Home News in Odia ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାପରେ ବିବାଦର ଅବସାନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାପରେ ବିବାଦର ଅବସାନ

309
0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ବିଧାୟକମାନେ ଆଜି ନବୀନ ନିବାସ ଯାଇ ଭେଟିବାପରେ ବିଧାନସଭାରେ ଗତ ଛଅ ଦିନ ଧରି ଲାଗି ରହିଥିବା ବିବାଦର ଏକ ପ୍ରକାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୋଜିତ ସର୍ବଦଳୀୟ ବୈଠକପରେ ଆସନ୍ତା କାଲି ଧାନ ସଂଗ୍ରହ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ରଖିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏଥି ସହିତ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ପ୍ରସଙ୍ଗର ତଦାରଖ ସ୍ୱତନ୍ତ୍ର ସ୍ୱାଧିକାର କମିଟି କରିବ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ ଧାନ ସଂଗ୍ରହ ଓ ଗୃହ ମଧ୍ୟରେ ଆତ୍ମହତ୍ୟା ପ୍ରସଙ୍ଗରେ ସୁବାସ ପାଣିଗ୍ରାହୀଙ୍କ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଗତ ୬ଦିନ ଧରି ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବିଧାନସଭାରେ କୌଣସି କାର୍ଯ୍ୟ ହୋଇପାରୁ ନଥିଲା । ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ତିନି ଦଳ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରୁଥିଲେ ।

ତେବେ ଆଜି ବିଜେପି ବିଧାୟକମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଧାନସଭାରୁ ସିଧା ନବୀନ ନିବାସ ପଦଯାତ୍ରାରେ ଯାଇଥିଲେ । ସାଙ୍ଗରେ ବିଜେଡି ବିଧାୟକମାନେ ତାଙ୍କୁ ବାଟ କଢାଇ ନେଇଥିଲେ । ବିଜେପି ସଦସ୍ୟମାନେ ନବୀନ ନିବାସ ନିକଟରେ ପହଞ୍ଚିବାପରେ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଆସି ସେମାନଙ୍କୁ ଭିତରକୁ ପାଛୋଟି ନେଇଥିଲେ । ଭିତରେ ଉପସ୍ଥିତ ବିଜୁ ଜନତାଦଳର ମହିଳା କର୍ମୀମାନେ ଫୁଲ ଚନ୍ଦନ ଦେଇ ବିଜେପି ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଶଙ୍ଖନାଦ ମଧ୍ୟ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ସର୍ବଦଳୀୟ ବୈଠକ ନେଇ ସେ ପ୍ରତିଶ୍ରୁତି ଦେଇଥିବା ବିଜେପି ସଦସ୍ୟମାନେ ସୂଚନା ଦେଇଥିଲେ । ଏହାପରେ ବିଜେପି ସଦସ୍ୟମାନେ ବିଧାନସଭାକୁ ଫେରିଥିବାବେଳେ ବାଚସ୍ପତି ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ।

ତେବେ ଗୃହ ଅଚଳ ଘଟଣାରେ ଆଜି କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ସର୍ବଦଳୀୟ ବୈଠକ ପରେ ଛଅଦିନ ଧରି ଗୃହ ଅଚଳ ଅବସ୍ଥାର ଅବସାନ ଘଟିବ ବୋଲି ଆଶା ଥିବାବେଳେ ଆସନ୍ତା କାଲି ମନ୍ତ୍ରୀଙ୍କ ବିବୃତ୍ତି ଉପରେ ସବୁ କିଛି ନିର୍ଭର କରୁଛି ।

LEAVE A REPLY

Please enter your comment!
Please enter your name here