Home Agriculture ମିଳୁନାହାନ୍ତି ମହୁ ମାଛି

ମିଳୁନାହାନ୍ତି ମହୁ ମାଛି

ଭୁବନେଶ୍ୱର : ଲାଭ ଜନକ ମହୁଚାଷ କରିବାପାଇଁ ରାଜ୍ୟରେ ଆବଶ୍ୟକ ମୁତାବକ ମହୁମାଛି ମିଳୁନାହାନ୍ତି । ଅନ୍ୟ ରାଜ୍ୟରୁ ମହୁମାଛି ଚଢା ଦରରେ କିଣାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଗୋଟିଏ ମହୁମାଛି ନର୍ସରୀ ପ୍ରତିଷ୍ଠା କରିପାରି ନାହାନ୍ତି ।

ମହୁଚାଷ ଏକ ଲାଭଜନକ କୃଷି ହୋଇଥିବାବେଳେ ସରକାର ଏଥିପାଇଁ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ହେଲେ ମହୁ ଉତ୍ପାଦନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହୁମାଛି କିନ୍ତୁ ଆବଶ୍ୟକ ତୁଳନାରେ ଉପଲବ୍ଧ ହେଉନାହାନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରାୟ ହଜାରେ ପର୍ଯ୍ୟନ୍ତ ମହୁଚାଷୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ମହୁମାଛି ଖରିଦ କରୁଛନ୍ତି ।

ମହୁଚାଷୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ସାଧାରଣତଃ ଦୁଇ ପ୍ରଜାତିର ମହୁମାଛି ଚାଷ ହୋଇଥାନ୍ତି । ସେଗୁଡିକ ହେଲା ସପ୍ତଫେଣୀ ଓ ଇଟାଲିଆନ ମେଲିଫେରା । ସପ୍ତଫେଣୀ ଜାତୀୟ ମାଛି ରାଜ୍ୟର ସବୁ ଜଳବାୟୁରେ ରହିପାରୁଥିବାବେଳେ ଇଟାଲିଆନ ମାଛି କିନ୍ତୁ ଥଣ୍ଡା ଅଞ୍ଚଳରେ ରହିଥାନ୍ତି । ସେଥିପାଇଁ ଏହି କିସମର ମାଛି ସାଧାରଣତଃ କୋରାପୁଟ, ରାୟଗଡା, କଳାହାଣ୍ଡି, ସୁନ୍ଦରଗଡ ଭଳି ଜିଲ୍ଲାରେ ଚାଷ ହୋଇଥାନ୍ତି । ଏହି କିସମର ମାଛିଙ୍କୁ ଚାଷୀମାନେ ଅନ୍ୟ ରାଜ୍ୟରୁ ଆମଦାନୀ କରୁଛନ୍ତି ।

ସେହିଭଳି ଓଡିଶା ଜଳବାୟୁରେ ଭଲ ଭାବେ ବଂଶ ବିସ୍ତାର କରିପାରୁଥିବା ସପ୍ତଫେଣୀ ମହୁମାଛି ମଧ୍ୟ ସହଜରେ ମିଳୁନାହାନ୍ତି । ଯେଉଁମାନେ ମହୁଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନେ ଏବେ ବିଭିନ୍ନ ସ୍ଥାନକୁ ଦଉଡା ଦଉଡି କରି ଚଢା ଦରରେ ମାଛି ଖରିଦ କରୁଛନ୍ତି । ଏଥିଯୋଗୁଁ ଆଗ୍ରହ ଥିଲେ ସୁଦ୍ଧା ଅନେକ ଚାଷୀ ମହୁଚାଷପାଇଁ ଆଗଭର ହେଉନାହାନ୍ତି ।

ତେବେ ଦେଶର ଅନ୍ୟାନ୍ୟ ରାଜ୍ୟ ବିଶେଷକରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଜାମ୍ମୁକାଶ୍ମୀର, ତାମିଲନାଡୁ ଆଦିରେ ସରକାରୀ ପ୍ରୋତ୍ସାହନରେ ମହୁମାଛି ନର୍ସରୀ ପ୍ରତିଷ୍ଠା କରାଯାଇ ଚାଷୀଙ୍କୁ ଉନ୍ନତ କିସମର ମହୁମାଛି ଯୋଗାଇ ଦିଆଯାଉଛି । ହେଲେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହା ହୋଇପାରି ନାହିଁ । ସେହିଭଳି ମହୁମାଛିଙ୍କ ବଂଶ ବିସ୍ତାରର ଅନ୍ୟତମ ପ୍ରମୁଖ କୁହାଯାଉଥିବା ରାଣୀ ମହୁମାଛି ପାଇଁ ମଧ୍ୟ କେତେକ ରାଜ୍ୟରେ ‘କୁଇନ୍‍ ନର୍ସରୀ’ ପ୍ରତିଷ୍ଠା କରାଯାଇଛି ।

ସେହିଭଳି ଓଡିଶାରେ ମହୁଚାଷ ବାକ୍ସରୁ ଯେତିକି ‘ୱାକ୍ସ’ ବାହାରୁଛି ପ୍ରକ୍ରିୟାକରଣ ଅଭାବରୁ ତାହାର ମଧ୍ୟ ସଦୁପଯୋଗ ହୋଇପାରୁ ନାହିଁ । ଏହି ୱାକ୍ସରୁ ବିଭିନ୍ନ ପ୍ରକାରର ଔଷଧ, ପ୍ରସାଧନ ସାମଗ୍ରୀ, ଉନ୍ନତ କିସମର ସାବୁନ ଆଦି ଅନ୍ୟ ରାଜ୍ୟରେ ପ୍ରସ୍ତୁତ ହେଉଥିବାବେଳେ ଓଡିଶାରେ କିନ୍ତୁ ଏହି ମୂଲ୍ୟବାନ ସାମଗ୍ରୀ ନଷ୍ଟହୋଇ ଯାଉଛି ।

ତେଣୁ ରାଜ୍ୟରେ ମହୁଚାଷକୁ ପ୍ରୋତ୍ସାହନ ଦେବାପାଇଁ ତୁରନ୍ତ ସରକାରୀ ସ୍ତରରେ ମହୁମାଛି ଓ ରାଣୀ ମହୁମାଛି ନର୍ସରୀ ପ୍ରତିଷ୍ଠାପାଇଁ ମହୁଚାଷ ପାଇଁ ଆଗ୍ରହୀ ଚାଷୀମାନେ ମତ ଦେଇଛନ୍ତି । ଏହା ହୋଇପାରିଲେ ସେମାନେ ଚଢା ଦରରୁ ଅନ୍ୟ ରାଜ୍ୟରୁ ମହୁମାଛି କିଣିବା ପରିବର୍ତ୍ତେ ଅନ୍ୟ ରାଜ୍ୟକୁ ମାଛି ଯୋଗାଇ ଭଲ ଆୟ କରିପାରିବେ ବୋଲି କହିଛନ୍ତି । (ତଥ୍ୟ)