Home General ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ

ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହାକୁ ପୂରଣ କରନ୍ତି ବୋଲି ଗୁରୁବାର  ପବିତ୍ର ରାମ ନବମୀ ଅବସରରେ କଟକ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ର ପ୍ରଧାନ କହିଛନ୍ତି ଯେ ଏହି ଟ୍ରେନର ଶୁଭାରମ୍ଭ ଦ୍ୱାରା ଭଦ୍ରକ ଓ ନୟାଗଡବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଧାମନଗରର ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଅନୁରୋଧକୁ ରଖି ଏହି ରେଳ ପ୍ରକଳ୍ପକୁ ଅନୁମୋଦନ କରି ସର୍ବୋପରି ଓଡ଼ିଶା ତଥା ଓଡ଼ିଆଙ୍କ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ । ଏହି ନୂତନ ଟ୍ରେନ୍ ସ୍ଥାନୀୟ ନାଗରିକଙ୍କୁ ଉନ୍ନତ ରେଳ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ପ୍ରଦାନ କରିବ ।

ମୋଦି ଯେଉଁ କଥା କୁହନ୍ତି ତାହା ପୂରଣ କରନ୍ତି । ଅତୀତରେ ଓଡ଼ିଶାକୁ ରେଳବାଇରେ ଅର୍ଥ ଆସୁନଥିଲା । ମୋଦି ସରକାରରେ ଓଡ଼ିଶାକୁ ରେଳ ଅନୁଦାନ ବଢିଛି । ପୂର୍ବୋଦୟର ସ୍ୱପ୍ନ ସାକାର ହେଉଛି ।  ପ୍ରଥମ ଥର ପାଇଁ ଓଡ଼ିଶାର ୫୭ଟି ରେଳ ଷ୍ଟେସନର ନବୀକରଣ ହେବ । ରାଜ୍ୟରେ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦିଆଯାଉଛି । କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱରର ଷ୍ଟେସନ ଜାତୀୟ ସ୍ତରର ଷ୍ଟେସନ ହେଉଛି ।

ଆଗାମୀ ଦିନରେ ଭୁବନେଶ୍ୱର ଓ କଟକ ଷ୍ଟେସନ ଅନ୍ତରାଷ୍ଟ୍ରୀୟ ଷ୍ଟେସନ ନେଇ କଳ୍ପନା ରଖାଯାଇଛି । ଖୁବ ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ହେବାକୁ ଯାଉଛି ।  ମହାପ୍ରଭୁଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପରାମର୍ଶରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ ଏବଂ ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ ଯୋଗଦାନ ରହିବ ବୋଲି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।