Home General ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷା ପାଇଁ ଆହ୍ୱାନ

ମହାମାରୀ ସମୟରେ ଶିଶୁଙ୍କ ସୁରକ୍ଷା ପାଇଁ ଆହ୍ୱାନ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇପଡିଛନ୍ତି । ପିତାମାତାଙ୍କ ରୋଜଗାରର ଅଭାବ ଶିଶୁମାନଙ୍କୁ ଶ୍ରମିକ ସଜାଇବାର ସମ୍ଭାବନା ଅଧିକ । ତେଣୁ ଏଭଳି ସ୍ଥିତିରେ ଆମେ ସମେସ୍ତ ମିଳିମିଶି ଶିଶୁଙ୍କ ସୁରକ୍ଷା ସହିତ ଶିଶୁ ଶ୍ରମ ପ୍ରଥାର ବିଲୋପ ପାଇଁ ଆଗେଇବାକୁ ଆସିବାକୁ ବିଶିଷ୍ଟ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ଜାତୀୟ ଶିଶୁ ଶ୍ରମ ବିରୋଧି ଦିବସ ଅବସରରେ ଆଜି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ)ର ମିଳିତ ସହଯୋଗରେ ଆୟୋଜିତ ୱେବିନାରରେ ଏହି ମତ ପ୍ରକାଶ ପାଇଛି ।

ଆଲୋଚନାକୁ ଉଦ୍‍ଘାଟନ କରି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଥିଲେ ଯେ ଶିଶୁ ଶ୍ରମି ପ୍ରଥା ଶିଶୁମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବାବେଳେ ଏହାକୁ ସବୁ ସ୍ତରରୁ ବିରୋଧ କରାଯିବା ଆବଶ୍ୟକ । ଶିକ୍ଷା ଅଧିକାର ଆଇନ୍‍କୁ ନିଶ୍ଚିତ କରାଗଲେ ଶିଶୁଶ୍ରମ ପ୍ରଥାର ବିଲୋପ ହୋଇପାରିବ । ରାଜ୍ୟରୁ କିଭଳି ଶିଶୁ ଶ୍ରମ ପ୍ରଥା ବିଲୋପ ହେବ ସେଥିପାଇଁ ଜିଲ୍ଲା ସ୍ତରରେ ଥିବା ଟାସ୍କଫୋର୍ସକୁ ଅଧିକ ସକ୍ରିୟ କରିବାପାଇଁ ମତ ଦେଇଥିଲେ ।

ସେହିଭଳି ରାଜ୍ୟ ବାହାରକୁ ଯାଉଥିବା ପିଲାଙ୍କ ପଞ୍ଜିକରଣ ସହିତ କୋଭିଡ ମହାମାରୀ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାଙ୍କୁ କିଭଳି ସହାୟତା ପ୍ରଦାନ କରାଯିବ ସେଥିନେଇ କମିଶନ ପକ୍ଷରୁ ଖୁବ୍‍ଶୀଘ୍ର କାର୍ଯ୍ୟ ଆରମ୍ଭ ହେଉଥିବା ସେ ସୂଚନା ଦେଇଥିଲେ । ଶ୍ରୀମତୀ ପ୍ରଧାନ ଏହି ଅବସରରେ ୪୪ଦିନ ବ୍ୟାପି ହେବାକୁ ଥିବା ଶିଶୁ ଶ୍ରମ ବିରୋଧି ଅଭିଯାନ ସମ୍ପର୍କିତ ପୋଷ୍ଟରକୁ ଉନ୍ମୋଚନ କରିଥିଲେ ।

ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ପ୍ରଦାନ ସହିତ ମହାମାରୀ ସମୟରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ତାହା ଉପରେ ମତ ରଖିଥିଲେ । ଏହି ଅବସରରେ ପିକକର ସମ୍ପାଦକ ତଥା ଏନ୍‍ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ତଥା ଓଏସିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଚଳିତବର୍ଷକୁ ଆର୍ନ୍ତଜାତୀୟ ଶିଶୁ ଶ୍ରମ ମୁକ୍ତ ବର୍ଷଭାବେ ପାଳନ କରାଯାଉଛି । ୨୦୨୫ ସୁଦ୍ଧା ରାଜ୍ୟକୁ ଶିଶୁ ଶ୍ରମ ମୁକ୍ତ କରିବାପାଇଁ ସରକାର ଘୋଷଣା କରିଛନ୍ତି । ଶିଶୁ ଶ୍ରମ ବିଲୋପ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଅନେକ ପିଲା ଏବେ ବି କୃଷି, ର୍ନିମାଣ, ଇଟାଭାଟି ଆଦି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ।

