Home Infrastructure ମରାମତିରେ କାମ ଚାଲିଛି

ମରାମତିରେ କାମ ଚାଲିଛି

ଭୁବନେଶ୍ୱର : ଶକ୍ତି ସଞ୍ଚୟ ପାଇଁ ସରକାର ବିଭିନ୍ନ ପନ୍ଥା ଆପଣଉ ଥିବାବେଳେ ପୂର୍ତ୍ତ ବିଭାଗ ଅଧିନରେ ଥିବା ସରକାରୀ କ୍ୱାଟର୍ସ ଓ ଦପ୍ତରଗୁଡିକରେ କିନ୍ତୁ ଅଧିକ ବିଦ୍ୟୁତ୍‍ ଖର୍ଚ୍ଚ ହେଉଥିବା ଅତି ପୁରୁଣା କାଳିଆ ପଙ୍ଖା ବ୍ୟବହାର ହେଉଛି । ଏପରିକି ୧୫/୨୦ବର୍ଷର ପୁରୁଣା ପଙ୍ଖାକୁ ନବଦଳାଇ ତାହାକୁ ବାରମ୍ବାର ମରାମତି କରି କର୍ତ୍ତୃପକ୍ଷ କାମ ଚଳାଇ ଦେଉଛନ୍ତି ।

ସମସ୍ତ ସରକାରୀ କ୍ୱାଟର୍ସରେ ବିଦ୍ୟୁତ୍‍ ସାମଗ୍ରୀ ଲଗାଇବା ସହିତ ପ୍ରତି କୋଠରୀକୁ ପଙ୍ଖା ଯୋଗାଣ ହୋଇଥାଏ । ପୂର୍ବରୁ ଏହି କାର୍ଯ୍ୟ ଶକ୍ତି ବିଭାଗ ଅଧିନରେ ଥିବା ଜିଇଡି କରୁଥିବାବେଳେ ବର୍ତ୍ତମାନ ପୂର୍ତ୍ତ ବିଭାଗ ହାତରେ ଏହି ଦାୟିତ୍ୱ ରହିଛି । ତେବେ ପୂର୍ତ୍ତ ବିଭାଗ ଅଳ୍ପ ବିଦ୍ୟୁତ୍‍ ଖର୍ଚ୍ଚ ହେଉଥିବା ନୂଆ ପଙ୍ଖା କିଣି କ୍ୱାଟର୍ସରେ ଲଗାଇବା ବଦଳରେ ଅତି ପୁରୁଣାକାଳିଆ ପଙ୍ଖାଗୁଡିକୁ ମରାମତି କରି ବ୍ୟବହାର କରୁଛନ୍ତି ।

ଯେହେତୁ ସରକାରୀ କ୍ୱାଟର୍ସର ବିଜୁଳି ଭଡା କର୍ମଚାରୀମାନେ ନିଜ ବହନ କରୁଛନ୍ତି ତେଣୁ ପୂର୍ତ୍ତ ବିଭାଗ ଏ ଦିଗରେ ନଜର ଦେଉନାହିଁ । ହେଲେ ପୁରୁଣା ପଙ୍ଖାକୁ ବାରମ୍ବାର ମରାମତି କରିବା ବଦଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି । ଅବସ୍ଥା ଏଭଳି ହୋଇଛି ଯେ ଯଦି କୌଣସି କ୍ୱାଟର୍ସରେ ପଙ୍ଖାଟିଏ ଖରାପ ହୋଇଥିବାର ଅଭିଯୋଗ ଆସୁଛି ତେବେ କର୍ମଚାରୀମାନେ ବନ୍ଦ ହୋଇ ପଡିଥିବା ଆଉ ଗୋଟିଏ କ୍ୱାଟର୍ସରୁ ପୁରୁଣା ପଙ୍ଖାଟିଏ ଆଣି କାମ ଚଳାଇ ଦେଉଛନ୍ତି ।

ଦାୟିତ୍ୱରେ ଥିବା ଅଧିକାରୀଙ୍କର କଥା ହେଉଛି ଯେ କର୍ତ୍ତୃପକ୍ଷ ନୂଆ ପଙ୍ଖା କିଣି ଦେଉନାହାନ୍ତି । ଏଥିପାଇଁ ଅର୍ଥର ଅଭାବ ରହିଛି । ତେବେ ପୂର୍ତ୍ତ ବିଭାଗକୁ ବିଦ୍ୟୁତ୍‍ କାର୍ଯ୍ୟ ଆସିବାପରେ ଅର୍ଥର କାହିଁକି ଅଭାବ ରହୁଛି ତାହାର ଉତ୍ତର କାହା ପାଖରେ ନାହିଁ । ସମସ୍ତ ପୁରୁଣାକାଳିଆ ପଙ୍ଖାକୁ ବଦଳାଇ ତାହା ସ୍ଥାନରେ ସ୍ୱଳ୍ପ ବିଜୁଳି ଖର୍ଚ୍ଚ ହେଉଥିବା ନୂଆ ପଙ୍ଖା ଲଗାଇଲେ କେତେ ଖର୍ଚ୍ଚ ହେବ ତାହାର ବି କୌଣସି ଆକଳନ ହେଉନାହିଁ ।

କେବଳ ସରକାରୀ କର୍ମଚାରୀ ପାଇଥିବା କ୍ୱାଟର୍ସ ନୁହେଁ ସରକାରୀ ଦପ୍ତର ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଶହ ଶହ ପୁରୁଣାକାଳିଆ ଫ୍ୟାନ୍‍ ଲାଗିଛି । ଏଗୁଡିକରେ କେତେ ବିଜୁଳି ଖର୍ଚ୍ଚ ହେଉଛି ଓ ନୂଆ ପଙ୍ଖା ଲାଗିଲେ କେତେ ବିଜୁଳି ବଞ୍ଚିବ ତାହାର କେହି ହିସାବ କରୁନାହାନ୍ତି । ବର୍ଷ ବର୍ଷ ଧରି କେବଳ ମରାମତିରେ କାମ ଚାଲିଛି ।

କମ୍‍ ବିଜୁଳି ବ୍ୟବହାର ପାଇଁ ପରିବେଶ ଅନୁକୂଳ କୋଠା ନିର୍ମାଣ ଠାରୁ ଆରମ୍ଭକରି ରାସ୍ତାଘାଟରେ ଏଲ୍‍ଇଡି ଲାଇଟ୍‍ ଲାଗୁଥିବାବେଳେ ସରକାରୀ ଦପ୍ତରଗୁଡିକରେ ଦିନ ସାରା ବୁଲୁଥିବା ପୁରୁଣାକାଳିଆ ପଙ୍ଖା ଉପରେ କିନ୍ତୁ କାହାର ନଜର ନାହିଁ । ପୂର୍ତ୍ତ ବିଭାଗ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ତୁରନ୍ତ ଅତି ପୁରୁଣା ପଙ୍ଖାଗୁଡିକ ବଦଳାଯାଇ ତାହା ସ୍ଥାନରେ କମ୍‍ ବିଜୁଳି ଖର୍ଚ୍ଚ ହେଉଥିବା ପାଞ୍ଚ ତାରକା ପଙ୍ଖା ଲଗାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)