Home General ମିଳୁନି ସଡକ ସୁରକ୍ଷା ପାଣ୍ଠି ଖର୍ଚ୍ଚ ସୂଚନା

ମିଳୁନି ସଡକ ସୁରକ୍ଷା ପାଣ୍ଠି ଖର୍ଚ୍ଚ ସୂଚନା

ଭୁବନେଶ୍ୱର : ସଡକ ସୁରକ୍ଷା ପାଣ୍ଠିର ଖର୍ଚ୍ଚର ହିସାବ ସୂଚନା ଅଧିକାର ଆଇନ୍‍ ବଳରେ ମଗାଯାଇଥିଲା । ଏ ବାବଦରେ ଅର୍ଥ ପଇଠ ସତ୍ୱେ ସୂଚନା ନମିଳିବାରୁ ଏବେ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଛି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ।

ସଂଗଠନର ଆବାହକ ଆଇନ୍‍ଜୀବୀ ସୁବ୍ରତ ନନ୍ଦ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ଗତବର୍ଷ ସେପ୍ଟେମ୍ବର ୨୫ତାରିଖରେ ସଡକ ସୁରକ୍ଷା ପାଣ୍ଠିର ଖର୍ଚ୍ଚ ନେଇ ସୂଚନା ଅଧିକାର ଆଇନ୍‍ ବଳରେ ତଥ୍ୟ ମଗାଯାଇଥିଲା । ପରେ ରାଜ୍ୟ ପରିବହନ ପ୍ରାଧିକାରୀଙ୍କ ପକ୍ଷରୁ ଏଥିପାଇଁ ଅର୍ଥ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନୁଯାୟୀ ୩୮୮ ଟଙ୍କା ଦାଖଲ ସତ୍ୱେ ମଧ୍ୟ ପରିବହନ ପ୍ରାଧିକାରୀ ତଥ୍ୟ ପ୍ରଦାନ କଲେ ନାହିଁ ।

ଏହାପରେ ସଂଗଠନ ପକ୍ଷରୁ ପରିବହନ କମିଶନରଙ୍କ ନିକଟରେ ଚଳିତବର୍ଷ ଫେବୃୟାରୀ ମାସରେ ଅପିଲ କରାଯାଇଥିଲା । ହେଲେ ତାହାକୁ କେହି ଶୁଣିଲେ ନାହିଁ । ବାରମ୍ବାର ପତ୍ର ଲେଖିବାପରେ କୌଣସି ଉତ୍ତର ନମିଳିବାରୁ ଏବେ ସଂଗଠନ ରାଜ୍ୟ ସୂଚନା କମିଶନରଙ୍କ ଦ୍ୱାରସ୍ଥ ହୋଇଛି ।

ଶ୍ରୀ ନନ୍ଦ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ରାଜ୍ୟ ସଡକ ସୁରକ୍ଷା ପାଣ୍ଠିରେ ବ୍ୟାପକ ଅନିମିୟତତା ହେବା ସାଙ୍ଗକୁ ଜଣେ ଅଧିକାରୀଙ୍କୁ ଅଧିକ ବେତନରେ ବିନା ସାକ୍ଷାତକାରରେ ନିଯୁକ୍ତି ଦିଆଯାଇଛି । ସେହିଭଳି ଦିଲ୍ଲୀର ଏକ ସଂସ୍ଥାକୁ ଅଡିଟ୍‍ ଲାଗି ବିନାନୁମୋଦରେ କୋଟିଏ ଟଙ୍କା ଫିସ୍‍ ଆକାରରେ ଦିଆଯାଇଛି । ଏ ସଂକ୍ରାନ୍ତୀୟ ତଥ୍ୟ ସୂଚନା ଅଧିକାର ଆଇନ୍‍ ବଳରେ ମଗାଯାଇଥିବାବେଳେ ତାହା ମିଳୁନାହିଁ ।