Home News in Odia ମହାଦ୍ରୁମ ପାଲଟିଛି ମିଶନ ଶକ୍ତି

ମହାଦ୍ରୁମ ପାଲଟିଛି ମିଶନ ଶକ୍ତି

ଭୁବନେଶ୍ୱର: ୨୦୦୧ ମାର୍ଚ୍ଚ ୮ରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା’ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି ।

ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା’ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା’ମାନେ ଖୁବ ସ୍ୱାଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ଆହ୍ୱାନମୂଳକ ସମୟରେ ମା’ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତିର ମା’ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଆଦି ସବୁ ମା’ମାନେ ସବୁଠାରୁ ବେଶୀ ଦାୟିତ୍ୱର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ୱାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା’ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା’ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସଚିବାଳୟରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମହିଳାମାନଙ୍କ ଅନ୍ତର୍ନିହିତ ଶକ୍ତି ଓ ଦକ୍ଷତାକୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା’ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳାମାନଙ୍କୁ ହିତାଧିକାରୀ ନୁହେଁ ବରଂ ବିକାଶର ସହଭାଗିଦାର ବୋଲି ମନେ କରନ୍ତି । ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ ବରଂ ପୁରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି ବୋଲି ସେ କହିଥିଲେ ।

ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ୨୦୦୧ରେ ମିଶନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା, ଆଜି ଏହା ଏକ ସ୍ୱତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ ଆଜି ମା’ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି । ମା’ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲାବେଳେ ବର୍ତ୍ତମାନ ସୁଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି ।

ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ୱରରେ ତିନୋଟି କର୍ମଜୀବି ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା । ହଷ୍ଟେଲ ପରିଚାଳନା, ସ୍ୱଧାର ଓ ଉଜ୍ଜ୍ୱଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିଶନଶକ୍ତି ୱେବସାଇଟ, ମୋବାଇଲ ଆପ ଓ ବ୍ୟାଙ୍କମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ୱତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା । ଡାଆଣି କୁପ୍ରଥାର ବିଲୋପ ପାଇଁ ଆଇଇସି ପ୍ୟାକେଜ ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା, ସ୍ୱୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ୟାଙ୍କମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ୟାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ ପାଣ୍ଡିଆନ ଓ ବରିଷ୍ଠ ଅଧିକାରମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here