Home Finance ମହଙ୍ଗା ହେବ ବିଶ୍ୱବ୍ୟାଙ୍କ ଋଣ

ମହଙ୍ଗା ହେବ ବିଶ୍ୱବ୍ୟାଙ୍କ ଋଣ

ଭୁବନେଶ୍ୱର : ବିଶ୍ୱବ୍ୟାଙ୍କରୁ ଯେଉଁ ଋଣ ଆସୁଛି ତାହା ଆଗାମୀ ଦିନରେ ରାଜ୍ୟ ପାଇଁ ମହଙ୍ଗା ପଡ଼ିବ । କାରଣ ଡଲାର ଭିତ୍ତିରେ ଆସୁଥିବା ଋଣ ପାଇଁ ରାଜ୍ୟକୁ ଅଧିକ ସୁଧ ଓ ଦେୟ ଦେବାକୁ ହେବ ।

ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଆମେରିକୀୟ ଡଲାର ତୁଳନାରେ ଦ୍ରୁତ ବେଗରେ ହେଉଥିବା ଯୋଗୁଁ ଏଭଳି ପରିସ୍ଥିତି ରାଜ୍ୟ ସମ୍ମୁଖୀନ ହେବ । ରାଜ୍ୟର ବୃହତ୍‍ ଓ ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କରୁ ଋଣ ଆଣୁଛନ୍ତି । ଏହି ଋଣଗୁଡ଼ିକ ଭାରତୀୟ ମୁଦ୍ରା ଭିତ୍ତିରେ ନ ହୋଇ ଡଲାର ଭିତ୍ତିରେ ଅଣାଯାଉଛି ।

କେନ୍ଦ୍ର ସରକାର ବିଶ୍ୱବ୍ୟାଙ୍କ ଓ ଏଡିବିଠାରୁ ରାଜ୍ୟର ପ୍ରକଳ୍ପ ସକାଶେ ଯେଉଁ ଋଣ କରୁଛନ୍ତି ତାହାକୁ ଡଲାର ଭିତ୍ତିରେ ନ କରି ଭାରତୀୟ ମୁଦ୍ରା ଭିତ୍ତିରେ କରିବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଛନ୍ତି । କାରଣ ଭାରତୀୟ ମୁଦ୍ରା ତୁଳନାରେ ଡଲାରର ଦାମ୍‍ ଅପେକ୍ଷାକୃତ ଅଧିକ ହେଉଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ ୧୬ ବର୍ଷରେ ଭାରତୀୟ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ମୂଲ୍ୟ ୬୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାଯାଇଛି । ଏଥିରେ କୁହାଯାଇଛି ଯେ ଭାରତୀୟ ମୁଦ୍ରାକୁ ଆଧାର କରି ବିଶ୍ୱବ୍ୟାଙ୍କ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାଠାରୁ ଋଣ ଆଣିବା ସକାଶେ ପଦକ୍ଷେପ ନିଆଯିବା ଆବଶ୍ୟକ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧ ଏପ୍ରିିଲ୍‍ ୨୦୦୫ ଠାରୁ ଯେଉଁସବୁ ଋଣ ଅଣାଯାଇଛି ତାହା ଡଲାର ଭିତ୍ତିରେ ହିସାବ କରାଯାଉଥିବା ଯୋଗୁ ଏହି ୨୦ରୁ ୨୫ ବର୍ଷିୟା ଦୀର୍ଘମିଆଦି ଋଣ ସୁଝିବା ପାଇଁ ସରକାରଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ । ସେହି ଦୃଷ୍ଟିରୁ ଯେହେତୁ ରାଜ୍ୟ ଉପରେ ଋଣ ଓ ସୁଧର ବୋଝ ବଢ଼ିଯିବ ସେଥିପାଇଁ କେନ୍ଦ୍ର ସରକାର ଏଭଳି ପ୍ରସ୍ତାବ ଉପରେ ଗୁରୁତର ଭାବେ ବିଚାର କରିବା ପାଇଁ ରାଜ୍ୟ ପକ୍ଷରୁ କୁହାଯାଇଛି ।

ଏହାଛଡ଼ା ରାଜ୍ୟ ସରକାର ଯେଉଁ ୮ଟି ବୃହତ୍‍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ ଜଳସେଚନ ସୁବିଧା ଯୋଜନା (ଏଆଇବିପି) ମାଧ୍ୟମରେ କାର୍ଯ୍ୟକାରୀ କରୁଥିଲେ ତାହା ଏବେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନା ଭାବେ ପରିଗଣିତ ହେଉଛି । ଏହି ପ୍ରକଳ୍ପଗୁଡ଼ିକର ବ୍ୟୟଭାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ବହନ କରିଥାନ୍ତି ।

ତେବେ ପ୍ରକଳ୍ପଗୁଡ଼ିକର ଆର୍ଥିକ ଆକଳନ ୨୦୧୨ ମସିହା ସ୍ତରୀୟ ମୂଲ୍ୟାୟନ ଯୋଗୁଁ ହୋଇଥିବା ଫଳରେ ରାଜ୍ୟ ଉପରେ ଏ ବାବଦରେ ଅଧିକ ଭାର ବହନ କରିବାକୁ ପଡ଼ିବାକୁ ଥିଲା । ତେବେ ଇତିମଧ୍ୟରେ କେନ୍ଦ୍ର ସରକାର ୨୦୧୬ ମସିହା ସ୍ତରୀୟ ମୂଲ୍ୟାୟନ ଭିତ୍ତିରେ ପ୍ରକଳ୍ପର ଆକଳନ କରିଥିବା ଯୋଗୁଁ ରାଜ୍ୟ ସରକାରଙ୍କୁ ଏହା ସାମାନ୍ୟ ଲାଘବ ହେବ ।

ତେବେ କେନ୍ଦ୍ର ସରକାର ତାଙ୍କର ସହାୟତା ଅଂଶ ୨୦୧୨ ଭିତ୍ତିରେ ଆକଳନ କରିଥିବା ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକର ବ୍ୟୟଭାର ବାବଦରେ ରାଜ୍ୟକୁ ପ୍ରାୟ ୭୫ ପ୍ରତିଶତ ଅଂଶ ଭରଣା କରିବାକୁ ପଡ଼ିବ । ଏହା ରାଜ୍ୟର ଆର୍ଥିକ ଅବସ୍ଥା ଉପରେ ଗୁରୁତର ଚାପ ପକାଇବ । ତେଣୁ କେନ୍ଦ୍ର ସରକାର ତାଙ୍କର ସହାୟତା ଅଂଶରେ ପୁନଃ ସଂଶୋଧନ ଆଣିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହା ନ ହେଲେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବାରେ ଅହେତୁ ବିଳମ୍ବ ଘଟିବ । କାରଣ ଏଥିପାଇଁ ଅର୍ଥାଭାବ ପରଲକ୍ଷିତ ହେବାର ଆଶଙ୍କା ଉପୁଜିଛି । ତେଣୁ କେନ୍ଦ୍ର ସରକାର ତାଙ୍କର ସହାୟତା ଅଂଶରେ ସଂଶୋଧନ କରିବା ଦ୍ୱାରା ଏହି ସେଚ ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ ଭାବରେ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ବୋଲି ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here