Home General ବ୍ୟାପକ ହେବ ସୋଆ ସମର କ୍ୟାମ୍ପ୍‍

ବ୍ୟାପକ ହେବ ସୋଆ ସମର କ୍ୟାମ୍ପ୍‍

ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍‌ଯାପିତ ହୋଇଯାଇଛି ।

ମେ ୬ ତାରିଖରେ ସୋଆ କ୍ୟାମ୍ପସ-୨ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଏହି ସମର କ୍ୟାମ୍ପର ଶୁଭାରମ୍ଭ ହୋଇଥିବା ବେଳେ କ୍ୟାମ୍ପସ୍ ର ପାଂଚ କିଲୋମିଟର ପରିସର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ପଂଚମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ଏହି କ୍ୟାମ୍ପରେ ସାମିଲ୍ ହୋଇଥିଲେ ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଛାତ୍ର ଜୀବନ ର ଏକ ଅଭିନ୍ନ ଅଂଗ । ଏହି ଶିବିର ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ତରଫରୁ ଏହି କ୍ୟାମ୍ପକୁ ଆହୁରି ବ୍ୟାପକ ଭାବେ ପରିଚାଳନା କରିବାକୁ ଚିନ୍ତା କରାଯାଉଥିବା ଶ୍ରୀମତି ଦାସ କହିଥିଲେ ।

ଦୀର୍ଘ ୪ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କ ଶାରିରୀକ ଓ ବୌଦ୍ଧିକ ଉନ୍ନତି ନିମନ୍ତେ ସୋଆ ପକ୍ଷରୁ ଏହି କ୍ୟାମ୍ପ ପରିଚାଳନା କରାଯାଉଥିବା ପ୍ରକାଶ କରି ଏହି କ୍ୟାମ୍ପରେ ଭାଗ ନେଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଭିନ୍ନ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶ୍ରୀମତି ଦାସ ଧନ୍ୟବାଦ ଜଣାଇଥିଲେ ।

କ୍ୟାମ୍ପରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ, ଟେନିସ୍‌, କ୍ରିକେଟ୍‌, ଖୋଖୋ, କବାଡି ଏବଂ ଚେସ୍ ଖେଳର ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ଥର ପାଇଁ ଚଳିତ ବର୍ଷ ଚେସ୍ କୁ ଏହି କ୍ୟାମ୍ପରେ ସାମିଲ କରାଯାଇଥିଲା ।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏହି ସମର କ୍ୟାମ୍ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦କୁ ବୃଦ୍ଧି କରାଯିବାର ଯୋଜନା ରହିଥିବା କହିଥିଲେ । ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଉତମ ଅଭ୍ୟାସ ଆଣି ସମାଜକୁ ସମୃଦ୍ଧ କରିବା ହିଁ ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ସୋଆର ସ୍ପୋର୍ଟସ ଅଫିସର ଶ୍ରୀମତୀ ସୁନିତା ବର୍ମା ସ୍ୱାଗତ ଭାଷଣ ଦେବା ସହ କ୍ୟାମ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ସାମିଲ ହୋଇଥିବା ସମସ୍ତ ୧୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।