Home Agriculture ମାଣ୍ଡିଆ ଉତ୍ପାଦନରେ କୋରାପୁଟ ଆଗରେ

ମାଣ୍ଡିଆ ଉତ୍ପାଦନରେ କୋରାପୁଟ ଆଗରେ

ଭୁବନେଶ୍ୱର : ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଷକୁ ୫୮ହଜାର ମେଟ୍ରିକ ଟନ୍‍ରୁ ଅଧିକ ମାଣ୍ଡିଆ ଉତ୍ପାଦନ ହେଉଥିବାବେଳେ କୋରାପୁଟ ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଛି । ଏହି ଜିଲ୍ଲାର ୧୦ଟି ବ୍ଲକରେ ୨୦୨୦-୨୧ ବର୍ଷରେ ମାଣ୍ଡିଆଚାଷ ହେବା ସହିତ ୧୮,୫୪୯ ମେଟ୍ରିକ ଟନ୍‍ ମାଣ୍ଡିଆ ଉତ୍ପାଦିତ ହୋଇଛି ।

ରାଜ୍ୟ ସରକାର ୨୦୧୭-୧୮ ବର୍ଷରୁ ରାଜ୍ୟରେ ମିଲେଟ ମିଶନ କାର୍ଯ୍ୟକାରୀ କରିବା ପରେ ଏହାର ଉତ୍ପାଦନ ବଢିବାରେ ଲାଗିଛି । ଏହି ମିଶନ ଅଧିନରେ ରାଜ୍ୟରେ ୧୫ଟି ଜିଲ୍ଲାର ୮୪ ବ୍ଲକରେ ମାଣ୍ଡିଆ ଚାଷ ହେଉଥିବାବେଳେ ଉତ୍ପାଦିତ ମାଣ୍ଡିଆର ଏକ ବଡ ଭାଗ ରାଜ୍ୟ ସରକାର ଖରିଦ କରୁଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଜିଲ୍ଲାରେ ଲୋକଙ୍କୁ କିଲୋ ପ୍ରତି ୨ଟଙ୍କା ଦରରେ ରାସନକାର୍ଡଧାରୀଙ୍କୁ ମାଣ୍ଡିଆ ଯୋଗାଇ ଦିଆଯାଉଛି ।

ସୂଚନା ଅନୁଯାୟୀ ୨୦୧୭-୧୮ ବର୍ଷରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବା ସହିତ ୧୨.୪୧ କୋଟି ଟଙ୍କା ଯୋଗାଇ ଦେଇଥିଲେ । ୨୦୧୮-୧୯ ବର୍ଷରେ ସରକାର ଏହି ମିଶନ ପାଇଁ ୬୭.୫୪କୋଟି ଟଙ୍କା ବ୍ୟୟ କରିଥିବାବେଳେ ଏଥିରୁ ପ୍ରାୟ ୧୭କୋଟି ଟଙ୍କା ମାଣ୍ଡିଆ ଖରିଦ ପାଇଁ ବ୍ୟୟ ହୋଇଥିଲା । ତେବେ ୨୦୧୯-୨୦ ବର୍ଷରେ ସରକାର ମାଣ୍ଡିଆ ମିଶନ ପାଇଁ ୯୮କୋଟି ଟଙ୍କା ବ୍ୟୟ କରିଥିବାବେଳେ ୨୦୨୦-୨୧ ବର୍ଷରେ ବ୍ୟୟ ପରିମାଣ ୧୨୧ କୋଟି ଟଙ୍କାକୁ ବଢି ଯାଇଛି ।

ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ମାଣ୍ଡିଆ କୁଇଣ୍ଟାଲ ପ୍ରତି ୩୨୯୫ ଟଙ୍କାରେ ଖରିଦ କରିଥିବାବେଳେ ଚଳିତ ବର୍ଷ ଏହାର ଦରକୁ ସରକାର ୩୩୭୭ କୋଟି ଟଙ୍କାକୁ ବଢାଇବା ସହିତ ଚାଷୀଙ୍କ ଠାରୁ ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଖରିଦ ପାଇଁ ଲକ୍ଷ୍ୟ ରଖିଛନ୍ତି । ସରକାର ଖରିଦ କରୁଥିବା ମାଣ୍ଡିଆକୁ କିଲୋ ପ୍ରତି ୨ଟଙ୍କା ଦରରେ ୫୦ଲକ୍ଷ ରାସନକାର୍ଡଧାରୀଙ୍କୁ ଯୋଗାଉଥିବାବେଳେ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଅଙ୍ଗନବାଡିକେନ୍ଦ୍ରରେ ପିଲାଙ୍କୁ ଜଳଖିଆରେ ଅତିରିକ୍ତ ଭାବେ ମାଣ୍ଡିଆ ଲଡୁ ଯୋଗାଣର ବ୍ୟବସ୍ଥା କରିଛନ୍ତି ।

ସେହିଭଳି ଯେଉଁ ଚାଷୀମାନେ ମାଣ୍ଡିଆଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କୁ ଶ୍ରୀ ପଦ୍ଧତି ପାଇଁ ହେକ୍ଟର ପିଛା ୫୦୦୦ ଟଙ୍କା, ଧାଡିରୁଆ ଏବଂ ଧାଡି ବୁଣା ପାଇଁ ୩୦୦୦ ଟଙ୍କା ଏହି ଯୋଜନାରେ ୩ବର୍ଷ ପାଇଁ ଯୋଗାଇ ଦିଆଯାଉଛି । ଏହି ମିଶନରେ ଏବେ ପ୍ରାୟ ଏକ ଲକ୍ଷ ୧୪ହଜାର ଚାଷୀ ଯୋଡିହୋଇ ଯାଇଛନ୍ତି ।

ଇତି ମଧ୍ୟରେ ବ୍ୟବସାୟ ଧାରାରେ ପୁଷ୍ଟି ଶସ୍ୟର ପୁନଃ ପ୍ରଚଳନ ପାଇଁ ୭୫ଟି କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା କର।।ଇଛି । ଏହି ସଂଗଠନ ଦ୍ୱାରା ୫୨ଟି ଜୈବିକ ସାର ଏବଂ କୀଟନାଶକ ପ୍ରସ୍ତୁତି ଏବଂ ବିକ୍ରୟ କେନ୍ଦ୍ର ଚଳାଯାଉଛି । ମିଲେଟ ମିଶନ ମିଶନ ଶକ୍ତି ବିଭାଗ ସହିତ ଯୋଡି ହୋଇଥିବାବେଳେ ଏହା ମାଧ୍ୟରେ ମହିଳାମାନଙ୍କର ଆର୍ଥିକ ବିକାଶର ଲକ୍ଷ୍ୟ ରଖାଯାଇଛି । (ତଥ୍ୟ)