Home News in Odia ମାର୍ଚ୍ଚରେ ତିନି ଦଳ ତତ୍ପର

ମାର୍ଚ୍ଚରେ ତିନି ଦଳ ତତ୍ପର

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ବିଜେଡି ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପାଳନ କରିବାକୁ ଯାଉଥିବାବେଳେ ବିଜେପିର ଜନ୍ମଦିନ ଏପ୍ରିଲ ୬ରେ ଭାରତୀୟ ଜନତାପାର୍ଟି ତାହାର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଭୁବନେଶ୍ୱରରେ ଡାକୁଛି । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଏହି ଦୁଇ ଦଳ ଛକାପଞ୍ଝା ରାଜନୀତି ଚଳାଇଥିବାବେଳେ ଉତ୍କଳ ପ୍ରଦେଶ କଂଗ୍ରେସ ଗଠନର ଶତବାର୍ଷିକୀ ପାଳନ କରି କଂଗ୍ରେସ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି ।

ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ତିନି ପ୍ରମୁଖ ରାଜନୈତିକଦଳ ବିଜେପି, ବିଜେଡି ଓ କଂଗ୍ରେସ ସମରସଜ୍ଜା କରିବାରେ ବ୍ୟସ୍ତ । ତେବେ ଏହି ତିନି ଦଳରୁ କିଏ କିଏ ପ୍ରାର୍ଥୀ ହେବେ ତାହା ଏଯାବତ୍‍ ସ୍ଥିର ହୋଇନାହିଁ । ଏ ପରିପ୍ରେକ୍ଷୀରେ ଆଶାୟୀମାନେ ନିର୍ବାଚନମଣ୍ଡଳୀରେ ଚକ୍କର ମାରିବା ସହ ନେତାମାନଙ୍କ ଘରେ ଡେରା ପକାଉଛନ୍ତି ।

ସବୁବର୍ଷ ବିଜୁ ବାବୁଙ୍କ ଜନ୍ମଦିନକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରନ୍ତି ଏବଂ ଏହି ଅବସରରେ ରାଜଧାନୀରେ ବଡ ଧରଣର ସମାବେଶ ହୋଇଥାଏ । ସାରା ରାଜ୍ୟର ପଞ୍ଚାୟତିରାଜ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସରକାରୀ ଅଧିକାରୀମାନେ ମଧ୍ୟ ଏହି ସମାବେଶରେ ଯୋଗଦେଇ ଥାନ୍ତି । ତେବେ କରୋନା ଲେଉଟାଣି ଭୟରେ ଏବର୍ଷ ପଞ୍ଚାୟତିରାଜ ଦିବସକୁ କ୍ଷେତ୍ର ସ୍ତରରେ ପ୍ରତିପାଳନ କରାଯିବ । ଏଥିଲାଗି ଭୁବନେଶ୍ୱରରେ ସେମିତି କିଛି ବଡ ଧରଣର ସମାବେଶ ହେବନାହିଁ ।

ତେବେ ବିଜେଡିର କର୍ମୀ ଓ ନେତାମାନେ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପ୍ରତିପାଳନ କରି ସାଂଗଠନିକ ସ୍ଥିତିକୁ ସୁଦୃଢ କରିବେ । ଏଥିଲାଗି ଦଳର ବିଧାୟକ, ମନ୍ତ୍ରୀ ଓ ଅନ୍ୟ ପଦାଧିକାରୀମାନେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ।

ଅନ୍ୟପଟେ ୧୯୮୦ ଏପ୍ରିଲ ୬ତାରିଖରେ ଦିଲ୍ଲାରେ ଏକ ସମାବେଶରେ ବିଜେପି ଜନ୍ମ ନେଇଥିବା ପରିପ୍ରେକ୍ଷୀରେ ସବୁ ରାଜ୍ୟରେ ଦଳ ପକ୍ଷରୁ ଏହି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହି ଅବସରରେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସମାବେଶରେ ବିଜେପି ନେତାମାନେ ସମ୍ମିଳିତ ହେବେ ଓ ତତ୍ପରଦିନ ଦଳର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ସହ ରାଜନୈତିକ ପ୍ରସ୍ତାବ ମଧ୍ୟ ଆଗତ ହେବାର ଅଛି ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ପ୍ରଥମ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ, ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଗସ୍ତ ଓ ଅସହଯୋଗ ଆନ୍ଦୋଳନର ଶତବାର୍ଷିକୀ ପାଳନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଇତି ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କ ସହିତ ପ୍ରଦେଶ କଂଗ୍ରେସ ନେତୃବୃନ୍ଦଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରେ ସ୍ୱାଧୀନତାପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ପାଳନ କରାଯିବାକୁ ଥିବାବେଳେ କଂଗ୍ରେସ ଏହି ପ୍ରତିପାଳନ ମାଧ୍ୟମରେ ନିଜର ଦୁର୍ବଳ ସ୍ଥିତିକୁ ସୁଦୃଢ କରିବାପାଇଁ ମଧ୍ୟ ପ୍ରୟାସ ଚଳାଇଛି ।