Home Health ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ ୬ ସୂତ୍ରୀ ପରାମର୍ଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍‌ସିଂ ଜରିଆରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ୬ ସୂତ୍ରୀ ପରାମର୍ଶ ଦେଇଛନ୍ତି ।

ସାରା ରାଜ୍ୟରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ କୋଭିଡ କେୟାର ସେଣ୍ଟର ସ୍ଥାପନ । ଯେତେଦୂର ସମ୍ଭବ ସର୍ବାଧିକ ସଂଖ୍ୟାରେ ଶଯ୍ୟା ଗୁଡିକରେ ଅକ୍‌ସିଜେନ ବ୍ୟବସ୍ଥା ରଖାଯାଉ।

ଅକ୍‌ସିଜେନ ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉ। ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ  ଭଲ ଭାବରେ ତଦାରଖ କରାଯାଉ ଏବଂ ହସ୍‌ପିଟାଲ ଗୁଡିକରେ ଏଥିପାଇଁ ସମସ୍ତ ଆବଶ୍ୟକ ଉପକରଣକୁ ପ୍ରାଥମିକତା ଭିତ୍ତିରେ ଉପଲବ୍‌ଧ କରାଯାଉ।

ଅନେକ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଛି । ଯଦିଓ ବର୍ତ୍ତମାନ ଆମର ମେଡିସିନ୍‌ ଷ୍ଟକ୍‌ ଯଥେଷ୍ଟ ରହିଛି, ତଥାପି ଆଗକୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଔଷଧର ଏକ ବଫର ଷ୍ଟକ୍‌ ରଖାଯାଉ ।

ସଚେତନତା ଅଭିଯାନରେ ଅଧିକ ଉନ୍ନତି ଅଣାଯିବା ଉପରେ ଗୁରୁତ୍ୱ ।ଜନସାଧାରଣ ଦ୍ବିତୀୟ ଲହରର ଭୟାବହତା ସଂପର୍କରେ ସଚେତନ ହେବା ଜରୁରୀ ଏବଂ କୋଭିଡ ନିୟମାବଳୀକୁ ମାନିବା କେତେ ଜରୁରୀ, ସେ ସଂପର୍କରେ ଅନୁଭବ କରିବା ଦରକାର ।

ଜନସାଧାରଣଙ୍କ ସହିତ ମିଶନ ଶକ୍ତି ଏବଂ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉ। ସମସ୍ତ କୋଭିଡ ନିୟମାବଳୀ ଦୃଢ ଭାବରେ ଲାଗୁ କରିବା କାର୍ଯ୍ୟକ୍ରମ ଜାରି ରହିବା ଜରୁରୀ।

ଅନ୍ୟ ରାଜ୍ୟରେ ଯେଉଁଠାରେ   କୋଭିଡ ପରିସ୍ଥିତି ସାଂଘାତିକ ରହିଛି, ସେଠାରୁ ପ୍ରବାସୀମାନେ ଆସିବାର ସମ୍ଭାବନା ଅଛି ।

ତେଣୁ ଏଥିପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ଆବଶ୍ୟକ। ପୂର୍ବରୁ ଯେଉଁ ପ୍ରୋଟୋକଲ୍‌ ଅନୁଯାୟୀ ପ୍ରବାସୀଙ୍କ ଆଗମନ ପରିଚାଳନା କରାଯାଉଥିଲା, ତାକୁ ବର୍ତ୍ତମାନର ଡାଟାବେସ୍‌ ଅନୁଯାୟୀ ପୁନର୍ବାର କାର୍ଯ୍ୟକାରୀ କରାଯାଉ । ପ୍ରବାସୀମାନଙ୍କ ପାଇଁ ଟେଷ୍ଟିଂ ଓ ସଂଗରୋଧର ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।

ଏଥିପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ ପରିଦର୍ଶକ ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ଓ ଅନ୍ୟ ଅଧିକାରୀମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ଉଦ୍ୟମ ଜାରି ରଖନ୍ତୁ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ମୁକାବିଲାକୁ ଜୋରଦାର କରାଯିବ । ମାସ୍କ ବ୍ୟବହାର ସହିତ ସମସ୍ତ କୋଭିଡ ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରାଯିବ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ବଭିନ୍ନ ରାଜ୍ୟର ପରିସ୍ଥିତି ଓ ଓଡିଶାର ପରିସ୍ଥିତି ସଂପର୍କରେ ଏକ ତୁଳନାତ୍ମକ  ଉପସ୍ଥାପନା  ପ୍ରଦାନ କରିଥିଲେ ।  ଦେଶର କୋଭିଡ ପଜିଟିଭ ସଂଖ୍ୟାର ୧.୮୩ ପ୍ରତିଶତ ଏବେ ଓଡିଶାର ବୋଲି ସେ କହିଥିଲେ । ରାଜ୍ୟରେ ଏବେ ସୁସ୍ଥତା ହାର ୯୨.୧୦ ପ୍ରତିଶତ ରହିଛି ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here