Home General ଭୁବନେଶ୍ୱରରେ ବସ୍ତି ଉଚ୍ଛେଦ ଶୂନ

ଭୁବନେଶ୍ୱରରେ ବସ୍ତି ଉଚ୍ଛେଦ ଶୂନ

ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ସଂଖ୍ୟା ବଢି ଚାଲିଥିବାବେଳେ ଗତ ୫ବର୍ଷ ଭିତରେ ରାଜଧାନୀରେ ଗୋଟିଏ ହେଲେ ବସ୍ତି ଉଚ୍ଛେଦ ହୋଇନାହିଁ । କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳ ନୁହେଁ, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମଧ୍ୟ ଏହି ସମୟରେ କୌଣସି ବସ୍ତି ଉଚ୍ଛେଦ ହୋଇନାହିଁ ।

ତେବେ ବସ୍ତି ଉଚ୍ଛେଦ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି କଟକ ମହାନଗର ନିଗମ । ଗତ ୫ବର୍ଷରେ କଟକରେ ହଜାରେରୁ ଅଧିକ ବସ୍ତି ଉଚ୍ଛେଦ କରାଯାଇଛି । ବସ୍ତି ଉଚ୍ଛେଦ ପାଇଁ ଏଠାରେ ମଧ୍ୟ ୫କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦିଆଯାଇ ସାରିଲାଣି । କଟକ ପରେ ବ୍ରହ୍ମପୁର ମହାନଗର ନିଗମରେ ମାତ୍ର ୪ଟି ବସ୍ତିକୁ ଉଚ୍ଛେଦ କରାଯାଇଛି । ପାଞ୍ଚବର୍ଷରେ ଗୋଟିଏ ହେଲେ ବସ୍ତି ଉଚ୍ଛେଦ ହୋଇନଥିବା ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ କିନ୍ତୁ ଯଥାକ୍ରମେ ୧୧୩୯, ୫୦୦ ଓ ୩୧୪୬ଜଣଙ୍କୁ ଥଇଥାନ କରାଯାଇଛି ।

ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଗତ ୫ବର୍ଷ ଭିତରେ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏଥିପାଇଁ ୯୫କୋଟି ୩୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବଳେ ବ୍ରହ୍ମପୁରରେ ୧୩୬କୋଟି ୮୪ଲକ୍ଷ, ରାଉରକେଲାରେ ୩୨କୋଟି ୫୦ଲକ୍ଷ ଓ ସମ୍ବଲପୁରରେ ୬୨କୋଟି ୯୨ଲକ୍ଷ ଟଙ୍କା । ତେବେ କଟକ ମହାନଗର ନିଗମରେ କୌଣସି ଅର୍ଥ ବ୍ୟୟ ହୋଇନାହିଁ । ଏହି ଅର୍ଥରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ରାଜୀବ ଆବାସ ଭଳି ଯୋଜନା ଜରିଆରେ ଘର ଯୋଗାଇ ଦିଆଯାଇଛି ।

ଭୁବନେଶ୍ୱରରେ ୫ବର୍ଷରେ ଗୋଟିଏ ହେଲେ ବସ୍ତି ଉଚ୍ଛେଦ ହୋଇନଥିବାବେଳେ ବେଆଇନ୍‍ ବସ୍ତି ସଂଖ୍ୟା କିନ୍ତୁ ହୁ ହୁ ହୋଇ ବଢିବାରେ ଲାଗିଛି । ସରକାରୀ ଖାତାରେ ରାଜଧାନୀରେ ୪୧୨ଟି ବସ୍ତି ଥିବାବେଳେ ବାସ୍ତବ ବସ୍ତିସଂଖ୍ୟା କିନ୍ତୁ ହଜାରେକୁ ଟପିଗଲାଣି ।

ଅବସ୍ଥା ଏଭଳି ହୋଇଛି ଯେ ରାସ୍ତାକଡ ଜମି, ସରକାରଙ୍କ ଦଖଲରେ ଥିବା ଜମି, କ୍ୱାଟର୍ସ ମଝିରେ ଥିବା କନଜରଭେନ୍ସି, କେନାଲ ବନ୍ଧ, ଅବ୍ୟବହୃତ ସରକାରୀ ସରକାରୀ ସ୍ଥାନ ଆଦିରେ ରାତାରାତି ବସ୍ତି ଗଢି ଉଠୁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହିସବୁ ବେଆଇନ୍‍ ବସ୍ତିକୁ ରାତାରାତି ବିଜୁଳି ଓ ପାଣି ସଂଯୋଗ ମିଳିଯାଉଛି ।

ବେଆଇନ୍‍ ବସ୍ତି ସହରପାଇଁ କେତେ ବିପଦ ହୋଇଛି ତାହା କମିଶନରେଟ ପୁଲିସ୍‍ ହୃଦୟଙ୍ଗମ କଲାପରେ ଏବେ ବସ୍ତି ତଲାସି ଅଭିଯାନ ଆରମ୍ଭ ହୋଇଛି । ଖାନ ତଲାସି ସମୟରେ କେଉଁଠୁ ଚୋରା ଗାଡି ତ ଆଉ କେଉଁ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ମିଳିବାରେ ଲାଗିଛି । ବସ୍ତି ଏବେ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ନିଶା କାରବାର ଠାରୁ ଆରମ୍ଭକରି ଚୋରି,ରାହାଜାନୀ ଓ ଅନ୍ୟାନ୍ୟ ଅପରାଧର ପ୍ଲଟ ଏହିଠାରୁ ହିଁ ପ୍ରସ୍ତୁତ ହେଉଛି । ତେଣୁ ରାଜ୍ୟର ସହରାଞ୍ଚଳରେ ରାତାରାତି ଗଢି ଉଠୁଥିବା ବେଆଇନ୍‍ ବସ୍ତି ଉପରେ ଲଗାମ ଲଗାଇବା ସହିତ ଏକାଧିକ ବସ୍ତିରେ ଘର କରି ବିକ୍ରି କରୁଥିବା କିମ୍ବା ଭଡା ଦେଇଥିବା ମାଫିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । (ତଥ୍ୟ)