Home General ମୁକ୍ତା ପ୍ରଶିକ୍ଷକଙ୍କୁ ତାଲିମ୍ 

ମୁକ୍ତା ପ୍ରଶିକ୍ଷକଙ୍କୁ ତାଲିମ୍ 

ଭୁବନେଶ୍ୱର : ରାଜ୍ୟର ୧୧୫ଟି ପୌରସଂସ୍ଥା ରେ ୫-ଟି ଆଧାରରେ ସହରାଞ୍ଚଳ ମଜୁରୀ ଭିତ୍ତିକ ନିୟୋଜନ ଯୋଜନା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟକାରୀ ହେଉଅଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ଅର୍ବାନ ମ୍ୟାନେଜମେଣ୍ଟ୍ ସେଣ୍ଟରର ସହଭାଗିତାରେ ମୁକ୍ତା ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କୋଭିଡ ମହାମାରୀ ସମୟରେ ସହରାଞ୍ଚଳ ଗରିବ ଶ୍ରେଣୀର ଲୋକ ଏବଂ ପ୍ରବାସୀ ଶ୍ରମିକ ମାନଙ୍କର ଦୁର୍ବଳ ଅର୍ଥନୈତିକ ପରିସ୍ଥିତିକୁ ସୁଦୃଢ କରିବା ନିମନ୍ତେ ୧୮ ଏପ୍ରିଲ ୨୦୨୦ ରେ ମୁକ୍ତା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହାକି  ଗୋଷ୍ଠୀ ଦ୍ଵାରା ପରିଚାଳିତ ଏବଂ ପ୍ରଭାବଶାଳୀ ସହରାଞ୍ଚଳ ଜୀବିକା ପଦକ୍ଷେପ ଭାବେ ଉଭା ହୋଇପାରିଛି ।

ଓଡିଶା ସରକାର ମୁକ୍ତା ଯୋଜନାରେ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘ ସମୂହର ନିୟୋଜନକୁ ପ୍ରାଧାନ୍ୟତା ଦେଇଆସିଛନ୍ତି । ରାଜ୍ୟର ୧୧୫ ଟି ପୌରସଂସ୍ଥାର ୨୦୫୫ ୱାର୍ଡରେ ୱାର୍ଡରେ ପ୍ରକଳ୍ପ ଗୁଡିକ ଚିହ୍ନଟିକରଣ କରି ସ୍ୱଳ୍ପ ବ୍ୟୟରେ ପରିବେଶ ଅନୁକୂଳ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ମିଶନ ଶକ୍ତି ଗୋଷ୍ଠୀକୁ ସଶକ୍ତିକରଣ କରାଯାଇଅଛି ।

ଗତ ୩ ବର୍ଷ ମଧ୍ୟରେ ୭୫୬ କୋଟି ଟଙ୍କା ବ୍ୟୟରେ ପାଖାପାଖି ୫୨,୫୦୦ ପ୍ରକଳ୍ପ ନିର୍ମାଣ କରାଯାଇଅଛି । ଏଥିରେ ପାଖାପାଖି ୬ ଲକ୍ଷ ସହରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକ ମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇ ୬୨ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଅଛି । ସେମାନଙ୍କୁ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ମହିଳା ହିତାଧିକାରୀ । ଏହି ଯୋଜନା ଅଧୀନରେ ପ୍ରାୟ ୨୬୦ କୋଟି ଟଙ୍କାର ଦେୟ ମଜୁରୀ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଅଛି । ପ୍ରାୟ ୧୮୫୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ / ବସ୍ତି ବାସିନ୍ଦା ସଂଘ ଏହି ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ସଂପାଦାନ ନିମନ୍ତେ ଗୋଷ୍ଠୀ ସହଭାଗୀ ହିସାବରେ କାର୍ଯ୍ୟ କରି ତଦାରଖ ଦେୟ ବାବଦକୁ ପାଖାପାଖି ୨୬ କୋଟି ଟଙ୍କା ଗ୍ରହଣ କରିଛନ୍ତି ।

