Home Education ମନୋନିତ ହେବେ ଛାତ୍ର ନେତା

ମନୋନିତ ହେବେ ଛାତ୍ର ନେତା

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରେ ରାଜ୍ୟର ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେଉ ନଥିବାବେଳେ ବିଗତ ବର୍ଷମାନଙ୍କ ଭଳି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରତିନିଧି ମନୋନୟନ କରିବେ । ତେବେ ଏହି କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ ।

ଅନ୍ୟପକ୍ଷରେ ନିର୍ବାଚିତ ଛାତ୍ର ସଂସଦ ନଥିବାବେଳେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ କ୍ୟାମ୍ପସ୍‍ କମିଟି ଦଳୀୟ ଭିତ୍ତିରେ ଗଠନ କରିବା ପାଇଁ ଜୋର୍‍ଦାର ପ୍ରୟାସ ଚାଲିଛି । ମାସେ ଭିତରେ କ୍ୟାମ୍ପସ୍‍ କମିଟି ଗଠନ ଲାଗି ବିଜୁ ଛାତ୍ର ଜନତା ଦଳର ନେତାମାନେ ଅଣ୍ଟା ଭିଡିଥିବାବେଳେ ଛାତ୍ର କଂଗ୍ରେସ, ଏବିଭିପି, ଡିଏସ୍‍ଓ, ଏସ୍‍ଏଫଆଇ, ଏଆଇଏସ୍‍ଏଫ୍‍ ସମେତ ଅନ୍ୟ ଛାତ୍ର ସଂଗଠନମାନେ ଯାହାର ଯେଉଁ ଶିକ୍ଷାନୁଷ୍ଠାନରେ ଦବ୍‍ଦବା ରହିଛି ସେଠାରେ ସାଙ୍ଗଠନିକ କମିଟି ଗଢିଛନ୍ତି । ଏହି ସାଙ୍ଗଠନିକ କମିଟି ମାଧ୍ୟମରେ ଛାତ୍ର ସଙ୍ଗଠନ ଗୁଡିକ କ୍ୟାମ୍ପସ୍‍ କମିଟି ଗଢିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି ।

ଆସନ୍ତାବର୍ଷ ଲୋକସଭା ସହ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟ ଓ ପ୍ରଚାର ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ସବୁ ରାଜନୈତିକ ଦଳ ନିଜ ନିଜ ପାଇଁ ଆୟୁଧ କରିବାକୁ ଚାହାନ୍ତି । ଏ ପରିପ୍ରେକ୍ଷୀରେ କ୍ୟାମ୍ପସ୍‍ ଗୁଡିକରେ ବି ବ୍ୟାପକ ଦଳବଦଳ ହେବାର ଆଶଙ୍କା ରହିଛି । କୌଣସି ଦଳର ସଭ୍ୟଭୁକ୍ତ ନଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ସଙ୍ଗଠନ ଉଦ୍ୟମ ଜାରି ରଖିଛନ୍ତି । ମୋଟାମୋଟି ଭାବେ ପୂଜା ଛୁଟି ପରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ବେଳକୁ ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଛାତ୍ର ସଙ୍ଗଠନ ଗୁଡିକର କ୍ୟାମ୍ପସ୍‍ କମିଟି ଗଢା ସରିଥିବ ବୋଲି ଆଶା କରାଯାଉଛି ।

ନିର୍ବାଚିତ ଛାତ୍ର ସଂସଦ ନଥିବାବେଳେ ଗୋଟିଏ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ରେ ବିଭିନ୍ନ ସଙ୍ଗଠନ ନିଜ ନିଜ କ୍ୟାମ୍ପସ୍‍ କମିଟି ଗଢି ତାହାରି ମାଧ୍ୟମରେ ଶିକ୍ଷାନୁଷ୍ଠାନର ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବେଠାରୁ ସଜବାଜ ହେଉଛନ୍ତି ।

ବିଶେଷ କରି ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ଅଧାରୁ ଅଧିକ ନିୟମିତ ଶିକ୍ଷକ ପଦବୀ ଖାଲି ପଡିଥିବା ଏବଂ ଅଧିକାଂଶ କଲେଜରେ ନିୟମିତ ଅଧ୍ୟକ୍ଷ ନଥିବା ଏହି କ୍ୟାମ୍ପସ୍‍ କମିଟି ଗୁଡିକର ପ୍ରମୁଖ ପ୍ରସଙ୍ଗ ହେବ । ଏହାଛଡା କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଅଣଶିକ୍ଷକ ପଦଗୁଡିକ ପୁରଣ କରାଯିବା ଏବଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‍ରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ସହିତ ନିଶାଡି ଓ ଗୁଣ୍ଡମାନଙ୍କ ଉତ୍ପାତ ରୋକିବା ଲାଗି ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ମତ ପ୍ରକାଶ ପାଉଛି ।

ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକର ସମସ୍ୟା ଉପସ୍ଥାପନ ନାମରେ ବିଭିନ୍ନ ସଙ୍ଗଠନର କ୍ୟାମ୍ପସ୍‍ କମିଟି ଗୁଡିକ ପରସ୍ପର ମୁହାଁମୁହିଁ ହେଲେ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନା ବଢିପାରେ ବୋଲି ଅଭିଜ୍ଞ ଅଧ୍ୟାପକମାନେ କହୁଛନ୍ତି । ଏବେ ରାଜ୍ୟର ଅଧିକାଂଶ ସ୍ୱୟଂଶାସିତ କଲେଜର ସ୍ୱୟଂଶାସନ ମର୍ଯ୍ୟାଦା ନାହିଁ । ୨ଶହରୁ ଅଧିକ କଲେଜର ନ୍ୟାକ୍‍ ମାନ୍ୟତା ନଥିବାବେଳେ ଯେଉଁମାନଙ୍କର ବି ଏହି ମାନ୍ୟତା ରହିଛି ସେଥିରୁ ଅଧିକାଂଶ ନିମ୍ନବର୍ଗର ।

ନିର୍ବାଚିତ ଛାତ୍ରସଂସଦର ଅନୁପସ୍ଥିତିରେ ଦଳୀୟ କ୍ୟାମ୍ପସ୍‍ କମିଟି ଗୁଡିକ ବିଶେଷ ସକ୍ରିୟ ହେଲେ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନାମୂଳକ ବାତାବରଣ ସୃଷ୍ଟି ହେବ ଏବଂ ନ୍ୟାକ୍‍ ପରିଦର୍ଶନକାରୀ ଦଳ ଆସିବା ବେଳକୁ ତାହା ସମସ୍ୟା ସୃଷ୍ଟି କରିପାରେ ବୋଲି ବିଭିନ୍ନ କଲେଜର ଅଧ୍ୟାପକ ଓ ଭାରପ୍ରାପ୍ତ ଅଧ୍ୟକ୍ଷମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । କାରଣ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ରାଜନେତାମାନେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ନିଜ ନିଜର ଦବ୍‍ଦବା ଜାହିର କରିବା ସମ୍ଭାବନା ରହିଛି । ଏଥିପାଇଁ ଏବେଠାରୁ ବହୁ ରାଜନେତା ଛାତ୍ରନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । (ତଥ୍ୟ)