Home General ମନ୍ କୀ ବାତରେ ଇସାକ୍ ମୁଣ୍ଡା

ମନ୍ କୀ ବାତରେ ଇସାକ୍ ମୁଣ୍ଡା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ ରେ ଓଡ଼ିଆ ୟୁଟ୍ୟୁବର ଇସାକ ମୁଣ୍ଡାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତର ପରିଶ୍ରମୀ ଯୁବବର୍ଗଙ୍କ ନିକଟରେ ଅଭିନବ ବିଚାର ଭରି ରହିଛି। ଏହାବଳରେ ସେମାନେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଇସାକଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ଆମର ଜଣେ ବନ୍ଧୁଙ୍କ ଦ୍ୱାରା କରାଯାଉଥିବା ପ୍ରଯୁକ୍ତିବିଦ୍ୟାର ଉପଯୋଗ ମଧ୍ୟ ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବ । ଏହି ବନ୍ଧୁଜଣକ ହେଉଛନ୍ତି ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଏକ ଗାଁରେ କରୁଥିବା ଶ୍ରୀ ଇସାକ୍ ମୁଣ୍ଡା ।

ଇସାକ୍ ମହାଶୟ ଦିନେ ଜଣେ ଦିନମଜୁରିଆ ଭାବେ କାମ କରୁଥିଲେ, ଆଜି ସେ ଇଣ୍ଟରନେଟ୍ ସେନସେସନ୍ ପାଲଟି ଯାଇଛନ୍ତି। ନିଜର ୟୁ-ଟ୍ୟୁବ୍ ଚ୍ୟାନେଲରୁ ସେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ନିଜ ଭିଡିଓଗୁଡ଼ିକରେ ସେ ସ୍ଥାନୀୟ ବ୍ୟଞ୍ଜନ, ପାରମ୍ପରିକ ରନ୍ଧନଶୈଳୀ, ନିଜ ଗାଁ, ନିଜର ଜୀବନଶୈଳୀ, ପରିବାର ଏବଂ ଖାଦ୍ୟପେୟର ଅଭ୍ୟାସ ସମ୍ପର୍କରେ ପ୍ରଦର୍ଶିତ କରୁଛନ୍ତି ।

ଜଣେ ୟୁ-ଟ୍ୟୁବର୍ ଭାବେ ତାଙ୍କର ଯାତ୍ରା ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଓଡ଼ିଶାର ସୁପ୍ରସିଦ୍ଧ ଖାଦ୍ୟ ପଖାଳକୁ ନେଇ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ସେବେଠାରୁ ସେ ଶହ ଶହ ଭିଡିଓ ପୋଷ୍ଟ କରିସାରିଛନ୍ତି । ତାଙ୍କର ଏହି ପ୍ରଚେଷ୍ଟା ଅନେକ ଦୃଷ୍ଟିରୁ ନିଆରା ।

ବିଶେଷକରି ଏଥିପାଇଁ ଯେ, ଏହାଦ୍ୱାରା ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ସେହି ଜୀବନଶୈଳୀ ଦେଖିବାର ସୁଯୋଗ ମିଳୁଛି, ଯାହା ବିଷୟରେ ସେମାନେ ବେଶୀ କିଛି ଜାଣନ୍ତିନି । ଇସାକ୍ ମୁଣ୍ଡା ମହାଶୟ ସଂସ୍କୃତି ଏବଂ ବ୍ୟଞ୍ଜନ ଉଭୟକୁ ମିଶାଇ ମନୋରଞ୍ଜନ କରୁଛନ୍ତି ଏବଂ ଆମ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଯୋଗାଉଛନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଇସାକଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଭାରତୀୟ ଯୁବପିଢ଼ିଙ୍କ ଅଭିନବ ବିଚାର, ସକ୍ରିୟତା ଏବଂ ସେମାନଙ୍କ ଦ୍ବାରା ପ୍ରଯୁକ୍ତିବିଦ୍ୟାର ସଦୁପଯୋଗକୁ ପ୍ରଶଂସା କରିଥିଲେ।

LEAVE A REPLY

Please enter your comment!
Please enter your name here