Home Culture ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ

ଭୁବନେଶ୍ୱର : ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଠାରୁ ଆରମ୍ଭ ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହାକୁ ଉଦ୍‍ଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଓ ଓଡ଼ିଶା ପର୍ଯ‎୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ ପରିବେଶିତ ଶିବ ସୁରକ୍ଷା ମନ୍ତ୍ରରୁ । ବୃନ୍ଦଗାନରେ ସେମାନେ ପ୍ରସ୍ତୁତ କରିଥିଲେ ଶିବ ବନ୍ଦନା ଓଁ ନମଃ ଶିବାୟ । ଏହି ସମବେତ ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଥିଲେ ନିଜେ ମହେଶ୍ୱର ରାଓ ।

ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଶଣ । ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଶିବସ୍ତୁତି ପୁଷ୍ପାଞ୍ଜଳୀରେ ମଙ୍ଗଳାଚରଣ ପରେ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ରାମାୟଣରୁ ଉଦ୍ଧୃତ ଅଭିନୟ ଶବରୀ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ ।

ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍‍ଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ ଅଭିନୟ ଶ୍ରୀରାମସ୍ତୁତି ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ଶ୍ରୀ ପଦୀପ କୁମାର ଦାସ । ଶେଷ କାର୍ଯ୍ୟକ୍ରମ ଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଶିଲ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ।

ସେମାନନେ ପ୍ରଥମେ ମଙ୍ଗଳାଚରଣରେ ଶ୍ରୀଗଣେଶ ପରେ ପରେ ରାଗ କ୍ଷୀରବାଣୀ ପଲ୍ଲବୀ ଏବଂ ଶେଷରେ ଅଭିନୟ ଶକ୍ତି ପରିବେଶଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ ଏବଂ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ । ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ସମସ୍ତ ନୃତ୍ୟ କାର୍ଯ୍ୟକ୍ରମର ଆଲୋକ ପରିଚାଳନା କରିଥିଲେ ଦେବୀ ପ୍ରସାଦ ମିଶ୍ର ।

ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି; ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ଉଦ୍‍ଘାଟନୀ ସଂଧ୍ୟାରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ଇ. ଶ୍ରୀନିବାସ ଘଟୁଆରୀ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଧ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।