Home Agriculture ମାର୍ଚ୍ଚ ୧୫ରୁ କୃଷି ଓଡ଼ିଶା ୨୦୨୧

ମାର୍ଚ୍ଚ ୧୫ରୁ କୃଷି ଓଡ଼ିଶା ୨୦୨୧

ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୧୯ତାରିଖ ପର୍ଯ୍ୟନ୍ତ କୃଷି ଓଡ଼ିଶା-୨୦୨୧ ଅନୁଷ୍ଠିତ ହେବ । ଭୁବନେଶ୍ୱରର ବରମୁଣ୍ଡା ଠାରେ ଥିବା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଏହା ପାଞ୍ଚଦିନ ବ୍ୟାପି ଚାଲିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକଫର ଅରୁଣ କୁମାର ସାହୁ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତିକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଗୋଟିଏ ଛାତତଳେ ସବୁ ଅଂଶୀଦାରମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ‘କୃଷି ଓଡ଼ିଶା’ ମାଧ୍ୟମରେ ପ୍ରଦର୍ଶିତ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ୫.୩୦ ମିନିଟ୍‌ ସମୟରେ ଏହାର ଶୁଭ ଉଦ୍‌ଘାଟନ ଏବଂ ମାର୍ଚ୍ଚ ୧୯ ତାରିଖରେ ଉଦ୍‌ଯାପନୀ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷ ‘କୃଷି ଓଡ଼ିଶା’ର ବିଷୟବସ୍ତୁ ‘ସମନ୍ୱିତ ଚାଷ, ଚାଷୀର ବିକାଶ’ ରଖାଯାଇଥିବାବେଳେ ଏହାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ର (ଫିକି)ସହଯୋଗିଗତାରେ ଆୟୋଜନ କରାଯାଉଛି ।

ଚଳିତ ବର୍ଷ ‘କୃଷି ଓଡ଼ିଶା’ର ମାସ୍କଟ ଭାବେ ‘ଛତୁ’ ରଖାଯାଇଛି, ଯାହାକୁ ମନ୍ତ୍ରୀ ଡ. ସାହୁ ଶୁଭ ଉନ୍ମୋଚନ କରିଥିଲେ । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା ୨୦୨୧ର ମାସ୍କଟ ଭାବେ ଚୟନ କରାଯାଇଛି । ସମଗ୍ର ଦେଶରେ ଓଡ଼ିଶା ପାଳଛତୁ ଉତ୍ପାଦନରେ ପ୍ରଥମ ଓ ମୋଟ ଛତୁ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଚଳିତବର୍ଷ ‘କୃଷି ଓଡ଼ିଶା’ରେ ମୋଟ ୧୬୦ ଟି ମଣ୍ଡପ ପ୍ରଦର୍ଶିତ ହେବ । ଚଳିତ ବର୍ଷ କୃଷି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେଉଛି ୧୦ଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା ଚକ୍ର । ଏହି ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥି ସହିତ ୩୦ଟି ଜିଲ୍ଲାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ମାଧ୍ୟମରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ରହିଛି ।

ସମସ୍ତ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯିବ । ‘କୃଷି ଓଡ଼ିଶା’ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରାଯାଇ ଆୟୋଜନ କରାଯିବ ବୋଲି ଡ. ସାହୁ କରିଥିଲେ । କୃଷି ଓଡ଼ିଶାର ମହାର୍ଘ ଅନୁଭୂତି ଓ ପ୍ରେରଣା ଚାଷୀ ଓ ଯୁବବର୍ଗଙ୍କ ପାଇଁ ଏକ ଆଲୋକବର୍ତ୍ତିକା ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ସାମ୍ବାଦିକ ସମ୍ମିନଳୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁ କୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।