Home General ମୁକୁଳା ନାଳକୁ ବତା ଭରସା

ମୁକୁଳା ନାଳକୁ ବତା ଭରସା

ଭୁବନେଶ୍ୱର : ବର୍ଷାଋତୁ ପୂର୍ବରୁ ସହରାଞ୍ଚଳରେ ଥିବା ଡ୍ରେନଗୁଡିକୁ ସଫା କରିବା ସହିତ ଖୋଲା ନାଳ ଉପରେ ଢାଙ୍କୁଣି ପକାଇବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଫତୁଆ ଜାରି କରିଥିବାବେଳେ ବିଏମ୍‍ସି କର୍ତ୍ତୃପକ୍ଷ ଖୋଲା ନାଳ ଚାରିକଡେ ଏବେ ବାଉଁଶ ପୋତିବା ସହିତ ବତା ବାନ୍ଧିବାରେ ବ୍ୟସ୍ତ । କାଳେ କିଏ ରାତିରେ ବତାରେ ବାଡେଇ ହୋଇଯିବ ସେଥିପାଇଁ କର୍ତ୍ତୃପକ୍ଷ ବତାରେ ନାଲି ରଙ୍ଗର ରେଡିୟମ ଲଗାଉଛନ୍ତି ।

ରାଜଧାନୀର ଅଧିକାଂଶ ସ୍ଥାନରେ ଡ୍ରେନ ମୁକୁଳା ସହିତ ଆବର୍ଜନା ଜମିଥିବାରୁ ବର୍ଷାଦିନ ପୂର୍ବରୁ ତାହାର ସଫେଇ ପାଇଁ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସମସ୍ତ ପୌରସଂସ୍ଥାକୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଥିଲେ । କିଭଳି ଓ କେଉଁଭଳି କାର୍ଯ୍ୟ ହେବ ତାହାର ବିସ୍ତୃତ ବିବରଣୀ ବି ଦେଇଥିଲେ । କାଳେ କୌଣସି ଠାରେ ଅଘଟଣ ଘଟିବ ସେଥିପାଇଁ ତୁରନ୍ତ ଖୋଲା ନାଳ ଉପରେ ସ୍ଲାବ ବା ଢାଙ୍କୁଣି ପକାଇବାକୁ ବି କୁହାଯାଇଥିଲା ।

ଗୃହ ଓ ନଗର ଉନ୍ନୟନ ବିଭାଗର ତାଗିଦା ପରେ ସମସ୍ତେ ଆଶା କରିଥିଲେ ବର୍ଷାଋତୁ ପୂର୍ବରୁ ରାଜଧାନୀର ଖାଲ ଖମା ଭରିଯିବା ସହିତ ଡ୍ରେନଗୁଡିକ ଉପରେ ଢାଙ୍କୁଣି ପଡିଯିବ । ହେଲେ ବିଏମ୍‍ସି କର୍ତ୍ତୃପକ୍ଷଙ୍କ ଅପାରଗତାରୁ ଖୋଲା ନାଳ ଉପରେ ଏବେ ସ୍ଲାବ ପଡିବା ବଦଳରେ ଚାରିପଟେ ବାଉଁଶ ଓ ବତା ବନ୍ଧା ଯାଇଛି । ଏହି ବାଉଁଶ ଓ ବତାରେ ବିପଦ ଲେଖାଥିବା ପ୍ଲାଷ୍ଟିକ ଫିତା ଗୁଡାଯିବା ସହିତ ରାତିରେ କାଳେ କୌଣସି ଅଘଟଣା ଘଟିବ ସେଥିପାଇଁ ସେଥିରେ ନାଲି ରଙ୍ଗର ରେଡିୟମ ମରାଯାଉଛି ।

ଉଲ୍ଲେଖନୀୟ ଯେ ବର୍ଷାଦିନେ ରାଜଧାନୀର ଖୋଲା ନାଳରେ ପଡି ଏକାଧିକ ଲୋକଙ୍କର ମୃତ୍ୟୁପରେ ଏଗୁଡିକୁ ଘୋଡାଇବାପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଥିଲା । ବିପଦସଙ୍କୁଳ ସ୍ଥାନ ଚିହ୍ନଟ କରିବା ସହିତ ଯେଉଁଠାରେ ଆବଶ୍ୟକ ତୁରନ୍ତ ସ୍ଲାବ ପକାଇବାକୁ କୁହାଯାଇଥିଲା । ହେଲେ ବିଏମ୍‍ସି ଅଧିକାରୀଙ୍କ ଅପାରଗତା ଯୋଗୁଁ ଏହି କାର୍ଯ୍ୟ ହୋଇପାରିଲା ନାହିଁ । ଏବେ ଯେଉଁଭଳି ଭାବେ ରାସ୍ତାକଡରେ ବାଉଁଶ କୀଳା ଓ ବତା ପୋତାଯାଇଛି ସେଥିଯୋଗୁଁ କିଛି ବି ଅଘଟଣ ଘଟିବାରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

କେବଳ ଡ୍ରେନରେ ସ୍ଲାବ ପଡିବା କିମ୍ବା ସଫେଇ ନୁହେଁ ବର୍ଷାଦିନ ପୂର୍ବରୁ ସହରର ମୁଖ୍ୟ ସଡକଗୁଡିକୁ ମରାମତି କରିବାପାଇଁ କୁହାଯାଇଥିଲା । ହେଲେ ରାଜଧାନୀର କେତେକ ସଡକ ଏବେ ବର୍ଷା ସମୟରେ ଯା’ଆସ କରିବା ଅବସ୍ଥାରେ ନାହିଁ । ବର୍ଷା ହେଲେ ଲୋକେ ଘରକୁ ଫେରୁ ନାହାନ୍ତି । ଏଭଳି ଏକ ରାସ୍ତା ରହିଛି ଆର୍ନ୍ତଭାତୀୟ କ୍ରୀଡା ଆୟୋଜନ ହେଉଥିବା କଳିଙ୍ଗ ଷ୍ଟାଡିୟମ ପାଶ୍ୱର୍ରେ ଷ୍ଟାଡିୟମ ଛକରୁ ବେହେରାସାହି ପର୍ଯ୍ୟନ୍ତ ଲମ୍ବିଥିବା ବ୍ୟସ୍ତତମ ରାସ୍ତା । ପ୍ରାୟ ଚାରିବର୍ଷ ଧରି ବର୍ଷାଦିନେ କାଦୁଅ ପଚ ପଚ ହେଉଥିବା ଏହି ରାସ୍ତା ସମସ୍ୟାକୁ ବିଏମ୍‍ସି ବି ସୁଧାରି ପାରୁନାହିଁ । (ତଥ୍ୟ)