ଏହି କୁପ୍ରଥାର ବିଲୋପ ପାଇଁ ବର୍ଷସାରା ଉଦ୍ୟମ ଜାରି ରହିଛି । ଇତି ମଧ୍ୟରେ ଶିଶୁ ଶ୍ରମ ହ୍ରାସ ପାଉଥିବାବେଳେ କୋଭିଡ ମହାମାରୀ ପୁଣି ଏହି ସଂଖ୍ୟା ବଢାଇବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଆମେ ସମସ୍ତେ ଏ ଦିଗରେ ମିଳିତ ପ୍ରୟାସ କରିବା ଆବଶ୍ୟକ । ଏଥିପାଇଁ ଆମ ହାତରେ ସମୟ ନାହିଁ । ଗୋଟିଏ ମୂହୂର୍ତ୍ତ ବିଳମ୍ବ କରିଦେଲେ ଲକ୍ଷ ଲକ୍ଷ ପିଲାଙ୍କ ଶୈଶବ ନଷ୍ଟ ହୋଇଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ୟୁନିସେଫ୍‍ ଓଡିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ କହିଥିଲେ କୋଭିଡ ମହାମାରୀର ପ୍ରଭାବ ସବୁଠାରୁ ଅଧିକ ପିଲାଙ୍କ ଉପରେ ପଡିବାକୁ ଯାଉଛି । ଏହି ମହାମାରୀର ପ୍ରଭାବ ଅର୍ଥନୀତିକୁ ବିଗାଡୁଥିବାରୁ ଶିଶୁ ଶ୍ରମିକ ସମସ୍ୟା ବଢିବାର ସମ୍ଭାବନା ରହିଛି ।

ଶିଶୁ ଶ୍ରମ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମସ୍ୟା ଯଥା ବାଲ୍ୟବିବାହ, ଶିଶୁ ଚାଲାଣ ଆଦି ସହ ମଧ୍ୟ ଏହା ଓତଃପ୍ରୋତ ଭାବେ ଜଡିତ । ଶିଶୁ ଶ୍ରମ ବିରୋଧି ଅଭିଯାନରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ଅଙ୍ଗନବାଡି କର୍ମୀଙ୍କୁ ସାମିଲ ପାଇଁ ପରାମର୍ଶ ଦେବା ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ଦୃଢୀଭୂତ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

ଯୁଗ୍ମ ଶ୍ରମ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଶିଶୁର ମୁହଁରେ ହସ ଫୁଟାଇବା ହେଉଛି ଆମ ସମସ୍ତଙ୍କର ଲକ୍ଷ୍ୟ । ଯେଉଁ ଦେଶରେ ଶିଶୁ ସମ୍ପଦ ଯେତେ ବଳିଷ୍ଠ ସେହି ଦେଶ ସେତେ ଉନ୍ନତ । ଶିଶୁ ଶ୍ରମ ପ୍ରଥା ବିରୁଦ୍ଧରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଇନ୍‍ ଓ ଉଦ୍ଧାର ଶିଶୁଙ୍କ ଥଇଥାନ ସଂକ୍ରାନ୍ତରେ ଶ୍ରୀ ମହାପାତ୍ର ବିସ୍ତୃତଭାବେ ଉଲ୍ଲେଖ କରିବା ସହିତ ସମସ୍ତେ ସହଯୋଗର ହାତ ବଢାଇଲେ ଆମେ ଏଥିରେ ସଫଳ ହେବାବୋଲି କହିଥିଲେ ।

ପିକକ୍‍ର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା କୋଭିଡ ମହାମାରୀ ସମୟରେ ଅନ୍‍ଲାଇନ୍‍ ମାଧ୍ୟମରେ ଯେତେଦୂର ସମ୍ଭବ ଶିଶୁମାନଙ୍କୁ ସାଂସ୍କୃତିକ, ସାମାଜିକ ଓ ଖେଳଆଦି କାର୍ଯ୍ୟକ୍ରମରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଶିଶୁ ଶ୍ରମ ବିରୁଦ୍ଧରେ ଅଭିଭାବମାନଙ୍କୁ ସଚେତନ ପାଇଁ ଡକ୍ଟର ପଣ୍ଡା ମତ ଦେଇଥିଲେ । ଶେଷରେ ପିକକର ମୋନାଲିସା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ୱେବିନାରରେ ବହୁ ସଂଖ୍ୟାରେ ପଞ୍ଚାୟତ ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିନିଧି, ସାମାଜିକ କର୍ମୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।