତ ଥିଲା । ନିତ୍ୟାନନ୍ଦ ମିଶ୍ର ଏହି ନୃତ୍ୟ କାର୍ଯ୍ୟକ୍ରମଟିର ରଚନା କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ବାରିକ୍‍ ।

ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ପଲ୍ଲବୀ ଯାହା ରାଗ ବକୁଳଭୈରବୀ ଓ ତାଳ ଏକତାଳୀ ଉପରେ ନିବଦ୍ଧ ଥିଲା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । ସେମାନଙ୍କର ଅନ୍ତିମ ପରିବେଷଣଟି ଥିଲା ଶଢରିପୁ – ଶାସ୍ତ୍ର କହେ ନିଜ ଭିତରେ ଥିବା ଶତୃ ଯଥା କାମ, କ୍ରୋଦ୍ଧ, ଲୋଭ ଓ ମୋହକୁ ପରାସ୍ତ କରିବା ହେଉଛି ସୁଖ ବା ପରିତ୍ରାଣ ପ୍ରାପ୍ତିର ମାର୍ଗ, ଯାହା ରାଗ-ରାଗମାଳିକା ଓ ତାଳ-ତାଳମାଳିକା ଉପରେ ନିବଦ୍ଧ ଥିଲା । ଏହି ପ୍ରସ୍ତୁତିଟିର ସଙ୍ଗୀତ ସଂଯୋଜନା ଗୁରୁ ମାତୃ ପ୍ରସାଦ ଦାସ ଓ ବାଦ୍ୟ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ କରିଥିଲେ । ସମସ୍ତ ନୃତ୍ୟର ସଂରଚନା କରିଥିଲେ ନିଜେ ଗୁରୁ ପ୍ରଭାତ କୁମାର ସ୍ୱାଇଁ ।

ଅନ୍ତିମ ସଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମଟି ଥିଲା କୁଚିପୁଡ଼ି ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ଶିବାମୋହନମ୍‍ ଅନୁଷ୍ଠାନର ଗୁରୁ ଜୟକିଶୋର ମୋସାଲିକାନ୍ତି ଓ ସାଥୀ ଶିଳ୍ପୀମାନେ । ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ତରଙ୍ଗମ୍‍ ଯାହାକି କୁଚିପୁଡ଼ି ସଙ୍ଗୀତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତରଙ୍ଗମ୍‍ ହେଉଛି ଶ୍ରୀ ନାରାୟଣ ତେରଥାଙ୍କ ଦ୍ୱାରା ଶ୍ରୀକୃଷ୍ଣ ଲୀଳା ତରଙ୍ଗିନୀଙ୍କ ଅଧ୍ୟାୟରୁ ନିଆଯାଇଥିବା ଏକ ଶବ୍ଦ । ଏହି ନୃତ୍ୟକୁ ଶିଳ୍ପୀମାନେ ପିତ୍ତଳ ଥାଳି ଉପରେ ଛିଡ଼ାହୋଇ ବାଦ୍ୟ ସହିତ ତାଳରେ ନୃତ୍ୟ କରିଥାନ୍ତି । ଅନ୍ତିମ ପରିବେଷଣଟି ଥିଲା ଥିଲାନା – ଅଧିକାଂଶ ଦକ୍ଷିଣ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏକ ଶୁଦ୍ଧ ନୃତ୍ୟ ପର୍ଯ୍ୟାୟର ଗତିବିଧିକୁ ନେଇ ପର୍ଯ୍ୟବସେିତ ହୋଇଥାଏ । ଥିଲାନା ହେଉଛି ଏଭଳି ଏକ ନୃତ୍ୟର ଉଦାହରଣ ଯାହା ରାଗ କଲ୍ୟାଣୀ ଓ ଆଦିତାଳ ଉପରେ ନିବଦ୍ଧ ।

ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆଜି ଉଦ୍‍ଯାପନ ହୋଇଥିଲା । ଅନ୍ତିମ ଦିନରେ ଆଦିବାସୀ ସଂସ୍କୃତି ଓ ବିଶ୍ୱ ଶାନ୍ତି ଉପରେ ବାଲୁକା କଳା ପ୍ରଦର୍ଶୀତ ହୋଇଥିଲା ଯାହାକୁ ଦର୍ଶକ ବହୁମାତ୍ରାରେ ଉପସ୍ଥିତ ରହି ଉପଭୋଗ କରିଥିଲେ ।

ଉଦ୍‍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧକ୍ଷ ଡଃ ଲେନିନ୍‍ ମହାନ୍ତି; ଇଷ୍ଟ କୋଷ୍ଟ ରେଲୱେର ମୁଖ୍ୟ ସୁରକ୍ଷା ଅଧିକାରୀ ପିବିଏସ୍‍ ସାନ୍ଥାରାମ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ବିଶ୍ୱଜିତ୍‍ ରାଉତରାୟ ।

ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ନାଜିଆ ଆଲମ୍‍ଙ୍କ ସଂଯୋଜନା ସହିତ ମଞ୍ଚ ପରିଚାଳନାରେ ସହଯୋଗ ରଖିଥିଲେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଓ ଡଃ ସଂଗୀତା ଗୋସାଇଁ । ପରିଶେଷରେ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ତଥା କୃତୀ ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଏହି ପାଞ୍ଚଦିନ ବ୍ୟାପି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।