Home Judiciary ମହିଳା ଅତ୍ୟାଚାରରେ ଓଡ଼ିଶାଠୁ ବହୁ ରାଜ୍ୟ ଆଗରେ

ମହିଳା ଅତ୍ୟାଚାରରେ ଓଡ଼ିଶାଠୁ ବହୁ ରାଜ୍ୟ ଆଗରେ

ଭୁବନେଶ୍ୱର : ମହିଳାମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ ପ୍ରସଙ୍ଗରେ ସମଗ୍ର ଦେଶରେ ଏବେ ପ୍ରାୟ ୨୦ଲକ୍ଷ ମାମଲା ବିଚାରାଧୀନ ଥିବାବେଳେ ଓଡ଼ିଶାରେ ଏହି କିସମର ମାମଲା ସଂଖ୍ୟା ପାଖାପାଖି ୧ଲକ୍ଷ ୪୦ ହଜାର ବୋଲି ଜଣାପଡିଛି ।

ପଶ୍ଚିମବଙ୍ଗରେ ଏହି କିସମର ସର୍ବାଧିକ ୩ଲକ୍ଷରୁ ଅଧିକ ମାମଲା ଚଳିତବର୍ଷ ଆରମ୍ଭ ବେଳକୁ ଆଇନ ଅଦାଲତଗୁଡିକରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୨ଲକ୍ଷ ୨୫ ହଜାରରୁ ଅଧିକ । ତେବେ ଏ କ୍ଷେତ୍ରରେ ମହାରାଷ୍ଟ୍ର ଉତ୍ତରପ୍ରଦେଶ ଠାରୁ ଆଗରେ ଅଛି । ମହାରାଷ୍ଟ୍ରରେ ଏହି କିସମର ମାମଲା ସଂଖ୍ୟା ପ୍ରାୟ ୨ଲକ୍ଷ ୩୫ ହଜାର ବୋଲି ଭାରତ ସରକାରଙ୍କ ରିପୋର୍ଟରୁ ଜଣାପଡିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବି ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ବିଚାରାଧୀନ ମାମଲାର ସଂଖ୍ୟା ଲକ୍ଷେରୁ ଅଧିକ କରି ରହୁଛି ।

୨୦୨୦ ବର୍ଷରେ ସମଗ୍ର ଦେଶରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲା ମଧ୍ୟରୁ ପ୍ରାୟ ୮୪ ହଜାର ଗତବର୍ଷ ଫଏସଲା ହୋଇଥିଲା । ଏଥିମଧ୍ୟରେ ଦଣ୍ଡବିଧାନ ହାର ଜାତୀୟ ସ୍ତରରେ ୨୯.୮ ପ୍ରତିଶତ ରହିଥିଲା । ସବୁଠାରୁ ଉଦବେଗଜନକ ତଥ୍ୟ ହେଉଛି ଯେ ବଳାତ୍କାର ଓ ଗଣବଳାତ୍କାର ପରେ ହତ୍ୟା ଭଳି ୯ଶହରୁ ଅଧିକ ମାମଲା ଦେଶର ବିଭିନ୍ନ ବିଚାରାଳୟରେ ୨୦୨୧ ବର୍ଷ ଆରମ୍ଭ ବେଳକୁ ପଡି ରହିଥିଲା । ଗତବର୍ଷ ଏଭଳି ଜଘନ୍ୟ ମାମଲାରୁ ମାତ୍ର ୨୯ଟି ଫଏସଲା ହୋଇଥିବା ବେଳେ ସେଥିରୁ ୧୭ଟିରେ ଦଣ୍ଡବିଧାନ ହୋଇଛି ଏବଂ ଦଣ୍ଡିତ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ଉପର ଅଦାଲତକୁ ଅପିଲରେ ଯାଇଛନ୍ତି ।

