Home General ବଢ଼ିଲା ଅଟୋ ଭଡ଼ା

ବଢ଼ିଲା ଅଟୋ ଭଡ଼ା

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ସହିତ କୋଭିଡ୍ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଅଟୋ ଭଡା ବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁସାରେ ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ସ୍ଥିର କରାଯାଇଛି ।

ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପିଛା ୧୦ ଟଙ୍କା ଦେବାକୁ ପଡ଼ିବ । ରିଜର୍ଭେସନ୍ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପିଛା ୧୫ ଟଙ୍କା ଦେବାକୁ ପଡ଼ିବ । ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ମହାସଂଘ ଦର୍ଶାଇଛି ଯେ ଗତ କିଛିଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଘଟୁଛି । କୋଭିଡ୍‍ ସମୟରେ ଅଟୋଚାଳକଙ୍କ ଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ବର୍ଷ ହେଲା ଅଟୋରିକ୍ସା ଯାତ୍ରୀ ପରିବହନ ଦରବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏନେଇ ନିରବ ରହିଛି ।

୨୦୦୫ ମସିହା ପରଠାରୁ ଆଉ ଦର ଧାର୍ଯ୍ୟ ହୋଇନାହିଁ । ଫଳରେ ଅଟୋରିକ୍ସା ଚାଳକମାନେ ବିନା ଦରଧାର୍ଯ୍ୟରେ ଅଟୋ ଚାଳନା କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଭୁଲ୍ ବୁଝାମଣା ଓ ଯାତ୍ରୀମାନଙ୍କ ସହ ଦରବୃଦ୍ଧି ପାଇଁ ଝଗଡ଼ା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ମହାସଂଘ ଆଜି ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ତେବେ ଅଟୋ ଖରିଦ ସମୟରେ ମିଟର କିଣିବା ବାଧ୍ୟତା ମୂଳକ ହୋଇଥିବା ଏବଂ ମିଟର ଅନୁଯାୟୀ ଦର ଆଦାୟ ପାଇଁ ବହୁ ଦିନରୁ ଦାବି ହୋଇଥିଲେ ମଧ୍ୟ ମହାସଂଘ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକାଂଶ ଅଟୋରେ ମିଟର ଲାଗିଥିଲେ ମଧ୍ୟ ସେଗୁଡିକ ଅଚଳ ଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here