Home Culture ଭର୍ଚୁଆଲ ଟୁରରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭର୍ଚୁଆଲ ଟୁରରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି ।

ଜୁଲାଇ ୧୧ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @stscdev, @scstrti ଖୋଲି ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଡଙ୍ଗରିଆ କନ୍ଧମାନେ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରିଥା’ନ୍ତି । ସୂଚୀଶିଳ୍ପ, କାଠଖୋଦେଇ, ଚିତ୍ର ଅଙ୍କନ, ପାନିଆ ତିଆରି ହେଉଛି ସେମାନଙ୍କର ମୁଖ୍ୟ ପେଶା ।
ବୃହତ୍‌ କନ୍ଧ ଜନଜାତିଙ୍କର ଏକ ଅଂଶବିଶେଷ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ । ସେମାନେ ପୋଡ଼ୁଚାଷ କରିଥା’ନ୍ତି ଓ ଉଦ୍ୟାନକୃଷିରେ ଦକ୍ଷ ଅଟନ୍ତି । ହଳଦୀ, ସପୁରୀ ଓ କଦଳୀ ଚାଷ ନିମନ୍ତେ ଡଙ୍ଗରିଆ କନ୍ଧ ଜନଜାତି ପ୍ରସିଦ୍ଧି ଲାଭ କରିଛନ୍ତି ।

ଝରଣାକୂଳରେ ରହୁଥିବାରୁ ସେମାନେ ନିଜକୁ ‘ଝରଣିଆ’ ବୋଲି କହିଥା’ନ୍ତି । ନିୟମଗିରି ପର୍ବତର କିମ୍ବଦନ୍ତୀ ନିୟମରାଜାଙ୍କ ବଂଶଧର ଭାବେ ଡଙ୍ଗରିଆ କନ୍ଧମାନେ ନିଜକୁ ଅଭିହିତ କରିଥା’ନ୍ତି । ଦ୍ରାବିଡ଼ ଭାଷା ‘କୁଭି’ ହେଉଛି ଡଙ୍ଗରିଆ କନ୍ଧମାନଙ୍କର କଥିତ ଭାଷା । ଧରିତ୍ରୀ ଦେବୀ (ଧରଣୀ ପେନୁ) ସେମାନଙ୍କର ମହାନ ଦେବୀ ଓ ସେ ଗାଁ ରାସ୍ତା ମଧ୍ୟ ଭାଗରେ ଅଧିଷ୍ଠିତା ହୋଇଥା’ନ୍ତି ।

‘ଧରଣୀ ପେନୁ’ଙ୍କୁ ପ୍ରସନ୍ନ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ମେରିଆ ବା କେଡ଼ୁ ଉତ୍ସବ ପାଳନ କରିଥା’ନ୍ତି । ଡଙ୍ଗରିଆ ଜନଜାତିର ଉଭୟ ପୁରୁଷ ଓ ମହିଳାମାନେ ଲମ୍ବା କେଶ ରଖିଥା’ନ୍ତି । ଆଉ ମଧ୍ୟ ଉଭୟ କାନ ଓ ନାକକୁ ଆଭୂଷଣରେ ସଜାଇଥା’ନ୍ତି । ସେମାନେ ସୂଚୀଶିଳ୍ପରେ ରଙ୍ଗୀନ ଶାଲ୍‌ ସିଲେଇ କରିଥା’ନ୍ତି । ତାହାକୁ ‘କପଡ଼ା ଗଣ୍ଡା’ କୁହାଯାଏ ।