Home General ମା’ତାରିଣୀ ମନ୍ଦିର ଖୋଲିବାକୁ ଚିଠି

ମା’ତାରିଣୀ ମନ୍ଦିର ଖୋଲିବାକୁ ଚିଠି

ଭୁବନେଶ୍ୱର : ମା’ ତାରିଣୀ ମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବାପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିବା ସହିତ ଘଟଗାଁର ତାରିଣୀ ମନ୍ଦିର ଖୋଲିବାକୁ ଦୃଢ ଦାବି କରିଛନ୍ତି ।

ଶ୍ରୀ ପଟ୍ଟଡ଼ାୟକ କହିଛନ୍ତି ଯେ କଟକଣା ମାନି ଯଦି ଲୋକମାନଙ୍କୁ ହାଟ ବଜାରକୁ ଯିବା ପାଇଁ ଅନୁମତି ଦିଆଯାଉଛି ତେବେ ପୂଜା ପୀଠଗୁଡିକୁ ଯିବାରେ କୌଣସି ଅସ୍ୱାଭାବିକତା ନାହିଁ । କେନ୍ଦୁଝର ଜିଲ୍ଲା ଘଟଗାଁର ମା’ତାରିଣୀ ଏକଦା ଆଦିବାସୀମାନଙ୍କ ଦ୍ୱାରା ପୂଜା ପାଉଥିଲେ ମଧ୍ୟ ପରବର୍ତୀ ସମୟରେ ଏହା ସମଗ୍ର ହିନ୍ଦୁ ଜାତିର ଏକ ପ୍ରସିଦ୍ଧ ପୀଠର ମାନ୍ୟତା ପାଇଛି ।

ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବସ୍ରେ ମା’ତାରିଣୀଙ୍କ ପାଖକୁ ପ୍ରତିଦିନ ନଡିଆ ପଠାଇଥାନ୍ତି । ଯାହା ଫଳରେ ସମଗ୍ର ଓଡିଶାକୁ ମା’ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାନ୍ତି । ମାର୍ଚ୍ଚ ୨୦ ତାରିଖରୁ କରୋନା କଟକଣା ଆଳରେ ଏହି ମନ୍ଦିରକୁ ବନ୍ଦ କରାଯାଇଛି । ଯାହା ଫଳରେ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟକୁ ନଡିଆ ପଠାଇ ପାରୁ ନାହାନ୍ତି ବା ମା’ଙ୍କ ଦର୍ଶନ କରିପାରୁ ନାହାନ୍ତି । ଫଳରେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେବା ସହ ମନ୍ଦିର ସହ ସଂପୃକ୍ତ ସେବକ ଓ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି ।

ଯେଉଁଭଳି ଭାବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛନ୍ତି ସେହିଭଳି ଘଟଗାଁ ମା’ତାରିଣୀଙ୍କ ମନ୍ଦିର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।