Home News in Odia ଭୁବନେଶ୍ୱରରୁ ଡେରାଡୁନ ବିମାନ ସେବା ପାଇଁ ଦାବି

ଭୁବନେଶ୍ୱରରୁ ଡେରାଡୁନ ବିମାନ ସେବା ପାଇଁ ଦାବି

ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୁବନେଶ୍ୱରକୁ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରୁ ସିଧାସଳଖ ବିମାନ ସେବାରେ ଯୋଡିବାପାଇଁ ଦାବି ହୋଇଛି । ରାଜସ୍ଥାନର ରାଜଧାନୀ ଜୟପୁର ସହିତ ଭୁବନେଶ୍ୱରକୁ ସିଧାସଳଖ ବିମାନସେବା ଆରମ୍ଭ ହେବାପରେ ଏହି ଦାବି ଜୋର ଧରିଛି ।

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହି ମର୍ମରେ ପତ୍ରଲେଖ ଅନୁରୋଧ କରିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ ଏହି ବିମାନ ଚଳାଚଳ ଆରମ୍ଭ ହେଲେ ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମ ସହିତ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରି, ଯମୁନେତ୍ରୀ ଭଳି ଚାରିଧାମ ଏବଂ ହରିଦ୍ୱାର ଓ ରିଷିକେଶ ଭଳି ଆଧ୍ୟାତ୍ମିକ କ୍ଷେତ୍ର ସହ ସଂପର୍କ ଯୋଡି ହୋଇପାରିବ ଏବଂ ଏହାଦ୍ୱାରା ଉତ୍ତରାଖଣ୍ଡ ଆସୁଥିବା ତୀର୍ଥଯାତ୍ରୀମାନେ ପୁରୀ, ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ତୀର୍ଥ ଓ ପର୍ଯ୍ୟଟନସ୍ଥଳୀ ଆସିବାର ସୁଯୋଗ ପାଇବେ ଏବଂ ଓଡ଼ିଶାରୁ ଉତ୍ତରାଖଣ୍ଡକୁ ତୀର୍ଥଯାତ୍ରାରେ ଯାଉଥିବା ଲୋକେ ମଧ୍ୟ ବିଶେଷ ଭାବେ ଉପକୃତ ହେବେ ।

ଭୁବନେଶ୍ୱର ଏବେ ଦେଶର ଅଗ୍ରଣୀ ଶିକ୍ଷା ଓ ସ୍ୱାସ୍ଥ୍ୟ ହବ୍‍ରେ ପରିଣତ । ସେହିପରି ଡେରାଡୁନରେ ଇଣ୍ଡିଆନ ମିଲିଟାରୀ ଏକାଡେମୀ, ଜାତୀୟ ଜଙ୍ଗଲ ଗବେଷଣା ଏକାଡେମୀ, ଡୁନ୍‍ ସ୍କୁଲ, ୱେଲହାମ ବିଦ୍ୟାଳୟ, ରାଷ୍ଟ୍ରୀୟ ସାମରିକ କଲେଜ, ରିମୋଟ୍‍ ସେନସିଂ ଇନଷ୍ଟିଚ୍ୟୁଟ ଆଦି ରହିଥିବା ବେଳେ ନିକଟବର୍ତ୍ତୀ ମସୋରୀରେ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନମାନ ରହିଛି । ଏହିସବୁ ସଂସ୍ଥାକୁ ଯିବା ପାଇଁ ଓଡ଼ିଶାରୁ ସିଧାସଳଖ ବିମାନ ସେବା ନାହିଁ । ତେଣୁ ଭୁବନେଶ୍ୱରରୁ ଡେରାଡୁନ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ନିମନ୍ତେ ଦାବି ଉଠିଛି ।

ଭୁବନେଶ୍ୱରରୁ ଡେରାଡୁନ ବିମାନ ଚାଲିଲେ ମସୋରୀ, ଉତ୍ତରକାଶୀ ସମେତ ହିମାଳୟର ଅନ୍ୟ ଆକର୍ଷଣୀୟ ସ୍ଥାନମାନଙ୍କୁ ପର୍ଯ୍ୟଟକମାନଙ୍କ ଗମନାଗମନ ସୁବିଧା ହେବ । ସେହିପରି ମନ୍ଦିରମାଳିନୀ ସହର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ, ବୌଦ୍ଧ ଓ ଜୈନ ଐତିହ୍ୟରାଜି ଦେଖିବା ପାଇଁ ବାହାରୁ ଅଧିକ ପର୍ଯ୍ୟଟକ ଆସିବେ । ଏହାଛଡା ଭୁବନେଶ୍ୱର-କୋଣାର୍କ-ପୁରୀର ସ୍ୱର୍ଣ୍ଣ ତ୍ରିଭୁଜକୁ ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଶ୍ରୀ ସିଂହଦେଓ କହିଛନ୍ତି ଯେ ପୂର୍ବ ଭାରତର ପ୍ରମୁଖ ଆକର୍ଷଣୀୟ କ୍ଷେତ୍ର ଭୁବନେଶ୍ୱର ହୋଇଥିବା ବେଳେ ଡେରାଡୁନ ହେଉଛି ହିମାଳୟ ପର୍ବତ୍ୟାଞ୍ଚଳର ଦ୍ୱାରଦେଶ । ଏ ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ସହ ଉତ୍ତରାଖଣ୍ଡର ରାଜଧାନୀକୁ ସିଧାସଳଖ ବିମାନ ସେବା ଦ୍ୱାରା ସଂଯୋଗ କରାଗଲେ ବହୁ ଲୋକ ଉପକୃତ ହେବେ । ସମ୍ପ୍ରତି ରାଜସ୍ଥାନର ରାଜଧାନୀ ଜୟପୁର ସହିତ ଭୁବନେଶ୍ୱରର ସିଧାସଳଖ ବିମାନ ସେବା ଆଗାମୀ ନଭେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି ।

କେନ୍ଦ୍ର ସରକାର ସବୁ ରାଜ୍ୟର ରାଜଧାନୀମାନଙ୍କୁ ଅନ୍ୟ ରାଜ୍ୟର ରାଜଧାନୀ ସହିତ ଯୋଡିବାପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ବିଭିନ୍ନ ରାଜ୍ୟକୁ ଯାତାୟତ କ୍ଷେତ୍ରରେ ବିଶେଷ ସହାୟକ ହୋଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ ଡେରାଡୁନ ମଧ୍ୟରେ ସିଧାସଳଖ ବିମାନ ସେବାର ଢ଼େର ଆବଶ୍ୟକତା ଥିବା ବିଷୟ ଶ୍ରୀ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କ ନଜରକୁ ଆଣିଛନ୍ତି । ତେଣୁ ଏହି ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କେନ୍ଦ୍ର ସରକାର ଗ୍ରହଣ କରିବାକୁ ଶ୍ରୀ ସିଂହଦେଓ ଅନୁରୋଧ କରିଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here