Home General ମାପ ଓଜନ ଠକେଇରେ ପେଟ୍ରୋଲ ପମ୍ପ ପ୍ରଥମ

ମାପ ଓଜନ ଠକେଇରେ ପେଟ୍ରୋଲ ପମ୍ପ ପ୍ରଥମ

ଭୁବନେଶ୍ୱର : ତେଲ, ଘିଅ ଭଳି ଖାଦ୍ୟ ସାମଗ୍ରୀକୁ ବାଦ୍‍ ଦେଲେ ପେଟ୍ରୋଲ ଠାରୁ ଆରମ୍ଭକରି ସୁନା ଏବଂ ପନିପରିବା ପର୍ଯ୍ୟନ୍ତ ସବୁଥିରେ ଓଜନ ଠକେଇ ଚାଲିଛି । ମାପ ଓଜନ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରୁ ପ୍ରତିବର୍ଷ ଏକ କୋଟିରୁ ଅଧିକ ଟଙ୍କାର ଜୋରିମାନା ବି ଆଦାୟ ହୋଇଛି ।

ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯-୨୦ ବର୍ଷରେ ମାପ ଓଜନ ଠକେଇ ପାଇଁ ରାଜ୍ୟରେ ୫୭୦୧ଟି ମାମଲା ରୁଜୁ ହୋଇଥିବାବେଳେ ଜୋରିମାନା ବାବଦରେ ୧,୩୧,୯୪,୬୧୫ କୋଟି ଟଙ୍କା ଆଦାୟ ହୋଇଥିଲା । ସେହଭଳି ୨୦୨୦-୨୧ ବର୍ଷରେ ୪୨୯୦ ମାମଲା ରୁଜୁ ହୋଇଥିବାବେଳେ ଜୋରିମାନା ବାବଦରେ ୧,୧୧,୨୮,୩୦୦ ଟଙ୍କା ଆଦାୟ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଜୋରିମାନା ବାବଦରେ ୪୦ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇ ସାରିଲାଣି ।

ମାପ ଓଜନରେ ଠକେଇ କରି ଜୋରିମାନା ଗଣିବା କ୍ଷେତ୍ରରେ ପେଟ୍ରୋଲ ଟାଙ୍କି ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ସୁନା ଦୋକାନୀ ଓ ମାଛ ମାଂସ ଦୋକାନୀ ରହିଛନ୍ତି । କିନ୍ତୁ ସର୍ବାଧିକ ଓଜନ ଠକେଇ ରହିଛି ମସଲା ଦୋକାନ ଗୁଡିକରେ ।

୨୦୧୯ ବର୍ଷରେ ପେଟ୍ରୋଲ ଟାଙ୍କିରୁ ମାପ ଓଜନ ଠକେଇ ବାବଦରେ ୧୮ଲକ୍ଷ ୧୭ହଜାର ଟଙ୍କା ଆଦାୟ ହୋଇଥିବାବେଳେ ସୁନା ଦୋକାନରୁ ଆଦାୟ ହୋଇଥିବା ୧୨ଲକ୍ଷ ୪୮ହଜାର ଟଙ୍କା । ମାଛ ମାଂସ ଦୋକାନୀ ବି ୧୨ଲକ୍ଷ ୪୮ଜହାର ଟଙ୍କାରୁ ଅଧିକ ଜୋରିମାନା ଗଣିଥିଲେ । ଏହି ବର୍ଷ ତେଲ ଘିଅ କ୍ଷେତ୍ରରେ ଓଜନ ଠକେଇ ବାବଦରେ ମାତ୍ର ଗୋଟିଏ ମାମଲା ହୋଇ ୧୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ତେବେ ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ତେଲ ଓ ଘିଅର ମାପ ଓଜନରେ କୌଣସି ଠକେଇ ହୋଇନଥିବା ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ।

ଖାଦ୍ୟ ସାମଗ୍ରୀ ସହିତ ସିମେଣ୍ଟରେ ମଧ୍ୟ ଓଜନ ଠକେଇ ଧରାପଡିଛି । ୨୦୧୯-୨୦ ରେ ସିମେଣ୍ଟ ଓଜନ ଠକେଇ ପାଇଁ ୩୬ଟି ମାମଲା ରୁଜୁ ହୋଇଥିବାବେଳେ ୮୩ହଜାର ଟଙ୍କାରୁ ଅଧିକ ଜୋରିମାନା ଆଦାୟ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ୧୪ଟି ଏହି ଧରଣର ଠକେଇ ମାମଲା ହୋଇସାରିଲାଣି । ତେବେ ଚଳିତବର୍ଷ ସୁନା ଓଜନ ଠକେଇ ନେଇ ୧୭୪ଟି ମାମଲା ରୁଜୁ ହୋଇଥିବାବେଳେ ୩ଲକ୍ଷ ୮୪ହଜାର ଟଙ୍କାରୁ ଅଧିକ ସୁନା ଦୋକାନୀମାନେ ଜୋରିମାନା ଆକାରରେ ଗଣିଲେଣି । ଚଳିତ ଆର୍ଥିକ ବର୍ଷରେ କିନ୍ତୁ ସର୍ବାଧିକ ୭ଲକ୍ଷ ୨୫ହଜାର ଟଙ୍କାର ଜୋରିମାନା ପେଟ୍ରୋଲ ଟାଙ୍କିରେ ମାପ ଓଜନ ଠକେଇରୁ ଆସିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here