Home Judiciary କନିଷ୍ଠ ଯନ୍ତ୍ରୀ ନିଯୁକ୍ତିରେ ହାଇକୋର୍ଟଙ୍କ ରାୟ

କନିଷ୍ଠ ଯନ୍ତ୍ରୀ ନିଯୁକ୍ତିରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର : ପ୍ୟାନେଲରେ ପଞ୍ଜୀକୃତ ହୋଇଥିବା ଯନ୍ତ୍ରୀମାନଙ୍କୁ ଖାଲି ପଦବୀରେ ନିଯୁକ୍ତି ଦେବା ଲାଗି ନିର୍ଦ୍ଦେଶ ଦେବାକୁ ଓଡ଼ିଶା ହାଇକୋର୍ଟ ରୋକ୍‍ଠୋକ୍‍ ଭାବେ ମନା କରିଦେଇଛନ୍ତି । ଫଳରେ ୨୦୧୪ ମସିହାରୁ ଏଯାବତ୍‍ ରୁଜୁ ହୋଇଥିବା ଅନେକଗୁଡିଏ ମାମଲାର ପରିସମାପ୍ତି ଘଟିଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଇଞ୍ଜିନିୟରିଂ ପାଠ ଶେଷ ପରେ ଯୋଗ୍ୟ ପ୍ରାର୍ଥୀମାନେ ପ୍ୟାନେଲରେ ରହିବା ପାଇଁ ନାମ ପଞ୍ଜୀକରଣ କରିଥିଲେ ଏବଂ କେତେକ ମୁଖ୍ୟଯନ୍ତ୍ରୀ / ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାମାନଙ୍କ ଅନୁରୋଧ କ୍ରମେ ଏହି ପ୍ୟାନେଲରୁ ସେମାନଙ୍କ ପାଖକୁ ନାମ ପଠାଉଥିଲେ । ଗୋଟିଏ ବ୍ୟାଚ୍‍ ପରେ ଅନ୍ୟ ବ୍ୟାଚ୍‍ ପ୍ରାର୍ଥୀଙ୍କ ନାମ ଯୋଗ୍ୟତା ଆଧାରରେ ପଠାଯିବା ପାଇଁ ବ୍ୟବସ୍ଥା ଥିଲା ଏବଂ ଏଥିପାଇଁ ସର୍ବୋଚ୍ଚ ବୟସ ସୀମାକୁ କୋହଳ କରାଯାଇଥିଲା ।

ପ୍ୟାନେଲ ବ୍ୟବସ୍ଥାର ଅନ୍ତ ଘଟାଇ ୨୦୧୨ ମସିହାରେ ରାଜ୍ୟ ସରକାର କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ । ନୂଆ ବିଧି ମୁତାବକ ଷ୍ଟାଫ୍‍ ସିଲେକ୍ସନ କମିଶନ ଖୋଲା ବିଜ୍ଞାପନ ଆଧାରରେ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରନ୍ତି ଏବଂ ଏଗୁଡିକର ତନଖି କରିବା ପରେ ଆଇନାନୁଯାୟୀ ଯୋଗ୍ୟ ପ୍ରାର୍ଥୀ ବାଛି ସଂପୃକ୍ତ ବିଭାଗକୁ ପଠାଇଥାନ୍ତି । ତେବେ ୨୦୧୩ ମସିହାରେ ରାଜ୍ୟ ସରକାର କୌଣସି କାରଣରୁ କୋହଳ ମନୋବୃତ୍ତି ପୋଷଣ କରି ପୁଣି ପ୍ୟାନେଲ ଆଧାରରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଁ ସଂକଳ୍ପ ପାରିତ କରିଥିଲେ ।

