Home Culture ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନାହିଁ

ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତର ନାହିଁ

ଭୁବନେଶ୍ୱର : ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡିଆ ଭାଷା ପ୍ରତିଷ୍ଠାନ ଜରିଆରେ ୩୩ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିବାବେଳେ ଭର୍ଚୁଆଲ ଏକାଡେମୀ ପାଇଁ ସାଢେ ୨କୋଟିରୁ ଅଧିକ ଅର୍ଥ ବ୍ୟୟ ହେଲାଣି । ତେବେ ଭାଷାର ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ପ୍ରତିଷ୍ଠାନ ପାଇଁ କିନ୍ତୁ ନିୟମିତ ଦପ୍ତର ନାହିଁ କି ନିୟମିତ ନିର୍ଦ୍ଦେଶକ ବି ରହୁନାହାନ୍ତି ।

ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଓଡିଆ ଭାଷା ପ୍ରତିଷ୍ଠାନର ଯଥେଷ୍ଟ ଅବଦାନ ରହିଛି । ପ୍ରଥମେ ଏହି ସରକାରୀ ସଂସ୍ଥାଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବାବେଳେ ବର୍ତ୍ତମାନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନକୁ ଆସିଛି । ସରକାର ବି ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏହି ସଂସ୍ଥାକୁ ବିପୁଳ ଅର୍ଥ ଯୋଗାଇ ଦେଉଛନ୍ତି ।

ତେବେ ଭାଷା ପ୍ରତିଷ୍ଠାନର ନିଜସ୍ୱ ଦପ୍ତରଟିଏ ନଥିବାବେଳେ ନିୟମିତ ନିର୍ଦ୍ଦେଶକ ବି ରହୁନାହାନ୍ତି । ପ୍ରଥମେ ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର କୋଠାରେ ଆରମ୍ଭ ହୋଇଥିବା ଭାଷା ପ୍ରତିଷ୍ଠାନ ଦପ୍ତର ଏବେ ସଂସ୍କୃତି ନିର୍ଦ୍ଦେଶାଳୟ କୋଠାରେ ଚାଲିଛି । ଏହି ସଂସ୍ଥାକୁ ନିଜସ୍ୱ ଦପ୍ତର ପାଇଁ ସରକାର ଜମି ଚିହ୍ନଟ ସହିତ ଟଙ୍କା ମଧ୍ୟ ଯୋଗାଇ ଦେଇଥିବାବେଳେ ।

ଘର ତିଆରି ପାଇଁ ଟେଣ୍ଡର ବି ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ପ୍ରତିଷ୍ଠାନକୁ ମିଳିଥିବା ଜମି ସ୍ମାର୍ଟସିଟି ଖାତାକୁ ଯିବାପରେ ନିଜସ୍ୱ ଦପ୍ତର ଆଶା ମଉଳିଗଲା । କିନ୍ତୁ ସରକାର ସେତେବେଳେ ନବନିର୍ମିତ ଖାରବେଳ ଭବନରେ ଭାଷା ପ୍ରତିଷ୍ଠାନକୁ ଗୋଟିଏ ମହଲା ଦେବେ ବୋଲି କହିଥିଲେ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ବି ହୋଇଥିଲା । କିନ୍ତୁ ସେହି ପ୍ରତିଶ୍ରୁତି ବି କାର୍ଯ୍ୟକାରୀ ହେଲାନାହିଁ ।

ଭାଷା ପ୍ରତିଷ୍ଠାନର କେବଳ ନିଜସ୍ୱ ଦପ୍ତରଟିଏ ନାହିଁ, ନିୟମିତ ନିର୍ଦ୍ଦେଶକ ବି ଏହି ସଂସ୍ଥାକୁ ଆଉ ମିଳୁନାହାନ୍ତି । କେତେବେଳେ ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ଏହା ଦାୟିତ୍ୱରେ ରହୁଛନ୍ତି ତ ଆଉ କେତେବେଳେ ସଂସ୍କୃତି ନିର୍ଦ୍ଦେଶକ । ସେହିଭଳି ଖାଲି ପଡିଥିବା ଅନ୍ୟାନ୍ୟ ପଦ ପଦବୀ ବି ପୂରଣ ହେଉନାହିଁ । ତେଣୁ ସରକାରୀ ଅର୍ଥ ପାଇବା ସତ୍ୱେ ରାଜ୍ୟରେ ଯେଭଳି ଓଡିଆ ଭାଷାର ପ୍ରଚାର ପ୍ରସାର ହେବାକଥା ତାହା ହେଉନଥିବା ଭାଷାପ୍ରେମୀମାନେ ମତ ଦେଉଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ରୁ ବର୍ତ୍ତମାନ ସୁଦ୍ଧା ଓଡିଆ ଭାଷା ପ୍ରତିଷ୍ଠାନକୁ ସରକାର ଓଡିଆ ଭାଷାର ବିକାଶ ପାଇଁ ୩୩,୬୧,୩୫୯ ଟଙ୍କା ଯୋଗାଇ ଦେଇଛନ୍ତି । ସେହିଭଳି ଡିଜିଟାଲ ମାଧ୍ୟମରେ ଓଡିଆ ଭାଷାର ପ୍ରସାର ନିମନ୍ତେ ୨କୋଟି ୬୭ଲକ୍ଷ ଟଙ୍କା ଦିଆଯାଇଛି । ଏହି ପୋର୍ଟାଲକୁ ଦେଶ ବିଦେଶର ୩ଲକ୍ଷ ଲୋକ ଦେଖିଥିବା ସରକାରୀଭାବେ କୁହାଯାଉଛି । କିନ୍ତୁ ନିଜସ୍ୱ ଦପ୍ତର ଓ ନିମୟିତ ନିର୍ଦ୍ଦେଶକଙ୍କ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଖାଲି ପଡିଥିବାରୁ ଓଡିଆ ଭାଷାର ପ୍ରଚାର ପ୍ରସାର ଓ ବିକାଶ ଏକ ପ୍ରକାର ମନ୍ଥର ଗତିରେ ଚାଲିଥିବା ଭାଷାବିତ୍‍ମାନେ କ୍ଷୋଭର ସହ କହୁଛନ୍ତି । (ତଥ୍ୟ)