Home General ମିଳିଲାନି ଚିଟ୍‍ଫଣ୍ଡ ଟଙ୍କା

ମିଳିଲାନି ଚିଟ୍‍ଫଣ୍ଡ ଟଙ୍କା

ଭୁବନେଶ୍ୱର : ଚିଟ୍‍ଫଣ୍ଡ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରିବା ସହ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥ ସୁରକ୍ଷା ଲାଗି କମିଶନ ବସାଇବା ଏବଂ ସିବିଆଇ ଓ ଓଡିଶା ପୁଲିସ୍‍ ମାମଲା ରୁଜୁକରି ବ୍ୟାପକ ଅର୍ଥ ବ୍ୟୟ କରିଚାଲିଥିଲେ ମଧ୍ୟ ୧୦ବର୍ଷ ଧରି ଅପେକ୍ଷାରେ ଥିବା ଲକ୍ଷ ଲକ୍ଷ ଜମାକାରୀ ହରାଇଥିବା ଅର୍ଥ ଫେରସ୍ତ ପାଇବାରୁ ନାହାନ୍ତି ।

୨୦୧୦ ମସିହାରେ ଚିଟ୍‍ଫଣ୍ଡ କେଲେଙ୍କାରୀ ପଦାକୁ ଆସିଲା ଏବଂ ଓଡିଶା ପୁଲିସ୍‍ ୨୦୧୮ ମସିହା ସୁଦ୍ଧା ୨୬୬ଟି ବେଆଇନ୍‍ ଆର୍ଥିକ ପ୍ରତିଷ୍ଠାନ ବିରୁଦ୍ଧରେ ୬୬୨ଟି ମାମଲା ରୁଜୁ କରିଥିଲା । ଏହାପରେ ଆଉ କେତେକ ମାମଲା ମଧ୍ୟ ପୁଲିସର ଅର୍ଥନୈତିକ ଅପରାଧ ଶାଖା ହାତକୁ ନେଇଛି । ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୪୪ଟି ଚିଟ୍‍ଫଣ୍ଡ ଦୁର୍ନୀତି ଅଭିଯୁକ୍ତ ସଂସ୍ଥାର ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଛି । ଅବଶ୍ୟ ସିବିଆଇ ଓ ଓଡିଶା ପୁଲିସ୍‍ ଏହି ମହାଦୁର୍ନୀତିରେ କେତେକ ରାଜନେତାଙ୍କ ସମେତ ହଜାରେରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ଇତି ମଧ୍ୟରେ ଜାମିନରେ ଆସି ବାହାରେ ଅଛନ୍ତି । ଅବଶ୍ୟ ଆଉ କେତେକ ମାମଲାରେ ଅଭିଯୁକ୍ତମାନେ ଏବେ ବି ଜେଲ୍‍ରେ ଦିନ କାଟୁଛନ୍ତି । ରୁଜୁ ମାମଲାଗୁଡିକ ମଧ୍ୟରୁ ଅଳ୍ପ କେତୋଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡାଦେଶ ହୋଇଥିବାବେଳେ ସେଥିରୁ ଅଧିକାଂଶ ମାମଲାରେ ସେମାନେ ଉପର ଅଦାଲତକୁ ଯାଇଛନ୍ତି ।

ଇତି ମଧ୍ୟରେ ରାଜ୍ୟ ସରକାର ଚିଟ୍‍ଫଣ୍ଡ ମହାଦୁର୍ନୀତି ସଂକ୍ରାନ୍ତରେ ବିଚାର ବିଭାଗୀୟ ତଦନ୍ତ କମିଶନ ବସାଇ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି । କେବଳ ସେତିକି ନୁହେଁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ୨୦୧୪ ମସିହାରେ ବି ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି । ଇତି ମଧ୍ୟରେ କମିଶନ ରାଜ୍ୟ ସରକାରଙ୍କୁ କେତେଗୁଡିଏ ରିପୋର୍ଟ ପ୍ରଦାନ କରିଛନ୍ତି ।

ଜମାକାରୀମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ୨୦୧୧ରେ ରାଜ୍ୟ ସରକାର ଓବିଆଇଡି ଆକ୍ଟ ଲାଗୁ କରିବା ସହିତ ଲୋକଙ୍କୁ ଠକିଥିବା ସଂସ୍ଥାଗୁଡିକରୁ କେତେକଙ୍କର ସମ୍ପତ୍ତି ବାଜ୍ୟାପ୍ତିଲାଗି ମଧ୍ୟ ପଦକ୍ଷେପ ନେଇଛନ୍ତି । ମାମଲାର ଅନୁସନ୍ଧାନ ସମୟରେ ବିଭିନ୍ନ ସଂସ୍ଥାର ବିପୁଳ ନଗଦ ଅର୍ଥ ସ୍ୱର୍ଣ୍ଣ ଓ ରୌପ୍ୟମୁଦ୍ରା, ଯାନବାହାନ, ଶିଳ୍ପାନୁଷ୍ଠାନ, ଫାର୍ମହାଉସ୍‍, ଫ୍ଲାଟ, ଅଫିସ ଓ ବାସଗୃହ ଓ ପ୍ରାୟ ହଜାରେ ଏକର ଜମି ସମେତ ପାଖପାଖି ୩୦୦ କୋଟି ଟଙ୍କାର ବ୍ୟାଙ୍କ୍‍ ଆକାଉଣ୍ଟ ବି ଜବତ କରାଯାଇଥିଲା ।

ଚିଟ୍‍ଫଣ୍ଡ ମହାଦୁର୍ନୀତି କେଳେଙ୍କାରୀ ସରକାରଙ୍କ ନଜରକୁ ଆସିବାର ଇତି ମଧ୍ୟରେ ୧୦ବର୍ଷ ବିତିଗଲାଣି । କମିଶନ, ତଦନ୍ତକାରୀ ସଂସ୍ଥା ଓ ମାମଲା ପରିଚାଳନା ପାଇଁ ସୁଅ ଭଳି ଟଙ୍କା ଖର୍ଚ୍ଚ ଚାଲିଛି । ତେବେ ସଂଖ୍ୟାଧିକ ଜମାକାରୀ ସୁଧ ତ ଦୂରରକଥା ମୂଳ ଫେରି ପାଇନାହାନ୍ତି । ଇତି ମଧ୍ୟରେ କେତେକ ଜମାକାରୀ ଓ ଏଜେଣ୍ଟଙ୍କର ସ୍ୱାଭାବିକ ଓ ଅସ୍ୱାଭାବିକ ମୃତ୍ୟୁ ହୋଇଗଲାଣି । କେବେ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇବେ ଏବଂ ଏହି ମହାଦୁର୍ନୀତିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ତାହାର ସମୟସୀମା କେହି ଦେଇପାରୁ ନାହାନ୍ତି । (ତଥ୍ୟ)