Home General ମହିଳା କଏଦୀଙ୍କୁ ସହାୟତା କରିବ “କିରଣ”

ମହିଳା କଏଦୀଙ୍କୁ ସହାୟତା କରିବ “କିରଣ”

ଭୁବନେଶ୍ୱର : ମହିଳା କଏଦୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଛି ପ୍ରକଳ୍ପ କିରଣ । ଜେଲ୍‍ ପ୍ରଶାସନ ସହିତ ମାଧ୍ୟମ ଅନୁଷ୍ଠାନ ମିଳିତ ଭାବେ ଏହି ସେବା ଆରମ୍ଭ କରିଛି । ଏହା ଜରିଆରେ ମହିଳା ଅନ୍ତେବାସୀଙ୍କୁ ଥଇଥାନ ଠାରୁ ଆରମ୍ଭ କରି ମାଗଣ ଆଇନ୍‍ଗତ ସେବା ଯୋଗାଇ ଦିଆଯିବ ।

ଜେଲ୍‍ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲ୍‍ ଏବଂ ଚୌଦ୍ୱାର ଜେଲ୍‍ ପରିସରରେ ଏହାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ମହିଳା କମିାନର ସ୍ନେହାଜାଲୀ ମହାନ୍ତି, ମାଧ୍ୟମର ସଭାପତି ନମ୍ରତା ଚଢା, ସମ୍ପାଦକ ରାଜଲକ୍ଷ୍ମୀ ଦାସ ଓ ନିର୍ଦ୍ଦେଶିକା ମହୀକ୍ଷିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଦୁଇ ଜେଲ୍‍ରେ ୮୦ରୁ ଅଧିକ ମହିଳା ଅନ୍ତେବାସୀ ଥିବାବେଳେ ସେମାନଙ୍କୁ ଆବଶ୍ୟକ ସ୍ଥଳେ ମାନସିକ ଚିକିତ୍ସା ସେବା, ଜେଲ୍‍ରୁ ମୁକୁଳିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ରୋଜଗାରର ବିଭିନ୍ନ ମାଧ୍ୟମ ଯୋଗାଇ ଦିଆଯିବ । ମହିଳାମାନେ ଜେଲ୍‍ରୁ ଫେରିଲା ପରେ ସାଧାରଣତଃ ସେମାନଙ୍କୁ ନିଜର ପରିବାର ଲୋକେ ଗ୍ରହଣ କରିନଥାନ୍ତି । ଏଭଳି ସ୍ଥିତିରେ ଏହି ମହିଳାମାନଙ୍କୁ ଥଇଥାନ କାର୍ଯ୍ୟ ମଧ୍ୟ ମାଧ୍ୟମ ହାତକୁ ନିଆଯିବ ବୋଲି ନିର୍ଦ୍ଦେଶିକା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।

ସେହିଭଳି ଜେଲ୍‍ରେ ଥିବା ଅନେକ ମହିଳା ଅନ୍ତେବାସୀ ଅର୍ଥାଭାବରୁ ମୁକୁଳି ପାରୁନାହାନ୍ତି । ଆଇନ୍‍ଗତ ସହାୟତା ଅଭାବରୁ ଛୋଟ ମୋଟ ମାମଲାରେ ଜେଲ୍‍ରେ ରହିଯାଉଛନ୍ତି । ଏଭଳି ମହିଳାଙ୍କୁ ମାଗଣା ଆଇନ୍‍ଗତ ସେବା ଯୋଗାଣ ପାଇଁ ମାଧ୍ୟମ ଯୋଜନା ପ୍ରସ୍ତୁତ କରିଛି ।

୨୦୦୦ ମସିହାରୁ ଓଡିଶାର ମହିଳା ଏବଂ ଶିଶୁଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ମାଧ୍ୟମ ହେଉଛି ଏକ ସଂଗଠନ । ଆଗାମୀ ଦିନରେ ମହିଳା କଏଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରିବା ପାଇଁ କିରଣ (ସହାୟତା କେନ୍ଦ୍ର) ପଦକ୍ଷେପ ନେବା ସହିତ ଅଧିକରୁ ଅଧିକ କାରଗାରକୁ ଏହା ସମ୍ପ୍ରସାରିତ କରିବ ।

LEAVE A REPLY

Please enter your comment!
Please enter your name here