Home Administration ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର

ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର

ଭୁବନେଶ୍ୱର : ଲକ୍‍ଡାଉନ୍‍ ସମୟରେ ଏବେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ବିଶେଷକରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରିବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି ।

କରୋନାର ଦ୍ୱିତୀୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଚାହିଁ ସରକାର ରାଜ୍ୟରେ ଥିବା ସମସ୍ତ ଆହରକେନ୍ଦ୍ର ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ଚଳିତ ମାସ ୫ତାରିଖରୁ ଲକ୍‍ଡାଉନ୍‍ ଆରମ୍ଭ ଦିନ ଠାରୁ ହିଁ ଆହରକେନ୍ଦ୍ରଗୁଡିକ ଖୋଲିଥିଲା । ତେବେ କର୍ତ୍ତୃପକ୍ଷ ସଂକ୍ରମଣକୁ ଦୃଷ୍ଟିରେ ଏହି ସମୟରେ ଆହାରକେନ୍ଦ୍ରରେ ବସି ଖାଇବା ଅପେକ୍ଷା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପୁଡିଆ ଆକାରରେ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଲକ୍‍ଡାଉନ୍‍ର ପ୍ରଥମ ଦିନ ସର୍ବାଧିକ ୧୬୬ଟି ଆହାର କେନ୍ଦ୍ର ଖୋଲିଥିବାବେଳେ ଏଠାରେ ପ୍ରାୟ ୩୧ହଜାର ମିଲ୍‍ ବିକ୍ରୟ ହୋଇଥିଲା । ମଇ ୫ରୁ ୧୯ ତାରିଖ ମଧ୍ୟରେ ଦୁଇଟି ଶନିବାର ୮ ଓ ୧୫ ତାରିଖକୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସବୁଦିନ ୧୬୩ରୁ ଅଧିକ ଆହାର କେନ୍ଦ୍ର କାର୍ଯ୍ୟ କରୁଥିଲା ।

ଲକଡାଉନ୍‍ ଅବଧି ବଢିବା ସହିତ ଆହାରକେନ୍ଦ୍ରଗୁଡିକରେ ଲୋକଙ୍କ ମିଲ୍‍ ସଂଗ୍ରହ ପରିମାଣ ବଢି ୧୭ ଓ ୧୮ତାରିଖ ବେଳକୁ ଏହା ୪୦ହଜାରକୁ ଟପିଯାଇଥିଲା । ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁହିକରେ ସଂଖ୍ୟାଧିକ ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପୁଡିଆ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଥିଲା । ଫଳରେ ଏହି ୧୪ଦିନ ମଧ୍ୟରେ ରାଜ୍ୟର ଆହାରକେନ୍ଦ୍ରଗୁଡିକରେ ମୋଟ୍‍ ୪ଲକ୍ଷ ୬୧ହଜାର ମିଲ୍‍ ଲୋକେ ନେଇଥିବା ଜଣାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ କାର୍ଯ୍ୟରତ କର୍ମଚାରୀ ଓ ଖାଦ୍ୟ ସଂଗ୍ରହ କରିବାକୁ ଆସୁଥିବା ଲୋକମାନେ ଯେଭଳି ସୁରକ୍ଷିତ ରହିବେ ସେଥିପାଇଁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଆହାର କେନ୍ଦ୍ରକୁ ସଫା ସୁତରା ରଖାଯିବା ସହିତ ସାଧାରଣ ଲୋକଙ୍କ ପାଇଁ ସାନିଟାଇଜର ଯୋଗାଇ ଦିଆଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବିନା ମାସ୍କରେ ଆସିଲେ ଖାଦ୍ୟ ମିଳିବ ନାହିଁ ବୋଲି ଲୋକଙ୍କୁ ଅବଗତ କରାଯାଇଛି । ଯେହେତୁ ଲୋକେ ଏଠାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ତେଣୁ ଆହାର କେନ୍ଦ୍ର ପରିସରରେ ଆଦୌ ଗହଳି ପରିଲକ୍ଷିତ ହୋଇନାହିଁ ।

ଉଲ୍ଲେଖନୀୟ ଯେ ଲକଡାଉନ୍‍ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଲେ ଛୋଟ ଛୋଟ ହୋଟେଲ ଓ ଖାଇବା ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇ ଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ଗରିବ ଲୋକଙ୍କ ପାଇଁ ଆହାର କେନ୍ଦ୍ର ବେଶ୍‍ ସହାୟକ ହୋଇଛି । ଲକ୍‍ଡାଉନ୍‍ ଅବଧି ବଢିଥିବାବେଳେ ଆହାର କେନ୍ଦ୍ର ପୂର୍ବଭଳି ଖୋଲା ରହିବ ବୋଲି ସୂଚନା ମିଳିଛି । (ତଥ୍ୟ)