ରାଜ୍ୟର ୧୧୫ ପୋରସଂସ୍ଥାର ସମସ୍ତ ୩୬୦ ଜଣ ମୁକ୍ତା ପ୍ରଫେସନାଲ୍ ଏବଂ ୬୫ ଡୁଡା ଏକ୍ସପର୍ଟ ମାନଙ୍କୁ ମାଷ୍ଟର ଟ୍ରେନର ଭାବେ ଚିହ୍ନଟ କରାଯାଇଛି | ଏହି ମାଷ୍ଟର ଟ୍ରେନର ମାନେ ୧୧୫ ଟି ପୌରସଂସ୍ଥା ର  ପ୍ରାୟ ୧୦୦୦୦  ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସମୂହକୁ ମୁକ୍ତା ଅଧୀନରେ ବିଭିନ୍ନ ପ୍ରକଳ୍ପକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବାକୁ ଆଗାମୀ ଦିନରେ ତାଲିମ୍ ପ୍ରଦାନ କରିବେ ।

୧୧୫ ଟି ପୌରସଂସ୍ଥାର ୨୦୫୫ ଟି ୱାର୍ଡ ରେ  ପ୍ରତି ବ୍ୟାଚ୍ ପିଛା ୪୦ ରୁ ୫୦ ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଧା ସଂଘ ସଦସ୍ୟ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ ।  ଦକ୍ଷତା ବିକାଶ କାର୍ଯ୍ୟକ୍ରମ ର ସୁଗମ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟର ୧୧୫ଟି ପୌରସଂସ୍ଥା କୁ ୧୨ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ କ୍ଲଷ୍ଟର ର ୧୮ଟି ପୌରସଂସ୍ଥାକୁ ଅନ୍ତର୍ଭୁକ୍ତ କରି ଆଜି ମାଷ୍ଟର ଟ୍ରେନର ମାନଙ୍କର ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଓଡିଶା ଅର୍ବାନ ଏକାଡେମୀ, ଭୁବନେଶ୍ଵର ରେ ଆୟୋଜିତ ଏହି ତାଲିମ୍ କାର୍ଯ୍ୟକ୍ରମ ରେ ସମୁଦାୟ ୬୦ ଜଣ ମୁକ୍ତା ପ୍ରଫେସନାଲ୍ ଏବଂ ଡୁଡା ଏକ୍ସପର୍ଟ ଅଂଶଗ୍ରହଣ କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ମୁକ୍ତାର ନୋଡାଲ ଅଫିସର ସାରଦା ପ୍ରସାଦ ପଣ୍ଡା ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ମୁକ୍ତା ଯୋଜନାର ଏକ ସମୀକ୍ଷା ପ୍ରଦାନ କରିବା ସହ  ଏହାର ସଫଳ କାର୍ଯ୍ୟକାରିତା ପାଇଁ  ମିଶନ ଶକ୍ତି ଗୋଷ୍ଠୀ/ବସ୍ତି ବାସିନ୍ଦା ସଂଘ ସମୂହକୁ କୁ ତାଲିମ୍ ପ୍ରଦାନ ପାଇଁ ମୁକ୍ତା ଟିମ୍ ର ଭୂମିକା ଉପରେ ଆଲୋକପାତ କରିଥିଲେ |

ତାଲିମ୍ କାର୍ଯ୍ୟକ୍ରମର ଶେଷ ଭାଗରେ ପୌର ନିର୍ଦେଶକ ସଂଗ୍ରାମଜିତ୍ ନାୟକ ତାଲିମ୍ ଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନେ ପାଇଥିବା ଜ୍ଞାନକୁ ସହରାଞ୍ଚଳ ଗରିବ ଙ୍କ ବୃହତ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ କହିଥିଲେ । ପିଡି-ଡୁଡା, ଗଞ୍ଜାମ, ସମସ୍ତ ଡେପୁଟି କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ  କରିଥିଲେ।