Home General ମହିଳା ସଶକ୍ତ ହେଲେ ବିକାଶର ଧାରା ପ୍ରଖର ହେବ

ମହିଳା ସଶକ୍ତ ହେଲେ ବିକାଶର ଧାରା ପ୍ରଖର ହେବ

ସମ୍ବଲପୁର : ମହିଳାମାନେ ସଶକ୍ତ ହେଲେ ସମାଜରେ ଘଟୁଥିବା ଅନ୍ୟାୟ ଅନୀତିକୁ ରୋକାଯିବା ସହ ବିକାଶଧାରା ଅଧିକ ପ୍ରଖର ହେବ । ତେଣୁ ମହିଳମାନେ ଘରର ଚାରିକାନ୍ଥରୁ ବାହାରି ଆଗକୁ ଆସିବା ସହ ନିଜର ଅଧିକାର ଜାହିର କରିବାର ଆବଶ୍ୟକତା ରହିଛି ବୋଲି ମହିଳା ଓ ପାରିବାରିକ ପତ୍ରିକା ‘ସିନ୍ଧୁଜା’ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଉପସ୍ଥିତ ଅତିଥିମାନେ ମତ ଦେଇଛନ୍ତି ।

ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମସିଏଲ୍‍) ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅନୁରାଧା ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁଲେଖିକା ଛନ୍ଦା ମିଶ୍ର, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଜୟଦେବ ମେହେର ଉପସ୍ଥିତ ରହି ‘ମହାମାରୀ କରୋନା ପରବର୍ତ୍ତୀ ସମୟରେ ମାତୃତ୍ୱର ସୁରକ୍ଷା’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । କରୋନା ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳାମାନଙ୍କର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ ।

କାର୍ଯ୍ୟକ୍ରମରେ ଅତିଥି ଭାବରେ ରେଢାଖାଲ ବିଧାୟକ ତଥା ଓଡିଶା ବିଧାନସଭାର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ସମ୍ବଲପୁର ମହାନଗର ନିଗମର କମିଶନର ପ୍ରଦୀପ କୁମାର ସାହୁ, ବିଶିଷ୍ଟ ଶିକ୍ଷାବିତ୍‍ ଉତ୍ତମ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନିରାପଦ ମହିଳା ଦିବସର ତାତ୍ପର୍ଯ୍ୟ ସଂକ୍ରାନ୍ତରେ କହିଥିଲେ ।

ସିନ୍ଧୁଜାର ଏଭଳି ଉଦ୍ୟମକୁ ସେମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଜାରି ରହୁ ବୋଲି ମତ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍‍ ଧରଣୀଧର ପ୍ରଧାନ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଜୟଦେବ ମେହେର, ସୁଲେଖିକା ତଥା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଗାଳ୍ପିକା ଲିପ୍‍ସା ପଟେଲ ଓ ଯୁବ ସାମ୍ବାଦିକ ସଞ୍ଜୟ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟୁତ୍‍ପ୍ରଭା ମିଶ୍ର ପରିଚାଳନା କରିଥିଲେ । ସିନ୍ଧୁଜାର ସମ୍ପାଦିକା ଶର୍ମିଳା ସାହୁ ଉପସ୍ଥିତ ଥିଲେ ।