Home Judiciary ମାମଲା ନୀତି ପରେ ମାମଲା ବଢିଛି ଦେଢ ଗୁଣ

ମାମଲା ନୀତି ପରେ ମାମଲା ବଢିଛି ଦେଢ ଗୁଣ

ଭୁବନେଶ୍ୱର : ମାମଲା ବୋଝ କମାଇବା ସହ ତ୍ୱରିତ ଫଏସଲା ପାଇଁ ୧୦ବର୍ଷ ତଳେ ରାଜ୍ୟ ସରକାର ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ ମଧ୍ୟ ଏହି ସମୟ ଭିତରେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ପ୍ରାୟ ଦେଢଗୁଣ ଅଧିକ ବଢିଛି ।

୨୦୧୧ ମସିହାରେ ଓଡିଶା ସରକାର ରାଜ୍ୟ ମାମଲା ତ୍ରୟୋଦଶ ଅର୍ଥ କମିଶନର ସୁପାରିଶ୍‍ ଆଧାରରେ ରାଜ୍ୟ ମାମଲା ନୀତି ପ୍ରଣୟନ କରିଥିଲେ । ସେତେବେଳେ ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ପ୍ରାୟ ୧୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ୨୦୧୫ ବେଳକୁ ଏହି ସଂଖ୍ୟା ୧୨ଲକ୍ଷ ଟପିଥିବାବେଳେ ଏବେ ଏହା ୧୫ଲକ୍ଷ ଛୁଇଁବାକୁ ଯାଉଛି ।

୨୦୧୫ ସେପ୍ଟେମ୍ବର ଶେଷ ବେଳକୁ ଓଡିଶାର ନିମ୍ନ ଅଦାଲତ ଓ ଉଚ୍ଚ ନ୍ୟାୟାଳୟରେ ବିଚାର ପ୍ରତୀକ୍ଷାରେ ଥିବା ୧୨,୦୨,୯୫୫ ଟି ଦେୱାନୀ ଓ ଫୌଜଦାରୀ ମାମଲା ମଧ୍ୟରୁ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ଥିଲା ୪,୯୫,୦୯୮ ବୋଲି ସରକାରୀ ତଥ୍ୟରୁ ଜଣାପଡିଛି । ତେବେ ଜାତୀୟ ବିଚାର ବିଭାଗୀୟ ତଥ୍ୟ ଗ୍ରିଡ୍‍ର ସୂଚନା ମୁତାବକ ଚଳିତ ମାସ ୨୦ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଆଇନ୍‍ ଅଦାଲତରେ ୧୪,୯୩,୨୧୬ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଏଥିରୁ ଅପରାଧିକ ମାମଲା ସଂଖ୍ୟା ହେଉଛି ୧୧,୮୯,୭୪୦ । ଏହି ତଥ୍ୟ ମୁତାବକ ରାଜ୍ୟରେ ବିଚାର ପ୍ରତୀକ୍ଷାରେ ଥିବା ମାମଲାଗୁଡିକ ମଧ୍ୟରୁ ୫ରୁ ୩୦ବର୍ଷ ଓ ତଦୁର୍ଦ୍ଧ ସମୟ ଧରି ଗଡି ଚାଲୁଥିବା ମାମଲା ସଂଖ୍ୟା ୫,୨୦,୯୦୮ । ଏହି ପୁରୁଣା ବାକିଆ ମାମଲାଗୁଡିକ ମଧ୍ୟରୁ କେବଳ ଅପରାଧିକ ମାମଲା ସଂଖ୍ୟା ୪ଲକ୍ଷ ୨୦ହଜାରରୁ ଅଧିକ ।

ଓଡିଶା ସରକାରଙ୍କ ରାଜ୍ୟ ମାମଲା ନୀତି ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ୨୦୧୧ ମଇ ୩୧ତାରିଖରେ ପ୍ରକାଶ ପାଇଥିଲା । ମୁଖ୍ୟତଃ ଆଇନ୍‍ ଅଦାଲତ ଉପରୁ ମାମଲା ସଂଖ୍ୟା ହ୍ରାସ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସୀମିତ ସମୟ ମଧ୍ୟରେ ମାମଲା ଫଏସଲା କରାଯାଇ ଯେଭଳି ୫ବର୍ଷରୁ ଅଧିକ ପୁରୁଣା ମାମଲା ନଗଡିବ ସେଦିଗରେ ମାମଲା ନୀତିରେ ଗୁରୁତ୍ୱ ଦିଆଯାଇଥିଲା ।

ବିଶେଷକରି ସଂଖ୍ୟାଧିକ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ରହୁଥିବାରୁ ହାଲୁକା, ଭ୍ରମାତ୍ମକ ମାମଲାଗୁଡିକୁ ତନଖି କରି ପ୍ରତ୍ୟାହାର କରିବା ଏବଂ ଯେଉଁ କ୍ଷେତ୍ରରେ ଲୋକେ ପ୍ରଶାସନ ଠାରୁ ଯୁକ୍ତିଯୁକ୍ତ ନ୍ୟାୟ ନପାଇ ବାଧ୍ୟହୋଇ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ସେଗୁଡିକୁ ମଧ୍ୟ ସମୀକ୍ଷା ପରିସରଭୁକ୍ତ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲେ ସରକାର ବିଶ୍ୱସନୀୟତା ବଢିବା ସହିତ ଆଇନ୍‍ ଅଦାଲତର ଚାପ କମିବ ଓ ଲୋକେ ଅଯଥା ହଇରାଣ ହରକତ ଏବଂ ଖର୍ଚ୍ଚାନ୍ତ ହେବେନାହିଁ ବୋଲି ଏହି ନୀତିରେ ଉଲ୍ଲେଖ କରାଯାଇଥିଲା ।

ଯେକୌଣସି ପ୍ରସଙ୍ଗକୁ ଆଇନ୍‍ ଅଦାଲତ ଉପରେ ଛାଡିଦେଇ ବର୍ଷ ବର୍ଷ ଧରି ଶୋଇ ପଡିବା ପ୍ରବୃତ୍ତି ରାଜ୍ୟ ମାମଲାନୀତିରେ ନାପସନ୍ଦ କରାଯାଇ ମାମଲା ପରିଚାଳନା ବ୍ୟବସ୍ଥାର ସୁଦୃଢୀକରଣ ଲାଗି ମଧ୍ୟ ଏଥିରେ ଅନେକ ସକରାତ୍ମକ କଥା ଉଲ୍ଲେଖ କରାଯାଇଥିଲା । ତେବେ ବାସ୍ତବରେ ମାମଲା ନୀତି ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଅନେକ ଛୋଟ ଛୋଟ ସମସ୍ୟା ଘେନି ଲୋକେ ପ୍ରଶାସନକଳ ନିକଟରୁ ନ୍ୟାୟ ନପାଇ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି ଏବଂ ପ୍ରଚଳିତ ବ୍ୟବସ୍ଥାରେ ମାମଲାରେ ଛନ୍ଦିହୋଇ ବ୍ୟାପକ ଖର୍ଚ୍ଚାନ୍ତ ହେବା ସହ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here