ସମଗ୍ର ଦେଶରେ ଗତବର୍ଷ ୨୮,୦୪୬ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ୩୭୪୧ଟି ବଳାତ୍କାର ଉଦ୍ୟମ ମାମଲା ଦରଜ ହୋଇଥିଲା । ଉକ୍ତ ବର୍ଷରେ ଓଡ଼ିଶାରେ ୧୨୧୧ଟି ବଳାତ୍କାର ଓ ୧୪୪ଟି ବଳାତ୍କାର ଉଦ୍ୟମ ମାମଲା ଦରଜ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ଏହି ମାମଲା ସଂଖ୍ୟା ଥିଲା ଯାଥକ୍ରମେ ୨୭୬୯ ଓ ୨୫୧ ।

ରାଜସ୍ଥାନରେ ସର୍ବାଧିକ ୫୩୧୦ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୨୩୩୯, ମହାରାଷ୍ଟ୍ରରେ ୨୦୬୧, ଝାଡଖଣ୍ଡରେ ୧୩୨୧, ହରିଆଣାରେ ୧୩୭୩, ଛତିଶଗଡରେ ୧୨୧୦ ଓ ଆସାମରେ ଏହି କିସମର ୧୬୫୭ଟି ମାମଲା ରୁଜୁ ହୋଇଥିଲା ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏହି ତଥ୍ୟରୁ ଜଣାପଡିଛି ଯେ ବଳାତ୍କାର ମାମଲା କ୍ଷେତ୍ରରେ ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଝାଡଖଣ୍ଡ, ହରିଆଣା ଓ ଆସାମ ଭଳି ରାଜ୍ୟ ଓଡ଼ିଶାଠାରୁ ଢ଼େର ଆଗରେ ଅଛନ୍ତି । ତେବେ ନାଗାଲାଣ୍ଡରେ ଏଭଳି ମାତ୍ର ୪ଟି, ସିକିମରେ ୧୨ଟି, ମିଜୋରାମରେ ୩୩ଟି, ମଣିପୁରରେ ୩୨ଟି, ମେଘାଳୟରେ ୬୭ଟି ଏବଂ ଗୋଆ ଓ ଅରୁଣାଚଳ ଭଳି ଛୋଟ ଛୋଟ ରାଜ୍ୟରେ ୬୦ଟି କରି ମାମଲା ରୁଜୁ ହୋଇଥିଲା ।

ତେବେ ବଳାତ୍କାର ଉଦ୍ୟମ ମାମଲା କ୍ଷେତ୍ରରେ ବି ରାଜସ୍ଥାନ ସବୁଠାରୁ ଆଗରେ ଥିବାବେଳେ ତାହା ପଛକୁ ପଶ୍ଚିମବଙ୍ଗ ଓ ଆସାମ ରହିଛନ୍ତି । ଏ କ୍ଷେତ୍ରରେ ଓଡ଼ିଶାଠାରୁ ଅଧିକ ସଂଖ୍ୟକ ବଳାତ୍କାର ଉଦ୍ୟମ ମାମଲା ହରିଆଣା, ଝାଡଖଣ୍ଡ ଆଦି ରାଜ୍ୟରେ ରୁଜୁ ହୋଇଥିବା ଏହି ରିପୋର୍ଟର ପରିସଂଖ୍ୟାନରୁ ଜଣାପଡିଛି ।

ଅତୀତରେ ବିହାରରେ ବଳାତ୍କାର ଓ ବଳାତ୍କାର ଉଦ୍ୟମ ମାମଲା ସଂଖ୍ୟା ଢ଼େର ଅଧିକ ରହୁଥିଲା । ତେବେ ବିହାର ନିଶା ନିବାରଣ ଲାଗୁ କରିବା ପରେ ଏଭଳି ଜଘନ୍ୟ ଅପରାଧ ସମେତ ହତ୍ୟା, ଅପହରଣ, ଡକାୟତି ଆଦି ମାମଲା ସଂଖ୍ୟା ମଧ୍ୟ ଢ଼େର କମିଛି । ଏବେ ସମଗ୍ର ଦେଶରେ ନାରୀମାନଙ୍କ ନିରାପତ୍ତା ନେଇ ବିଭିନ୍ନ ରାଜନୈତିକ ଦଳ ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ବେଳେ ସମସ୍ୟାର ମୂଳୋତ୍ପାଟନ ପାଇଁ କିନ୍ତୁ କାହାର ଦରଦ ଥିବାଭଳି ମନେ ହେଉନାହିଁ । (ତଥ୍ୟ)