Home Education ମଧ୍ୟାହ୍ନ ଭୋଜନକୁ ସୋୟାବଡି ଭରସା

ମଧ୍ୟାହ୍ନ ଭୋଜନକୁ ସୋୟାବଡି ଭରସା

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଏବେ ସୋୟାବଡି ଭରସା । ପରିବା ଦର ଆକାଶଛୁଆଁ ହୋଇଥିବାବେଳେ ଅଧିକାଂଶ ବିଦ୍ୟାଳୟରେ ଏବେ ପରିବା ବଦଳରେ ସୋୟାବଡି ବ୍ୟବହାର ହେଉଛନ୍ତି ।

ବିଦ୍ୟାଳୟରେ ପ୍ରସ୍ତୁତ ମଧ୍ୟାହ୍ନଭୋଜନରେ ଚାରିଦିନ ପିଲାଙ୍କୁ ସାଦା ତରକାରୀ ଦିଆଯାଉଥିବାବେଳେ ଦୁଇ ଦିନ ଅଣ୍ଡା ତରକାରୀ ଦେବାର ବ୍ୟବସ୍ଥା ରହିଛି । ସାଦା ତରକାରୀରେ ଅଧିକାଂଶ ଦିନ ପିଲାଏ ଭାତ ସହିତ ଡାଲି ଓ ପନିପରିବାରେ ପ୍ରସ୍ତୁତ ଡାଲମା ଖାଇଥାନ୍ତି । ହେଲେ ଏବେ ବଜାରରେ ପରିବାର ଯେଉଁ ଦର ରହିଛି ସେଥିରେ ମଧ୍ୟାହ୍ନଭୋଜନ ପାଇଁ ପରିବା କିଣିବା ଆଦୌ ସମ୍ଭବପର ନୁହେଁ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ କହୁଛନ୍ତି ।

ବଜାରରେ ଏବେ ଆଳୁ କିଲୋ ୩୫ ଟଙ୍କା ହୋଇଥିବାବେଳେ କଖାରୁ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପ୍ରାୟ ସମସ୍ତ ପରିବା ଦର ୮୦ରୁ ୧୦୦ ଟଙ୍କା ଛୁଇଁଲାଣି । ଲଗାଣ ବର୍ଷା ଓ ବନ୍ୟାରେ ପରିବାକ୍ଷେତ ଉଜୁଡି ଯିବାପରେ ବଜାରରେ ପନିପରିବାର ଏଭଳି ଆକାଶଛୁଆଁ ପରିସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ମିଳୁଥିବା ଅର୍ଥରେ ପିଲାଙ୍କ ପାଇଁ ପନିପରିବା ପକାଇ ଡାଲମା ପ୍ରସ୍ତୁତ କରିବା ଆଦୌ ସହଜ ନୁହେଁ ।

ଉଲ୍ଲେଖନୀୟ ବର୍ତ୍ତମାନ ପ୍ରାଥମିକ ଶ୍ରେଣୀର ପିଲା ପ୍ରତି ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ସରକାର ଦୈନିକ ୫.୪୨ ଟଙ୍କା ଯୋଗାଇ ଦେଉଥିବାବେଳେ ଉଚ୍ଚମାଧ୍ୟମିକ ପିଲା ପ୍ରତି ୮.୧୦ ଟଙ୍କା ଯୋଗାଉଛନ୍ତି । ଏଥି ସହିତ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ପନିପରିବା ବାଦ୍‍ ବଜାରରେ ଏବେ ଡାଲି କିଲୋ ୧୦୦ ଟଙ୍କା, ସୋରିଷ ତେଲ ଲିଟର ୨୦୦ ଟଙ୍କା । ଏଥି ସହିତ ଡାଲମା ବଘରା ପାଇଁ ଲଙ୍କା, ଫୁଟଣ ଏବଂ ସପ୍ତାହରେ ଦୁଇଦିନ ଅଣ୍ଡା ତରକାରୀ ପାଇଁ ମସଲା ଆଦି ବି ଦରକାର । ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଏବେ ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଭାତ ସହିତ ସୋୟାବଡି ତରକାରୀ ପ୍ରସ୍ତୁତ ହେଉଛି । ସୋୟାବଡିର ଦର କମ୍‍ ରହିବା ସହିତ ସହଜରେ ଉପଲବ୍ଧ ହେଉଛି ।

ସେହିଭଳି ସପ୍ତାହରେ ଦୁଇଦିନ ଅର୍ଥାତ ବୁଧବାର ଓ ଶନିବାର ପିଲାଙ୍କୁ ଗୋଟିଏ କରି ଅଣ୍ଡା ଦେବାର ବ୍ୟବସ୍ଥା ଅଛି । ବଜାରରେ ଏବେ ଗୋଟିଏ ଅଣ୍ଡାର ଦର ୭ଟଙ୍କା । ସରକାର ଯୋଗାଉଛନ୍ତି ୫.୪୨ ରୁ ୮.୧୦ ଟଙ୍କା ପର୍ଯ୍ୟନ୍ତ । ତେଣୁ ଏବେ ଗାଁ ଗହଳର ଅଧିକାଂଶ ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା ତରକାରୀ ବଦଳରେ ଆଳୁ ତରକାରୀ ସହିତ ଗୋଟିଏ ସିଝା ଅଣ୍ଡା ଧରାଇ ଦିଆଯାଉଛି ।

ତେବେ ଅନ୍ତତଃ ପକ୍ଷେ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ପନି ପରିବା ଦର ହ୍ରାସ ପାଇବାର ସମ୍ଭାବନା ନଥିବାରୁ ମଧ୍ୟାହ୍ନ ଭୋଜନକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଚିନ୍ତାରେ ପଡିବା ସହିତ ବିକଳ୍ପ ଭାବେ ସୋୟାବଡି ବ୍ୟବହାର କରାଯିବ ବୋଲି ମତ ଦେଉଛନ୍ତି । (ତଥ୍ୟ)