Home News in Odia ମହିଳା ସଂରକ୍ଷଣ ବିଲ୍‍ ପାଶ୍‍ ପାଇଁ ବିଜେଡିର ଦାବି

ମହିଳା ସଂରକ୍ଷଣ ବିଲ୍‍ ପାଶ୍‍ ପାଇଁ ବିଜେଡିର ଦାବି

154
0

ଭୁବନେଶ୍ୱର : ବଜେଟ୍‍ ଅଧିବେଶନକାଳରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‍ ପାଶ୍‍ ଲାଗି ଦାବି କରିଛି ବିଜେଡି । ଅଧିବେଶନ ଅବ୍ୟବହିତ ପୂର୍ବରୁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ।

ବିଜୁ ଜନତା ଦଳ ପକ୍ଷରୁ ଲୋକସଭାର ବରିଷ୍ଠ ସାଂସଦ ଶ୍ରୀ ମିଶ୍ର ଆଜି ସର୍ବଦଳୀୟ ବୈଠକରେ ଯୋଗଦେବା ସହିତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତରଫରୁ ସ୍ୱତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କୁ ବଜେଟ୍‍ ଅଧିବେଶନ କାଳରେ ମହିଳା ସଂରକ୍ଷଣ ବିଲ୍‍ ପାଶ୍‍ ପାଇଁ ଅନୁରୋଧ କରିଥିଲେ ।

ଶ୍ରୀ ମିଶ୍ର ଦର୍ଶାଇଥିଲେ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିର ୨୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ଥିଲେ ମହିଳା ଏବଂ ଏକମାତ୍ର ରାଜନୈତିକଦଳ ଭାବେ ବିଜେଡି ଏହା କରି ଦେଖାଇଥିଲା । ବିଜେଡିର ୭ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୫ଜଣ ସଂସଦକୁ ନିର୍ବାଚିତ ହୋଇଥିବାବେଳେ ବିଜେପିର ଦୁଇ ମହିଳା ପ୍ରାର୍ଥୀ ମଧ୍ୟ ସଂସଦକୁ ଯାଇଛନ୍ତି । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡିଶାରୁ ଏକ ତୃତୀୟାଂଶ ମହିଳା ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ।

ଉଭୟ ବିଜେପି ଏବଂ କଂଗ୍ରେସ ମହିଳା ସଂରକ୍ଷଣ ବିଲ୍‍କୁ ସମର୍ଥନ କରୁଥିବାବେଳେ ୱାଇଏସ୍‍ଆର କଂଗ୍ରେସ ଏବଂ ଟିଆରଏସ୍‍ ଖୋଲାଖୋଲି ଭାବେ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ବିଲ୍‍ ପାଶ୍‍ ଦାବିକୁ ସମର୍ଥନ କରିଛନ୍ତି । ତେଣୁ ଲୋକସଭାରେ ବିଲ୍‍ ପାଶ୍‍ ହେବାରେ କୌଣସି ସମସ୍ୟା ନାହିଁ । ଦଶ ବର୍ଷ ତଳୁ ରାଜ୍ୟସଭା ଏହି ବିଲ୍‍କୁ ମଞ୍ଜୁରୀ ପ୍ରଦାନ କରିସାରିଛି । ତେଣୁ ଲୋକସଭାରେ ଏହି ବିଲ୍‍କୁ ପାଶ୍‍ କରାଇବାର ବେଳ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁଭବ କରିଥିବା ଶ୍ରୀ ମିଶ୍ର କହିଥିଲେ ।

LEAVE A REPLY

Please enter your comment!
Please enter your name here