୨୦୧୪ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି କୋହଳ ବ୍ୟବସ୍ଥା ବଳବତ୍ତର ରହିବ ବୋଲି କୁହାଯାଇଥିଲେ ମଧ୍ୟ ଧାର୍ଯ୍ୟ ତାରିଖ ପରେ ଅନେକ କନିଷ୍ଠ ଯନ୍ତ୍ରୀଙ୍କୁ କମିଟିର ସୁପାରିସ୍‍ ଆଧାରରେ ପ୍ୟାନେଲରୁ ନିଯୁକ୍ତି ଦିଆଯାଇଛି । ତେବେ ପଞ୍ଚାୟତିରାଜ, ଜଳସଂପଦ ବିଭାଗ ଭଳି କେତେକ ବିଭାଗ ନିଜ ରିକ୍ୟୁଜିସନ ଆଧାରରେ ପଦବୀ ପୂରଣ ନ କରି କିଛି ନିଯୁକ୍ତି ଦେଇ ଅନ୍ୟମାନଙ୍କୁ ଝୁଲାଇ ରଖିଥିଲେ । ଜଳସମ୍ପଦ ବିଭାଗର ଏଭଳି ପାତରଅନ୍ତର ନୀତିର ଶିକାର ହୋଇଥିବା କିଛି ଏସଟି ପ୍ରାର୍ଥୀ ନ୍ୟାୟ ପାଇଁ ସ୍ୟାଟ୍‍ରେ ମାମଲା ରୁଜୁ କରିଥିଲେ ଓ ଏହି ପ୍ରାର୍ଥୀମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଦର୍ଶାଇ ସ୍ୟାଟ୍‍ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦେବାରୁ ଅନ୍ୟୂନ ୬୧ଜଣ ବଞ୍ôଚତ ପ୍ରାର୍ଥୀ ୨୦୧୯ ମସିହାରେ ନିଯୁକ୍ତି ପାଇବାକୁ ସକ୍ଷମ ହୋଇଥିଲେ ।

ଅନ୍ୟପକ୍ଷରେ ପ୍ୟାନେଲରେ ନିଜ ନାମ ପଞ୍ଜୀକୃତ କରିଥିବା ବହୁ ଆଶାୟୀ ପ୍ରାର୍ଥୀଙ୍କ ସରକାରୀ ଚାକିରି ଲାଗି ନୂଆ ଆଇନ ଆଧାରରେ ଥିବା ସର୍ବୋଚ୍ଚ ବୟସ ସୀମା ଟପି ଯାଇଥିବାରୁ ସେମାନେ ପ୍ୟାନେଲ ଭିତରେ ନିଯୁକ୍ତି ପାଇବା ପାଇଁ ହାଇକୋର୍ଟରେ ଗୁଡିଏ ମାମଲା ରୁଜୁ କରିଥିଲେ । ବିଶେଷକରି ସେତେବେଳେ ଯେତେ ସଂଖ୍ୟକ କନିଷ୍ଠ ଯନ୍ତ୍ରୀ ପଦବୀ ବିଭିନ୍ନ ବିଭାଗରେ ଖାଲି ପଡିଥିଲା ସେସବୁକୁ ପ୍ୟାନେଲରୁ ପୂରଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ଆଶାୟୀ ପ୍ରାର୍ଥୀମାନେ ପ୍ରାର୍ଥନା କରିଥିଲେ ।

ଏହି ମାମଲାଗୁଡିକର ବିସ୍ତୃତ ଶୁଣାଣିକରି ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏକ ବିସ୍ତୃତ ରାୟ ଦେଇ ମାମଲାଗୁଡିକୁ ଖାରଜ କରିଦେଇଛନ୍ତି । ତେବେ ରାଜ୍ୟ ସରକାର ଚାହିଁଲେ ଏ କ୍ଷେତ୍ରରେ ଆଇନାନୁଯାୟୀ କୋହଳ ନୀତି ଅବଲମ୍ବନ କରିପାରିବେ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କ ସମେତ ଅନ୍ୟ ସରକାରୀ ଓକିଲମାନେ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଆବେଦନକାରୀମାନଙ୍କ ପକ୍ଷରୁ ବୁଦ୍ଧଦେବ ରାଉତରାୟ, ଜ୍ଞାନାଲୋକ ମହାନ୍ତି, ଶଶି ଭୂଷଣ ଜେନା, ଶ୍ରୀକାନ୍ତ କୁମାର ସାହୁ, କାଳୀ ପ୍ରସନ୍ନ ମିଶ୍ର, ଧୂଳିରାମ ପଟ୍ଟନାୟକ, ମନୋଜ କୁମାର ଖୁଣ୍ଟିଆ, ପ୍ରମୋଦ କୁମାର ନାୟକ, ଅଜିତ କୁମାର ସାହୁ ପ୍ରମୁଖ ବହୁ ଆଇନଜୀବୀ ମାମଲା ଲଢ଼ୁଥିଲେ । (ତଥ୍ୟ)